କଟକ ଠାରେ ୮୯ ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ,ଚଳିତ ବର୍ଷ ପାଇଁ ୧୦୭ ଜଣ ଏବଂ ୨୦୨୩ ମସିହା ନିମନ୍ତେ ଜଣେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ କରାଯାଇଥିଲା

0
138

By Our Correspondent

CUTTACK:ଓଡିଶା ପୋଲିସର ରାଜ୍ୟସ୍ତରୀୟ ୮୯  ତମ ପୋଲିସ ପ୍ରତିଷ୍ଠା ଦିବସ ଆଜି ପୂର୍ବାହ୍ନରେ ଷଷ୍ଠ ବାଟାଲିୟନ, କଟକ ଠାରେ ପାଳିତ  ହୋଇଯାଇଛି .ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀ  ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ପୋଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ସଫଳ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ ୤ ମୁଖ୍ୟ ଅତିଥି ଡିଜିପି ପ୍ରଥମେ ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କୁ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିଥିଲେ .

ଜନସାଧାରଣଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଦେବାକୁ ଏବଂ ଉଚ୍ଚକୋଟିର କର୍ତ୍ତବ୍ୟନିଷ୍ଠା, ସାଧୁତା ତଥା ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ କରିବାକୁ ଡିଜିପି ସମସ୍ତ ପୋଲିସ କର୍ମଚାରୀ/ ଅଧିକାରୀଙ୍କୁ ଆହ୍ଵାନ ଦେଇଛନ୍ତି | ୧ ଏପ୍ରିଲ ୧୯୩୬ ମସିହାରେ ନୂତନ ଓଡିଶା ପ୍ରଦେଶ ଗଠନ ସହ ଓଡିଶା ପୋଲିସ ପ୍ରତିଷ୍ଠା ହୋଇଥିଲା। ଏହି ଦୀର୍ଘ ବର୍ଷର ଯାତ୍ରା ପଥ  ଏକ ବହୁତ ବଡ ତପସ୍ୟା ବୋଲି ସେ କହିଥିଲେ | ଦିନ ରାତି, ବର୍ଷ ତମାମ ବିଭିନ୍ନ କଠିନ ପରିସ୍ଥିତିରେ ପୋଲିସ ନିଜର କର୍ତ୍ତବ୍ୟ ତୁଲାଇଥାନ୍ତି | ବହୁ ସମୟରେ ଅନେକ ସମସ୍ଯା ସମ୍ମୁଖୀନ ହେଉଥିଲେ ମଧ୍ୟ ପ୍ରତ୍ଯେକଥର ସଫଳତାର ସହିତ ସମସ୍ତ ସମସ୍ୟାର ମୁକାବିଲା କରି ଲୋକମାନଙ୍କୁ  ନିରନ୍ତର ସେବା ପ୍ରଦାନ କରିବାରେ ସଫଳ ହୋଇଛୁ ବୋଲି ଡିଜିପି ଶ୍ରୀ ଷଡଙ୍ଗୀ କହିଛନ୍ତି ।

ମାଓବାଦୀ ଦମନ କ୍ଷେତ୍ରରେ ଓଡିଶା ପୋଲିସର ଦଳଗତ ସଫଳତା ପାଇଁ ଡିଜିପି ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ସାଧୁବାଦ ଜଣାଇଥିଲେ  | ମାଓବାଦୀ ମୁକାବିଲା କ୍ଷେତ୍ରରେ ଗତ ଦଶନ୍ଧି ମଧ୍ୟରେ ଓଡିଶା ପୋଲିସ ଉଚ୍ଚକୋଟିର ଦକ୍ଷତା ପ୍ରଦର୍ଶନ କରିଛି ବୋଲି ମତବ୍ୟକ୍ତ କରିଥିଲେ। ବିଭିନ୍ନ ସମୟରେ ରାଜ୍ୟରେ ଆଇନ ଓ ଶୃଙ୍ଖଳା ରକ୍ଷା କରିବାରେ ପୋଲିସ ବାହିନୀ ଅତ୍ୟନ୍ତ ଦାୟିତ୍ଵର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବାରୁ ଡିଜିପି ସାଧୁବାଦ ଜଣାଇଥିଲେ।  ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ରକ୍ଷା ଓ ଅପରାଧ ଅନୁସନ୍ଧାନ ମଧ୍ୟରେ ପୋଲିସର ଦାୟିତ୍ଵ ସୀମିତ ହୋଇ ରହିନାହିଁ । ତଥାପି ପ୍ରତିଦିନ ଏକ ନୂଆ ଉତ୍ସାହର ସହ ପୋଲିସ କର୍ମଚାରୀ ନିଜର ଦାୟିତ୍ଵ ତୁଲାଉଛନ୍ତି ।

ରାଜ୍ୟ ପୋଲିସ ବିଭାଗରେ SI, ASI ଏବଂ Constable ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ବୋଲି ଡିଜିପି ମତବ୍ୟକ୍ତ କରିଥିଲେ। ନିଯୁକ୍ତି ପ୍ରକ୍ରିୟାକୁ ଆଗାମୀ ଦିନରେ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଥିଲେ। Cyber Crime, Economic offence ଭଳି ଅନେକ ନୂଆ ନୂଆ ସମସ୍ଯା ପୋଲିସ ପାଇଁ challenge ସୃଷ୍ଟି କରୁଥିଲେ ମଧ୍ୟ  ଏହାକୁ ରୋକିବାରେ ରାଜ୍ୟ ପୋଲିସ ସଫଳ ହୋଇଛି ବୋଲି ସେ କହିଥିଲେ।

ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା ବାର୍ତ୍ତାକୁ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଆର୍‌. କେ. ଶର୍ମା ପାଠ କରିଥିଲେ. ଆଇଜି ( କାର୍ମିକ) ଶ୍ରୀ ଏସ. ପ୍ରବୀଣ କୁମାର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଏହା ପରେ ମୁଖ୍ୟ ଅତିଥି ଉଲ୍ଲେଖନୀୟ ପୋଲିସ ସେବା ପାଇଁ ପୋଲିସ ଅଧିକାରୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ ୤ ଏହି ଅବସରରେ ଶ୍ରେଷ୍ଠ ଇନିସ୍‌ପେକ୍ଟର ସତ୍ୟଜିତ କଣ୍ଡନକେଲ , ଶ୍ରେଷ୍ଠ ଇନିସ୍‌ପେକ୍ଟର (ଅପରାଧ ଶାଖା) ଅବନ୍ତୀମଣି ନାୟକ, ଶ୍ରେଷ୍ଠ ଇନିସ୍‌ପେକ୍ଟର ସ୍ପେଶାଲ ବ୍ରାଞ୍ଚ (SIW) ଏ. ଶ୍ରୀନିବାସ ଦୋରା, ଶ୍ରେଷ୍ଠ ସବ-ଇନିସ୍‌ପେକ୍ଟର ଧର୍ମେନ୍ଦ୍ର ସିଆଳ, ଏସ.ଓ.ଜି ର ଶ୍ରେଷ୍ଠ ଟିମ ଲିଡର ଏସ.ଆଇ (ଆର୍ମଡ) ମାନସ ରଞ୍ଜନ ତ୍ରିପାଠୀ, ଶ୍ରେଷ୍ଠ ଏ.ଏସ.ଆଇ ଅମୂଲ୍ୟ ରତ୍ନ ବିରୋ, ଶ୍ରେଷ୍ଠ ହାବିଲଦାର କନ୍ଦର୍ପ ପାତ୍ର , ଶ୍ରେଷ୍ଠ ଓ.ଆର କନେଷ୍ଟବଳ ଦେବେନ୍ଦ୍ର କୁମାର ରାଉତ , ଶ୍ରେଷ୍ଠ ଏ.ପି.ଆର କନେଷ୍ଟବଳ ଅଜିତ କୁମାର ଗିରି, ଶ୍ରେଷ୍ଠ ଟ୍ରାଫିକ କନେଷ୍ଟବଳ  ମାନସ ରଞ୍ଜନ ବେହେରା, ଶ୍ରେଷ୍ଠ ଇନିସ୍‌ପେକ୍ଟର (ଆର୍ମଡ) ପ୍ରତାପ କୁମାର ଦାସ, ଶ୍ରେଷ୍ଠ ଏସ.ଆଇ (ଆର୍ମଡ) ସାଗର ଥାପ୍ପା, ଶ୍ରେଷ୍ଠ ଏ.ଏସ.ଆଇ (ଆର୍ମଡ) ବିଷ୍ଣ କୁମାର ବୁରା, ଶ୍ରେଷ୍ଠ ହାବିଲଦାର (ଆର୍ମଡ) ପ୍ରାଣ କୃଷ୍ଣ ଲେଙ୍କା, ଶ୍ରେଷ୍ଠ ସିପାହୀ ଭାବେ ବିଶ୍ଵକର୍ମା ମୁଣ୍ଡାଙ୍କୁ ପୁରସ୍କୃତ କରଯାଇଥିଲା |

ଏହା  ସହ ସ୍ୱର୍ଗତଃ ଭ୍ରମରବର ସାହୁ ଓ ସ୍ୱର୍ଗତଃ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମାରକୀ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା ୤ କନେଷ୍ଟବଳ ଘନଶ୍ୟାମ ସାହୁ, ଓ.ଏ.ପି.ଏଫ ରଜନୀକାନ୍ତ ପ୍ରଧାନ, ଓ.ଏ.ପି.ଏଫ ବିବଛ  ପ୍ରଧାନ, ହାବିଲଦାର ପ୍ରକାଶ ସାଗର ଙ୍କୁ ସ୍ୱର୍ଗତଃ ଭ୍ରମରବର ସାହୁ ସ୍ମାରକୀ  ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ହାବିଲଦାର ଗାଗାରିନ ଦଳାଇ ଏବଂ ହାବିଲଦାର ମଦନ ମୋହନ ପ୍ରଧାନଙ୍କୁ  ସ୍ୱର୍ଗତଃ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମାରକୀ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା

ସେହିପରି ପଞ୍ଚମ ଆଇ.ଆର ବାଟାଲିୟନ, ବୌଦ୍ଧକୁ ଶ୍ରେଷ୍ଠ ବାଟାଲିୟନ ଭାବେ ପୁରସ୍କୃତ କରାଯାଇଥିଲା l ଶ୍ରେଷ୍ଠ ପରିବାର କଲ୍ୟାଣ କେନ୍ଦ୍ର ଭାବେ ଦ୍ୱିତୀୟ ସ୍ୱତନ୍ତ୍ର ସଶସ୍ତ୍ର ବାଟାଲିୟନ, ପରିବାର କଲ୍ୟାଣ କେନ୍ଦ୍ର , ଝାରସୁଗୁଡା (ପ୍ରଥମ), ତୁଳସୀପୁର ପରିବାର କଲ୍ୟାଣ କେନ୍ଦ୍ର , କଟକ (ଦ୍ୱିତୀୟ), ସୁନ୍ଦରଗଡ ଜିଲ୍ଲା ପରିବାର କଲ୍ୟାଣ କେନ୍ଦ୍ର (ତୃତୀୟ)ଙ୍କୁ ପୁରସ୍କୃତ କରାଯାଇଥିଲା ୤ ଆଜିର ଆନୁଷ୍ଠାନିକ ପରେଡରେ SOG, Chandaka ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ I.R. Battalion ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରି ଡିଜିପି ଶ୍ରୀ  ଷଡଙ୍ଗୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ.

ଆଜିର ଏହି ଆନୁଷ୍ଠାନିକ ପ୍ୟାରେଡରେ SOG, OSAP, IRB , UPD Cuttack (APR Women), UPD Cuttack (APR Men)/ Traffic Constable, UPD Cuttack, O.D.R.A.F, O.I.S.F, O.S.A.F ଓ Fire Service ଙ୍କୁ ନେଇ ସର୍ବମୋଟ ଦଶଟି (୧୦) ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ ୤ ପ୍ୟାରେଡର ମୁଖ୍ୟ କମାଣ୍ତର ଶ୍ରୀ ରାମେନ୍ଦ୍ର ପ୍ରସାଦ, ଆଇ. ପି. ଏସ୍ (ଅଣ୍ଡର ଟ୍ରେନିଂ) ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା  ୤ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଆର୍‌. କେ. ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲା ୤

ଏହାପରେ ଭୁବନେଶ୍ୱରସ୍ଥିତ ପୋଲିସ ଭବନ ଠାରେ ଚଳିତ ବର୍ଷ ପାଇଁ ୧୦୭ ଜଣ ଏବଂ ୨୦୨୩ ମସିହା ନିମନ୍ତେ ଜଣେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୋଲିସ ଅଧିକାରୀ, ସେବା ନିବୃତ୍ତ ଅଧିକାରୀ ପୋଲିସ କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ୤

LEAVE A REPLY

Please enter your comment!
Please enter your name here