By Pradip Pradhan
BHUBANESWAR: 2021 ମସିହାରେ ଜଣେ IAS OFFICER ଙ୍କ ନାମରେ ଥିବା ଭିଜିଲାନ୍ସ କେଶ ଓ ଭିଜିଲାନ୍ସ ଫାଇଲ କରିଥିବା ଫାଇନାଲ ରିପୋର୍ଟ ର କପି ସାଧାରଣ ପ୍ରଶାସନ ବିଭାଗ କୁ ମାଗିଥିଲି l ମୋର ଦରଖାସ୍ତ ଟିକୁ ପିଆଇଓ Directorate of Vigilance କୁ ତଥ୍ୟ ଦେବା ପାଇଁ ପଠେଇଦେଲେ l ପିଆଇଓ ତାଙ୍କ ଉତ୍ତରରେ ଜଣାଇଲେଯେ, ଉକ୍ତ ତଥ୍ୟ ଦୁର୍ନୀତି ସମ୍ପର୍କିତ ହୋଇନଥିବାରୁ, ତଥ୍ୟ ଦିଆଯାଇ ପାରିବ ନାହିଁ l ଏହାପରେ ମୁଁ ପ୍ରଥମ ଅପିଲ କରିଥିଲି l
ଏହି ଅପିଲ ରେ ମୁଁ ଦର୍ଶାଇଥିଲିଯେ, ମୁଁ ଚାହୁଁଥିବା ସୂଚନା ଜଣେ ଆଇଏସ ଅଧିକାରୀ ଙ୍କ ଦୁର୍ନୀତି ସମ୍ପର୍କିତ ହୋଇଥିବାରୁ ଏବଂ ଭିଜିଲାନ୍ସ ଦୁର୍ନୀତି ସମ୍ପର୍କିତ ଅଭିଯୋଗ ତଦନ୍ତ କରୁଥିବାରୁ, ମୁଁ ଏହି ତଥ୍ୟ ପାଇବା ପାଇଁ ହକଦାର l ଏଠାରେ ସୂଚନା ଯୋଗ୍ୟଯେ, ସେହି ସମୟରେ ବିଭାଗୀୟ ମନ୍ତ୍ରୀ କେଁଉ କେଉଁ ଅଫିସରଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ରହିଛି ଓ ତଦନ୍ତ ଚାଲିଛି, ଏହାର ତଥ୍ୟ ବିଧାନ ସଭାରେ ଉପସ୍ଥାପନ କରିଥିଲେ l
କିନ୍ତୁ ପ୍ରଥମ ଅପିଲ କର୍ତ୍ତ୍ତୃପକ୍ଷ ମୋର ଏହି ଅପିଲ ର ଶୁଣାଣୀ ନକରି ଖାରଜ କରିଥିଲେ l ଏହାପରେ ମୁଁ ସୂଚନା କମିଶନ ରେ ଦ୍ଵିତୀୟ ଅପିଲ କରିଥିଲି l
ଦୀର୍ଘ ଚାରି ବର୍ଷ ପରେ ଗତ 16.5.25 ରେ Second Appeal Case No. 1964/2021 ର ଶୁଣାଣୀ ପାଇଁ ମୁଖ୍ୟ ସୂଚନା କମିଶନର ଶ୍ରୀ ମନୋଜ ପରିଡା ଧାର୍ଯ୍ୟ କରିଥିଲେ l ଭିଜିଲାନ୍ସ ବିଭାଗର ପିଆଇଓ submission ଦେଇ କହିଥିଲେ ଯେ ଭିଜିଲାନ୍ସ ସୂଚନା ଆଇନ ଅଧୀନରେ ଆସୁନାହିଁ l ସେ 2016 ମସିହାର ଏକ ଅର୍ଡର କପି କମିଶନ ଙ୍କୁ ଦେଇଥିଲେ l
ମୁଁ ମୋର submission ଦେଇ ଦର୍ଶାଇଥିଲିଯେ, ପିଆଇଓ ଦାଖଲ କରିଥିବା ରାଜ୍ୟ ସରକାରଙ୍କ 2016 ଅର୍ଡର କପି ଭ୍ରମାତ୍ମକ l କାରଣ ରାଜ୍ୟ ସରକାରଙ୍କ ଏହି ଅର୍ଡର କୁ ମୁଁ ହାଇକୋର୍ଟ ରେ 2016 ମସିହାରେ ଚାଲେଞ୍ଜ କରିଥିଲି l ମାନ୍ୟବର ହାଇକୋର୍ଟ 20.6.22 ରିଖରେ WPC Case no. 17950/2016 ର ବିଚାର କରି ସୂଚନା ଅଧିକାର ଆଇନର ଧାରା 24(4) ଅନୁଯାୟୀ, ରାଜ୍ୟ ଭିଜିଲାନ୍ସ ଦୁର୍ନୀତି ଓ ମାନବିକ ଅଧିକାର ଉଲଂଘନ ସମ୍ପର୍କିତ ତଥ୍ୟ ଦେବାକୁ ବାଧ୍ୟ l ଏଣୁ ମୁଁ କମିଶନ ଙ୍କୁ ମୋର submission କୁ ବିଚାରକୁ ନେଇ ପିଆଇଓ ଙ୍କୁ ତଥ୍ୟ ଦେବା ପାଇଁ ନିର୍ଦ୍ଧେଶ ଦେବାକୁ ଅନୁରୋଧ କରିଥିଲି l
ଆଶା କରାଯାଉଥିଲା, ମୁଖ୍ୟ ସୂଚନା କମିଶନ ସୂଚନା ଆଇନର ଧାରା 24(4), ହାଇକୋର୍ଟ ଙ୍କ judgement, ମଗାଯାଇଥିବା ତଥ୍ୟ ଦୁର୍ନୀତି ସମ୍ପର୍କିତ କି ନୁହେଁ, ଏହାର ବାଖ୍ୟା କରି ତାଙ୍କ ନିଷ୍ପତ୍ତି ଶୁଣାଇ ଥାଆନ୍ତେ l ସାଧାରଣତଃ ଅର୍ଡର ଲେଖିଲା ବେଳେ କମିଶନ ର ମାନେ, କେଶ ସମ୍ପର୍କିତ ବିସ୍ତୃତ ତଥ୍ୟ, ତଥ୍ୟ ନଦେବାର କାରଣ, ଅପିଲକର୍ତ୍ତା ଙ୍କ ଯୁକ୍ତି, ପିଆଇଓ ଙ୍କ ଯୁକ୍ତି, କମିଶନ ଙ୍କ ଆଇନର ବାଖ୍ୟା ଇତ୍ୟାଦି ଲେଖନ୍ତି l କେନ୍ଦ୍ରୀୟ ସୂଚନା କମିଶନ ଓ ଅନ୍ୟ ରାଜ୍ୟ ସୂଚନା କମିଶନ ମାନେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରି ନିଷ୍ପତ୍ତି ଲେଖନ୍ତି l
କିନ୍ତୁ ଦୁର୍ଭାଗ୍ୟ, ଶ୍ରୀ ପରିଡାଙ୍କ କେଶ ଅର୍ଡରରେ କିଛି ଉଲ୍ଲେଖ୍ୟ ନାହିଁ l ଯେହେତୁ ସେ ଆଇନ କୁ ଭଲ ଭାବେ ବୁଝିନାହାନ୍ତି, ଆଇନ ସମ୍ପର୍କରେ ଅଜ୍ଞ, ଲେଖି ଜଣା ନାହିଁ, ଅଭିଜ୍ଞତା ଅଭାବ, ତେଣୁ ଏହିଭଳି ଏକ ଅବାଁଛିତ ଅର୍ଡର ଦେଇଛନ୍ତି l ଏହି ଅର୍ଡର କପି କମିଶନ ଙ୍କ ୱେବସାଇଟ ରେ ଦିଆଯାଇଛି l ଏହି ଅର୍ଡର ପଢି ଜଣେ କଣ ବୁଝିବ, ତାହା ଚିନ୍ତାଜନକ l ପାଠକେ ବୁଝନ୍ତୁ, ସୂଚନା କମିଶନ ଯଦି ଏହିଭଳି ଅର୍ଡର ଲେଖନ୍ତି, ତେଣେ ସାଧାରଣ ଲୋକେ କି ନ୍ୟାୟ ପାଇବେ l
























