କଟକ ନିଶ୍ଚିନ୍ତକୋଇଲିରେ “ଅହମ୍ମଦ ବକ୍ସ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ”: ଓଡ଼ିଶାରେ ଥିବା ସରକାରୀ ସ୍କୁଲ ଓ କଲେଜ ଗୁଡିକରେ ଅତୀତରେ ଯେଉଁଭଳି ଉଚ୍ଚକୋଟୀର ନାଗରିକ ତିଆରି ହେଉଥିଲେ, ଆଜି ସେଥିରେ ଶୀଥିଳତା ଆସିଛି-ଧର୍ମେନ୍ଦ୍ର ପ୍ରଧାନ

0
66

By Our Correspondent

CUTTACK/BHUBANESWAR: ​ ଅପାର ସମ୍ଭାବନାର ରାଜ୍ୟ ହେଉଛି ଓଡ଼ିଶା । କିନ୍ତୁ ବିଗତ କିଛି ବର୍ଷ ହେବ ଆମ ଅଞ୍ଚଳର ନୂଆପିଢିର ପିଲାମାନଙ୍କୁ ଯେଉଁଭଳି ଭାବରେ ଯତ୍ନ ନିଆଯିବା କଥା, ସେଭଳି ଧ୍ୟାନ ଦିଆଯାଇନାହିଁ । ଫଳସ୍ୱରୂପ ଓଡ଼ିଶାରେ ଥିବା ସରକାରୀ ସ୍କୁଲ ଓ କଲେଜ ଗୁଡିକରେ ଅତୀତରେ ଯେଉଁଭଳି ଉଚ୍ଚକୋଟିର ନାଗରିକ ତିଆରି ହେଉଥିଲା, ଆଜି ସେଥିରେ ଶୀଥିଳତା  ଆସିଛି । ଏହି ବ୍ୟବସ୍ଥାକୁ ସୁଧାରିବା ପାଇଁ ପଡିବ । ନୂଆପିଢିର ଛାତ୍ରଛାତ୍ରୀଙ୍କୁ ଉଚ୍ଚକୋଟିର ନାଗରିକ ଭାବେ ପ୍ରସ୍ତୁତ କରାଇବା ଆମର ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗୁରୁବାର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ସ୍ଥିତ “ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ”ରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମସ୍ତ କର୍ମଚାରୀଙ୍କୁ ଶିକ୍ଷାନୁଷ୍ଠାନର ହୀରକ ଜୟନ୍ତୀର ଶୁଭେଚ୍ଛା ଜଣାଇବା ସହ ସ୍କୁଲର ଇତିହାସ ପୃଷ୍ଠଭୂମି ଉପରେ ଆଲୋକପାତ କରିଛନ୍ତି ।

ସେ କହିଛନ୍ତି ଯେ କଟକର ନିଶ୍ଚିନ୍ତକୋଇଲି ନିଜସ୍ୱ ପରିଚୟ ରଖିଛି । କୁଳବୃଦ୍ଧ ମଧୁସୂଦନ ଦାସ, ଗଣକବି ବୈଷ୍ଣବ ପାଣି, ସ୍ୱାଧୀନତା ସଂଗ୍ରାମୀ ସୁଭଦ୍ରା ମହତାବଙ୍କ ସଂସ୍କାର ଓ ଆଦର୍ଶରେ ଗଢି ଉଠିଥିବା ଏହି ଅଞ୍ଚଳ । ଦେଶ ସ୍ୱାଧୀନତା ପ୍ରାପ୍ତିର ବର୍ଷେ ପୂର୍ବରୁ ଏଠାରେ ଏକ ଶିକ୍ଷାନୁଷ୍ଠାନ ଗଢିବା ପାଇଁ ଉଦ୍ୟମ ହୋଇଥିଲା । ପରେ ନିମ୍ନ ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୧୯୬୦ ମସିହାରେ ବିଧିବଦ୍ଧ ଭାବରେ ଜମିଦାର ଅହମ୍ମଦ ବକ୍ସଙ୍କ ନାମରେ ଉଚ୍ଚ ବିଦ୍ୟାଳୟ ଭାବେ ପରିଗଣିତ ହୋଇଥିଲା । ୧୯୬୪ ମସିହାରେ ଏହା ସରକାରୀ ଉଚ୍ଚ ବିଦ୍ୟାଳୟର ମାନ୍ୟତା ପାଇଲା, ଯାହା ଆଜି ଏକ ବିରାଟ ବଟ୍ଟବୃକ୍ଷର ରୂପ ନେଇଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏଥର ଓଡ଼ିଶାର ଦାୟିତ୍ୱ ଓଡ଼ିଆଙ୍କ ହାତରେ ରହିଛି । ଯେଉଁ ଅଞ୍ଚଳରୁ ଓଡ଼ିଆ ଲୋକମାନେ ସାତଦରିଆ ପାର ହୋଇ ଓଡ଼ିଶାକୁ ବୈଭବ ଓ ସମ୍ପନ୍ନତା ଆଣିଥିଲେ, ସେହି ରାଜ୍ୟକୁ ପୁଣି ଥରେ ପୂର୍ବୋଦୟର ମୁଖଶାଳା କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଓଡ଼ିଶାକୁ ଆଗକୁ ନେବା ପାଇଁ ହେଲେ ଛାତ୍ରଛାତ୍ରୀଙ୍କୁ ପାଠପଢା ସହ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ପଡିବ । ନିଶ୍ଚିନ୍ତକୋଇଲିରେ ସ୍ଥାପିତ ଏହି ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଜ୍ଞାନର ପ୍ରୟୋଗଶାଳା କରିବା ପାଇଁ ହେବ । ମଧୁବାବୁ, ବୈଷ୍ଣବ ପାଣି, ସୁଭଦ୍ରା ମହତାବଙ୍କ ସଂସ୍କାର ଓ ଆଦର୍ଶରେ ଗଢି ଉଠିଥିବା ଏହି ଅଞ୍ଚଳ ଆଉ ଥରେ ନିଜର ସୁଯୋଗ୍ୟ ସନ୍ତାନ ମାନଙ୍କୁ ତିଆରି କରିବ, ଯେଉଁମାନେ ରାଜ୍ୟର ଗୌରବ ବଢାଇବା ସହ ମାନବତା ଓ ସମାଜକୁ ଦିଗଦର୍ଶନ ଦେବେ ।

LEAVE A REPLY

Please enter your comment!
Please enter your name here