‘ଆଠଗଡ଼ ମହୋତ୍ସବ – ୨୦୨୪’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
30

By Our Correspondent

CUTTACK:  ଆଠଗଡ଼ ଓଡ଼ିଆ ସଭ୍ୟତା ଏବଂ ଓଡ଼ିଆ ଜନଜୀବନର ଏକ ପ୍ରୟୋଗଶାଳା । ଏହି ଠାରୁ ଅନେକ ନୂଆ ନୂଆ ବିଚାର ଏବଂ ନୂତନ ଚିନ୍ତାଧାରା ଜନ୍ମ ନେଇଛି । ଏହି ପବିତ୍ର ଭୂମିରୁ ଅନେକ ତତ୍କାଳୀନ ଓ ସମସାମୟିକ ନେତୃତ୍ୱ ଜନ୍ମନେଇ ଆଠଗଡର ଇତିହାସକୁ ନୂଆ ଦିଗଦର୍ଶନ ଦେଇଛନ୍ତି ବୋଲି ରବିବାର ‘ଆଠଗଡ଼ ମହୋତ୍ସବ – ୨୦୨୪’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଠଗଡ଼ ମହୋତ୍ସବ କମିଟି ଦ୍ୱାରା ଆୟୋଜିତ ଏହି ସମାରୋହରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଠଗଡ ମାଟି କଳା, ସଂସ୍କୃତି ଓ ସାହିତ୍ୟର ସାଧନାର ପୁଣ୍ୟଭୂମି । ଆଠଗଡ କେବଳ ଏକ ଭୌଗୋଳିକ ସ୍ଥାନ ନୁହେଁ ଏହା ଓଡ଼ିଶା ଜନଜୀବନ, ସଭ୍ୟତା, ସଂସ୍କୃତିର ଅନ୍ୟନ୍ୟ ପ୍ରୟୋଗଶାଳା । ମହାନଦୀର ପାଖରେ ଥିବା ଅଞ୍ଚଳ ଆଠଗଡ ସବଡିଭିଜନରେ ପୂର୍ବରୁ ୪ଟି ଗଡଜାତ ଯଥା ନରସିଂହପୁର, ବଡମ୍ବା, ତିଗିରିଆ ଓ ଆଠଗଡ଼ ଥିଲା । ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରଜାମଣ୍ଡଳ ଆନ୍ଦୋଳନ ଓ ଗଡ଼ଜାତ ମିଶ୍ରଣ ଅଭିଯାନରେ ଆଠଗଡ଼ ଗଡ଼ଜାତର ପ୍ରଜାମାନଙ୍କର ଯୋଗଦାନ ଅଭୂତପୂର୍ବ ଥିଲା ବୋଲି ସେ କହିଛନ୍ତି ।

ମୋର ଆଠଗଡ ପ୍ରତି ଏକ ଆବେଗ ଅଛି । ଏହି ଅଞ୍ଚଳ ଓଡ଼ିଆ ସମାଜର ଗୋଟିଏ ଅଭିବ୍ୟକ୍ତି । ଆଠଗଡର ରାଜା ଜଣେ ରାଜା ନୁହେଁ ବରଂ ଜଣେ ସାଧୁ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ । ଯେଉଁ ସମାଜର ରାଜା ସାଧୁ ହୁଅନ୍ତି, ସେହି ଅଞ୍ଚଳର ସଂସ୍କାର ସ୍ୱତନ୍ତ୍ର ପରିଚୟ ପାଇଥାଏ । ଏହି ମାଟିରୁ ଶିକ୍ଷା ଦୀକ୍ଷା ଲାଭ କରି ଏବଂ ଏଠାରେ ସାଧନା କରି ବହୁ କଳାକାର ଓ ସାହିତ୍ୟିକ ସିଦ୍ଧି ଲାଭ କରିଛନ୍ତି । ଦେଶ ବିଦେଶରେ ଆଠଗଡ ପାଇଁ ଗୌରବ ମଧ୍ୟ ଆଣିଛନ୍ତି । ଏହି ଅଞ୍ଚଳରେ ଚାଷ ଓ ଶିଳ୍ପର ଅନେକ ସମ୍ଭାବନା ଅଛି । କିନ୍ତୁ ଆଠଗଡର ଶିଳ୍ପକୁ ଆଗକୁ ନନେବାର ପ୍ରୟାସ ବିଗତ ଦିନ ମାନଙ୍କରେ କରାଯାଇଛି । ଆମର ଦାୟିତ୍ୱ ଆଠଗଡବାସୀଙ୍କ ମଧ୍ୟରେ ଭୟକୁ ପ୍ରତିହତ କରି ସୁଖ, ଶାନ୍ତି, ସମୃଦ୍ଧି ଅଞ୍ଚଳ ଭାବେ ତିଆରି କରିବା । ଏହି ଅଞ୍ଚଳର ପ୍ରଗତି କରାଇବା । ଆଠଗଡ ସମୃଦ୍ଧ ହେଲେ ହେଲେ ସମୃଦ୍ଧ ହେବ ।

ଆଠଗଡ ମହୋତ୍ସବ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ଆନନ୍ଦମୟ ବାତାବରଣ ତିଆରି କରିଛି । ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ଓ ଯୁବକ ଯୁବତୀଙ୍କ ମଧ୍ୟରେ ସଙ୍ଗୀତଗାନର ଯେଉଁ ପ୍ରତିଭା ଅଛି, ତାହା କୌଣସି ଅଭିଜ୍ଞ କଳାକାରଙ୍କ ଠାରୁ କମ ନୁହେଁ । ଆଠଗଡ଼ ଏବଂ ଏଠାରେ ପାଳିତ ହେଉଥିବା ମହୋତ୍ସହ ସମାଜରେ ସକରାତ୍ମକର ଏକ ବଟ୍ଟବୃକ୍ଷର ରୂପ ନେଇଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଆଠଗଡ ଇତିହାସକୁ ନେଇ ପ୍ରସ୍ତୁତ ପୁସ୍ତକ ଏବଂ ଭକ୍ତିଗୀତ, କବିତା ଓ ଢଗକୁ ନେଇ ପ୍ରକାଶିତ ସଙ୍କଳନ ‘ମଧୁପର୍ଣ୍ଣିକାର ଶ୍ରାବଣୀ ହସ’ର ପ୍ରଶଂସା କରିଥିଲେ । ଶ୍ରୀ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କ କରକମଳରେ ସ୍ମରଣିକା ‘ଅଷ୍ଟାୟନ’ ଉନ୍ମୋଚିତ ହୋଇଥିଲା ।

 

LEAVE A REPLY

Please enter your comment!
Please enter your name here