ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି – ଅବସରପ୍ରାପ୍ତ ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ବିଚାରଧୀନ ଅଡିଟ ସରଚାର୍ଜ କେସ, ଭିଜିଲାନ୍ସ କେସ ଓ ଶୃଙ୍ଖଳାଗତ ପ୍ରକ୍ରିୟା ଇତ୍ୟାଦି ପାଇଁ ଅଟକାଯାଇପାରିବ ନାହିଁ

0
52

By Our Correspondent

CUTTACK/BHUBANESWAR:   ଗ୍ରାଚ୍ୟୁଇଟି ଆଇନ ଅପିଲ କର୍ତ୍ତୁପକ୍ଷ ଏବଂ ନିୟନ୍ତ୍ରଣ କର୍ତ୍ତୁପକ୍ଷ କଟକ ସେଣ୍ଟ୍ରାଲ୍ କୋଅପରେଟିଭ୍ ବ୍ୟାଙ୍କର ଅବସରପ୍ରାପ୍ତ ସହକାରୀ ପରିଚାଳକ-ନଳିନୀକାନ୍ତ ଷଢଙ୍ଗୀଙ୍କ ଗ୍ରାଚ୍ୟୁଇଟି ସମ୍ବନ୍ଧୀୟ ସମସ୍ତ ପ୍ରାପ୍ୟ ୧୦% ସୁଧ ସହ ପ୍ରଦାନ କରିବାକୁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ବ୍ୟାଙ୍କ କର୍ତ୍ତୁପକ୍ଷ ଦାୟର କରିଥିବା ରିଟ୍ ସଂଖ୍ୟା ୯୪୯୬/୨୦୨୨ ମାନ୍ୟବର ଓଡିଶା ହାଇକୋର୍ଟ ଗତ ୯-୧୦-୨୦୨୪ ତାରିଖରେ ଖାରଜ କରିବା ସହ ଅପିଲ କର୍ତ୍ତୁପକ୍ଷ ଏବଂ ନିୟନ୍ତ୍ରଣ କର୍ତ୍ତୁପକ୍ଷଙ୍କ ଆଦେଶ କୁ କାୟମ ରଖିଛନ୍ତି।

ଅବସର ପ୍ରାପ୍ତ କର୍ମଚାରୀମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ ପ୍ରକ୍ରିୟା ଜାରି ରଖିବାକୁ କେନ୍ଦ୍ର ସମବାୟ ବ୍ୟାଙ୍କ ଚାକିରୀ ସର୍ତ୍ତାବଳୀ ୨୦୧୧ ରେ କୌଣସି ଉଲ୍ଲେଖ ନଥିବାରୁ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୁପକ୍ଷ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଅଡିଟ ସରଚାର୍ଜ କେସ୍ କିମ୍ବା ଭିଜିଲାନ୍ସ କେସ୍ ଇତ୍ୟାଦିର ଆଳରେ କୌଣସି ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ କିମ୍ବା ତାଙ୍କ ଗ୍ରାଚ୍ୟୁଇଟି ଦେୟକୁ ଅଟକାଇ ପାରିବେନାହିଁ ବୋଲି ମାନ୍ୟବର ବିଚାରପତି ସଂଜୟ କୁମାର ମିଶ୍ରଙ୍କ ଖଣ୍ଡପୀଠ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ମକଦ୍ଦମାର ବିବରଣୀରୁ ପ୍ରକାଶ ଯେ ଶ୍ରୀ ନଳିନୀକାନ୍ତ ଷଢଙ୍ଗୀ ଚାକିରୀରେ ଯୋଗଦେବାଠାରୁ ବିଭିନ୍ନ ଆର୍ଥୀକ ଅନିୟମିତତାରେ ସଂପୃକ୍ତ ରହିଥିବା ଅଭିଯୋଗରେ ତାଙ୍କ ସେବା କାଳରେ ଅନେକ ଥର ଚାର୍ଜସିଟ୍ ହୋଇଥିଲେ।

ଅବସର ଗ୍ରହଣ କରିବା ପୂର୍ବରୁ ତାଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ ର ଧାରା ୧୩ (୧) (ଘ) ସହିତ ଭାରତୀୟ ପିଙ୍ଗଳ କୋଡର ଧାରା ୪୬୮, ୪୨୦ ଓ ୧୨୦-ଖ ଅନୁଯାୟୀ ଦୂର୍ନୀତି ନିବାରଣ ବିଭାଗ ତରଫରୁ ଭିଜିଲାନ୍ସ କେସ୍ ନଂ ୪୩/୨୦୧୧ ଆରମ୍ଭ କରାଯାଇଥିଲା ଯାହା ବିଚାରଧୀନ ରହିଛି। ଏଥିସହ ଶ୍ରୀ ଷଢଙ୍ଗୀ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ର ବରୀ ଶାଖାରେ କାର୍ଯ୍ୟ କରୁଥିବା ସମୟରେ ଆର୍ଥିକ ଅନିୟମିତତା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଦୁଇଟି ଅଡିଟ୍ ସରଚାର୍ଜ କେସ ମଧ୍ୟ ଜାରି ରହିଛି।

ଏହାକୁ ଭିତ୍ତିକରି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୁପକ୍ଷ ଷଢଙ୍ଗୀଙ୍କ ଗ୍ରାଚ୍ୟୁଇଟି ଦେୟ ପ୍ରଦାନ ନକରିବାରୁ ଶ୍ରୀ ଷଡଙ୍ଗୀ ୬,୧୭,୫୧୩ ଟଙ୍କା ର ଗ୍ରାଚ୍ୟୁଇଟି ଏବଂ ସୁଧ ଦାବି କରି ନିୟନ୍ତ୍ରଣ କର୍ତ୍ତୁପକ୍ଷଙ୍କ ନିକଟରେ ଆବେଦନ କରିଥିଲେ। ନିୟନ୍ତ୍ରଣ କର୍ତ୍ତୃପକ୍ଷ ତା ୧୩-୦୧-୨୦୨୦ ରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କକୁ ୩୦ ଦିନ ମଧ୍ୟରେ ଶ୍ରୀ ଷଢଙ୍ଗୀଙ୍କୁ ୯,୭୯,୦୫୪/- ଟଙ୍କା ସୁଧ ସହ ଗ୍ରାଚ୍ୟୁଇଟି ବାବଦରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ବିରୋଧରେ ବ୍ୟାଙ୍କ ଦ୍ଵାରା କରାଯାଇଥିବା ଅପିଲକୁ କେସ୍ ନଂ ୦୯/୨୦୨୧କୁ ଅପିଲ କର୍ତ୍ତୁପକ୍ଷ ଖାରଜ କରି ନିୟନ୍ତ୍ରଣ କର୍ତ୍ତୁପକ୍ଷଙ୍କ ଆଦେଶକୁ କାୟମ ରଖିବାସହ ଶ୍ରୀ ଷଢଙ୍ଗୀଙ୍କୁ ୯,୭୯,୦୫୪/- ଟଙ୍କା ସୁଧ ସହ ଗ୍ରାଚ୍ୟୁଇଟି ବାବଦରେ ପ୍ରଦାନ କରିବାକୁ ତା ୨୮-୦୩-୨୦୨୨ ରେ ଆଦେଶ ପାରିତ କରିଥିଲେ।

ଉପରୋକ୍ତ ଆଦେଶକୁ ବିରୋଧ କରି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୁପକ୍ଷ ମାନ୍ୟବର ହାଇକୋର୍ଟରେ ରିଟ ଜାଚିକା ଦାୟର କରିଥିଲେ। ମାନ୍ୟବର ହାଇକୋର୍ଟ କହିଛନ୍ତି ଯେ ଶୃଙ୍ଖଳାଗତ ବିଭାଗୀୟ ପ୍ରକ୍ରିୟା ଆରମ୍ଭ କିମ୍ବା ଜାରି ରଖିବା କିମ୍ବା ଗ୍ରାଚ୍ୟୁଇଟି ପ୍ରାପ୍ୟ ଅଟକ ରଖିବା କିମ୍ବା ବଞ୍ଚିତ କରିବା ସମ୍ବନ୍ଧରେ ସେପରି କୌଣସି ନିୟମ କେନ୍ଦ୍ର ସମବାୟ ବ୍ୟାଙ୍କ ର ସେବା ନିୟମାବଳୀରେ ନାହିଁ ଏବଂ ଏହା ପରିବର୍ତ୍ତେ, କେନ୍ଦ୍ର ସମବାୟ ବ୍ୟାଙ୍କର କର୍ମଚାରୀ ଚାକିରୀ ସର୍ତ୍ତାବଳୀ ୨୦୧୧ ଅନୁଯାୟୀ ଗ୍ରାଚ୍ୟୁଇଟି ଆଇନ (ଅଧିନିୟମ) ୧୯୭୨ ଅନୁସାରେ କର୍ମଚାରୀମାନଙ୍କୁ ଗ୍ରାଚ୍ୟୁଇଟି ପ୍ରଦାନ କରିବାକୁ ନିୟମ ରହିଛି। 1972 ଆଇନ (ଅଧିନିୟମ) ର ଧାରା ୭ ର ଉପ-ଧାରା (୩କ) ଅନୁଯାୟୀ ନିଯୁକ୍ତିଦାତା ଜଣେ କର୍ମଚାରୀଙ୍କ ଗ୍ରାଚ୍ୟୁଇଟିକୁ ଅଟକାଇବା ପାଇଁ, ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ଅନୁମତି ପାଇବାରେ ବିଫଳ ହେଲେ ନିଯୁକ୍ତିଦାତା ଗ୍ରାଚ୍ୟୁଇଟି ଆଇନ ଅନୁଯାୟୀ ସୁଧ ଦେବାକୁ ଦାୟୀ ରହିବେ।

ସେହିପରି ଗ୍ରାଚ୍ୟୁଇଟି ଆଇନ ଧାରା ୪ ର ଉପ-ଧାରା (୬) (ଖ) ଅନୁଯାୟୀ ଯଦି ଜଣେ କର୍ମଚାରୀ ଦଙ୍ଗା କିମ୍ବା ବିଶୃଙ୍ଖଳିତ ଆଚରଣ କିମ୍ବା ଅନ୍ୟ କୌଣସି ହିଂସା ଜନିତ କାର୍ଯ୍ୟ ପାଇଁ; କିମ୍ବା ଚାକିରୀ ସମୟରେ ନୈତିକ ଅଧମତା ଜନିତ ଅପରାଧ ପାଇଁ ତାଙ୍କ ଚାକିରିର ସେବା ସମାପ୍ତି (terminate)  ହୋଇଥିବା ସମ୍ପୃକ୍ତ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ସମ୍ପୁର୍ଣ୍ଣ କିମ୍ବା ଆଂଶିକ ଭାବରେ ବ୍ୟାଜାପ୍ତି କରାଯାଇ ପାରିବ।

ସେହିପରି ଗ୍ରାଚ୍ୟୁଇଟି ଅଧିନିୟମ (ପି ଜି ଆକ୍ଟ) ୧୯୭୨ ର ଧାରା ୧୩ ଅନୁଯାୟୀ ପ୍ରତ୍ୟେକ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ସୁରକ୍ଷିତ ଏବଂ କୌଣସି ସିଭିଲ୍, ଦେୱାନି କିମ୍ବା ଫୌଜଦାରୀ ଅଦାଲତଙ୍କ ଆଦେଶ ବଳରେ କୌଣସି କର୍ମଚାରୀଙ୍କ ଗ୍ରାଚ୍ୟୁଟି ଜବତ କିମ୍ବା ବ୍ୟାଜାପ୍ତି କରାଯାଇ ପାରିବ ନାହିଁ| ମାନ୍ୟବର ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟ ମାନଙ୍କର ଏ ସମ୍ପର୍କିତ ରାୟ ଗୁଡିକୁ ଉଲ୍ଲେଖ କରି ଶ୍ରୀ ଷଢଙ୍ଗୀ ଚାକିରୀରୁ ଅବସର ନେବା ପରେ ତାଙ୍କ ଗ୍ରାଚ୍ୟୁଇଟି ଦେୟକୁ ବ୍ୟାଙ୍କ କର୍ତ୍ତୁପକ୍ଷ ଅଟକାଇ ରଖି ପାରିବେନାହିଁ ବୋଲି ମାନ୍ୟବର ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here