ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଓ କର୍ମଭୂମିର ଉନ୍ନତିକରଣ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକ, ମଧୁବାବୁଙ୍କ ଜନ୍ମଭୂମି, ଏନ୍ତୁଡ଼ିଶାଳ, ମଧୁକୋଠି, ବାଲିପୋଖରୀ ଏବଂ କର୍ମସ୍ଥଳୀ ଆଦିର ଉନ୍ନତିକରଣ ନେଇ କ’ଣ ସବୁ ପଦକ୍ଷେପ ନିଆଯିବ

0
31

By Our Correspondent

BHUBANESWAR:  ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନୀ ଏବଂ ଆଦର୍ଶର ପଟାନ୍ତର ନାହିଁ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନଠାରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମ ପର୍ଯ୍ୟନ୍ତ ସବୁଠି ମଧୁସୂଦନଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି । ଏହି ମହାନ ଯୋଗଜନ୍ମା ମହାପୁରୁଷଙ୍କ ଜନ୍ମ ଓ କର୍ମଭୂମିର ସଂରକ୍ଷଣ ଓ ବିକାଶ ରାଜ୍ୟ ସରକାରଙ୍କ ପ୍ରାଥମିକ ଦାୟିତ୍ୱ।

ଏହି ଦାୟିତ୍ୱକୁ ସଠିକ୍‌ ରୂପେ ପାଳନ କରିବା ପାଇଁ ଆମ ସରକାର ବଦ୍ଧପରିକର ବୋଲି ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଓ କର୍ମଭୂମିର ଉନ୍ନତିକରଣ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ମତବ୍ୟକ୍ତ କରିଛନ୍ତି।

ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମଧୁବାବୁଙ୍କ ଜନ୍ମଭୂମି, ଏନ୍ତୁଡ଼ିଶାଳ, ମଧୁକୋଠି, ବାଲିପୋଖରୀ ଏବଂ କର୍ମସ୍ଥଳୀ ଆଦିର ଉନ୍ନତିକରଣ ନେଇ କ’ଣ ସବୁ ପଦକ୍ଷେପ ନିଆଯିବା ଜରୁରୀ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ, ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ଟ୍ରଷ୍ଟ ଏବଂ ପ୍ରତିଷ୍ଠାନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ।

ଏଥି ସହିତ ଏଠାରେ ପାର୍କିଂସ୍ଥଳ, ଲାଇବ୍ରେରୀ, ବହୁମୁଖୀ କେନ୍ଦ୍ର, ଦୃଶ୍ୟଶ୍ରାବ୍ୟ ଗୃହ ଏବଂ ମ୍ୟୁଜିୟମ୍‌ ନିର୍ମାଣ ସହ ପୂର୍ବରୁ ଥିବା ସମସ୍ତ ଐତିହ୍ୟସ୍ଥଳୀର ପ୍ରାକୃତିକ ଶୈଳୀରେ ସଂରକ୍ଷଣ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

ଓଡ଼ିଶାବାସୀଙ୍କ ଭାବାବେଗ ଓ ସମ୍ମାନ ସହ ମଧୁବାବୁଙ୍କ ଜୀବନୀ ଜଡ଼ିତ ଥିବାରୁ ପୀଠର ନବୀକରଣ ସମୟରେ ସେ ସମୟର ସ୍ମୃତି ଯେପରି ବଜାୟ ରହେ, ତାହା ଉପରେ ଧ୍ୟାନଦେବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜିଲ୍ଲା ପ୍ରଶାସନ ଏବଂ ନିର୍ମାଣ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here