ଆସନ୍ତା ଅକ୍ଟୋବର 24 ତାରିଖ ଦିନ ମହାମହିମ ରାଷ୍ଟ୍ରପତିଙ୍କର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନର କାର୍ଯ୍ୟକ୍ରମ ନେଇ ସୂଚନା

0
57
President Droupadi Murmu l-file

By Our Correspondent

PURI/BHUBANESWAR: ଆସନ୍ତା ଅକ୍ଟୋବର 24 ତାରିଖ ଦିନ ମହାମହିମ ରାଷ୍ଟ୍ରପତିଙ୍କର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନର କାର୍ଯ୍ୟକ୍ରମ ନେଇ ସୂଚନା ଆସିଛି । ଏଥିପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ତଥା ବ୍ୟବସ୍ଥାବଳୀକୁ ଆଜି ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି ।

ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ, ପୂର୍ବଦିନ 23 ତାରିଖରେ ରାତ୍ର 11ଟାରେ ପହୁଡ ନୀତି ସମାପନ ପାଇଁ ସ୍ଥିର ହୋଇଛି । ସେହିପରି  24 ତାରିଖ ଦିନ ରାତ୍ର 3ଟାରୁ ଦ୍ବାରଫିଟା ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ଦିନ 11ଟା 45 ସୁଦ୍ଧା ବାଳଧୂପ ଶେଷ ହୋଇ ଭୋଗମଣ୍ଡପ ଉଠିବା ସହ ବେଶ ଶେଷ ପାଇଁ ଧାର୍ଯ୍ୟ ହୋଇଛି । ମହାମହିମ ରାଷ୍ଟ୍ରପତି ଦିବା 12ଟା 30ରୁ ଦିନ 1ଟା 15 ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ତେଣୁ ଅକ୍ଟୋବର 24 ତାରିଖ ଦିନ 11ଟାରେ ଶ୍ରୀମନ୍ଦିର ଶୋଧ କରାଯିବ । ସେହି ସମୟ ଅର୍ଥାତ୍ ଦିନ 11ଟା ଠାରୁ ଆଉ ଦର୍ଶନାର୍ଥୀଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ଦିଆଯିବ ନାହିଁ ।

ମହାମହିମ ରାଷ୍ଟ୍ରପତି ଶ୍ରୀଜୀଉଙ୍କ ଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିବା ପରେ ଅବଶିଷ୍ଟ ଦୈନନ୍ଦିନ ନୀତିମାନ କରାଯିବା ସହ ସର୍ବସାଧାରଣ ଦର୍ଶ ଆରମ୍ଭ ହେବ । ମହାମହିମ ରାଷ୍ଟ୍ରପତି ଗର୍ଭଗୃହରେ ଦର୍ଶନ କରିବା ସମୟରେ ସମ୍ପୃକ୍ତ ପାଳିଆ ସେବକଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସେବକ ଗର୍ଭଗୃହରେ ନ ରହିବାକୁ ଅନୁରୋଧ କରାଯାଇଛି ।

ସେବକମାନେ ଧାର୍ଯ୍ୟ ନୀତିକାନ୍ତି ଅନୁସାରେ ନୀତି ସମାପନ କରିବା ସହ ରାଷ୍ଟ୍ରପତିଙ୍କ ସୁରକ୍ଷା ବଳୟ ଠାରୁ ଦୂରତା ରକ୍ଷା କରି ଶୃଙ୍ଖଳା ରଖିବାକୁ ମୁଖ୍ଯ ପ୍ରଶାସକ ଅନୁରୋଧ କରିଛନ୍ତି । ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ବିସ୍ତୃତ ବ୍ୟବସ୍ଥାବଳୀକୁ ଛତିଶାନିଯୋଗ ଅନୁମୋଦନ ପ୍ରଦାନ କରିଥିବା ବେଳେ ଏହାକୁ ଠିକଣା ଭାବେ ଅନୁପାଳନ ସହ ସମସ୍ତେ ସହଯୋଗ କାମନା କରିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ।

 

 

LEAVE A REPLY

Please enter your comment!
Please enter your name here