By Our Correspondent
BHUBANESWAR: ଭାରତୀୟ ଏବଂ ଆମେରିକୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ରଣନୈତିକ ଭାଗିଦାରୀକୁ ମଜଭୂତ୍ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନେଇଥିବା ନିଷ୍ପତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ ଭାରତ ଏବଂ ଆମେରିକା ଦ୍ୱାରା ନିକଟରେ ଆରମ୍ଭ ହୋଇଥିବା ଇନିସିଏଟିଭ୍ ଆଣ୍ଡ୍ କ୍ରିଟିକାଲ ଆଣ୍ଡ୍ ଏମରଜିଂ ଟେକ୍ନୋଲୋଜି(ଆଇସିଇଟି) ଦୁଇ ଦେଶର ଭାଗିଦାରୀରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରିବ । ଭାରତ ଏବଂ ଆମେରିକାରେ ବିଶେଷ କରି ଯୁବ ପ୍ରତିଭା ତଥା ନୂତନ ଯୁଗର ଜ୍ଞାନକୌଶଳ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସମନ୍ୱୟ ମୂଳକ ଗବେଷଣା ଓ ବିକାଶ କେନ୍ଦ୍ର ପ୍ରଦାନ କରିବ ।
ଶ୍ରେଷ୍ଠ ଆଇଆଇଟି ଏବଂ ଆଇଆଇଏସସିକୁ ସାମିଲ କରି ଆସୋସିଏନ ଅଫ୍ ଆମେରିକା ୟୁନିଭରସିଟି ପକ୍ଷରୁ ଜଏଣ୍ଟ୍ ଟାସ୍କଫୋର୍ସ ଗଠନ ନେଇ ମଧ୍ୟ ଆଲୋଚନା ହୋଇଛି । ଏହି ଦୁଇ ନେତାଙ୍କ କଳ୍ପନାକୁ ସାକାର କରିବା ଦିଗରେ ଭାରତର ଶିକ୍ଷା ମନ୍ତ୍ରଣାଳୟ ସେମିକଣ୍ଡକ୍ଟର, ସ୍ଥାୟୀ କୃଷି, ସ୍ୱଚ୍ଛ ଇନ୍ଧନ, ସ୍ୱାସ୍ଥ୍ୟ, ମହାମାରୀ ପାଇଁ ପ୍ରସ୍ତୁତି ଓ ଉଭା ହେଉଥିବା ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ଗବେଷଣା ଭାଗିଦାରୀ ଓ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଗଭୀର କରିବା ପାଇଁ ଇଣ୍ଡୋ-ୟୁଏସ ଗ୍ଲୋବାଲ ଚ୍ୟାଲେଞ୍ଜ୍ ଇନଷ୍ଟିଚ୍ୟୁଟ୍ ସ୍ଥାପନ କରିବା ପାଇଁ କାର୍ଯ୍ୟ କରିବ ।
ଶିଳ୍ପ ସଂସ୍ଥାର ସହଯୋଗ, ବିଶେଷଜ୍ଞ ଓ ଷ୍ଟାର୍ଟଅପର ଅନ୍ତର୍ଭୃକ୍ତିକରଣ ସହିତ ଏହି ଔପଚାରିକ ଭାଗିଦାରୀ ସୃଜନଶୀଳ ଚିନ୍ତାଧାରା, ଛାତ୍ର ବିନିମୟ ଓ ଯୁଗ୍ମ ବୌଦ୍ଧିକ କ୍ଷମତାକୁ ପ୍ରୋତ୍ସାହିତ କରିବ । ଏହା ଏକାଡେମିକ ଭାଗିଦାରୀ ଏକ ସ୍ଥାୟୀ ଏବଂ ସୁରକ୍ଷିତ ଭବିଷ୍ୟତ ପାଇଁ ସମାଧାନର ସୂତ୍ର ବାହାର କରିବା ଦିଗରେ ସହାୟକ ହେବ । ଶକ୍ତିଶାଳୀ ରାଷ୍ଟ୍ର ଗୁଡ଼ିକ ଶିକ୍ଷା ଏବଂ ଗବେଷଣାରେ ହାତ ମିଳାଇବା ଏକ ଐତିହାସିକ ମୁହୂର୍ତ୍ତ । କାରଣ ଆଗାମୀ ଦିନ ଗୁଡ଼ିକରେ ଏହି ସମ୍ପର୍କ ବିଶ୍ୱସ୍ତରରେ ପ୍ରଭାବ ପକାଇବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।