By Our Correspondent
CUTTACK/BHUBANESWAR: ଆଗାମୀ ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ଅଷ୍ଚାଦଶ ପ୍ରବାସୀ ଭାରତୀୟ ଦିବସ। ଏହି ଦିବସକୁ ଶୃଙ୍ଖଳିତ ତଥା ସୁଚାରୁରୂପେ ଆୟୋଜନ ଏବଂ ପରିଚାଳନା ନିମନ୍ତେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପୋଲିସ ବିଭାଗର ପ୍ରସ୍ତୁତି, ପରିଚାଳନା, ପୋଲିସ କର୍ମଚାରୀ ମୁତୟନ, ଟ୍ରାଫିକ ସୁପରିଚାଳନା ଆଦି ସଂପର୍କରେ ବିଶଦ ଭାବେ ବୈଠକରେ ସମୀକ୍ଷା ହୋଇଥିଲା ।
ଏହି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀ, ଅତିଥି, ପ୍ରବାସୀ ଭାରତୀୟ ଏବଂ ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀମାନଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷ ଯୋଗ ଦେବେ ।
ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରିବାକୁ ଡିଜିପି ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ବିମାନବନ୍ଦରରେ ସୁରକ୍ଷା ଏବଂ ଅତିଥିଙ୍କ ଆଗମନ ସମୟରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା, ଭିଭିଆଇପିଙ୍କ ନିମନ୍ତେ ସୁରକ୍ଷା ବ୍ୟବସ୍ଥା, ଜନତା ମଇଦାନ କାର୍ଯ୍ୟକ୍ରମ ସ୍ଥଳର ସୁରକ୍ଷା, ଭିଭିଆଇପିଙ୍କ ରୁଟ ଲାଇନ ଏବଂ ସେହି ରାସ୍ତାରେ ଟ୍ରାଫିକ ବ୍ୟବସ୍ଥା ଆଦି ସଂକ୍ରାନ୍ତରେ ଉପଯୁକ୍ତ ପଦକ୍ଷେପ ନେବାକୁ ଡିଜିପି ଶ୍ରୀ ଖୁରାନିଆ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ
ଯାନବାହାନ ପାର୍କିଂ ସ୍ଥଳ, ଉତ୍ସବ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ସହ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଭାବେ ଡିଜିପି ଶ୍ରୀ ଖୁରାନିଆ ସମୀକ୍ଷା କରିଥିଲେ ।
ଏହା ସହ ବିଭିନ୍ନ ହୋଟେଲରେ ଅତିଥିଙ୍କ ସୁରକ୍ଷିତ ରହଣି ପାଇଁ ମଧ୍ୟ ଉପଯୁକ୍ତ ପଦକ୍ଷେପ ନେବାକୁ ଡିଜିପି ନିର୍ଦେଶ ଦେଇଛନ୍ତି। ଏହା ସହ ପ୍ରବାସୀ ଭାରତୀୟ ମାନେ ବିଭିନ୍ନ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ ପାଇଁ ଗସ୍ତ କରିବେ। ଭୁବନେଶ୍ୱର, କଟକ ଓ ପୁରୀ ଆଦି ସ୍ଥାନରେ ଥିବା ପର୍ଯ୍ୟଟନ ସ୍ଥଳ ଗୁଡିକର ସୁରକ୍ଷା ବ୍ୟବସ୍ଥା ବଢାଇବା ସଂକ୍ରାନ୍ତରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।
ଏହା ସହ ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ ଆଦି ଜିଲ୍ଲାରେ ଥିବା ହୋଟେଲ ଗୁଡିକର କଡାକଡ଼ି ଯାଞ୍ଚ କରିବାକୁ ମଧ୍ୟ ଡିଜିପି ନିର୍ଦେଶ ଦେଇଛନ୍ତି। ନିୟମିତ ବ୍ୟବଧାନରେ ହୋଟେଲ ଗୁଡିକର ଯାଞ୍ଚ, ଅତିଥିଙ୍କ ସମ୍ପୂର୍ଣ୍ଣ ବିବରଣୀ ସମ୍ପର୍କରେ ସମସ୍ତ ତଥ୍ୟ ପୋଲିସ ନିକଟରେ ରହିବା ଆବଶ୍ୟକ ଏବଂ ଏହାର ସଠିକ ତଦାରଖ କରିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।
ଏହା ସହ ସହରଗୁଡିକରେ ସିସିଟିଭି ବ୍ୟବସ୍ଥାର ସୁପରିଚାଳନା, ଟ୍ରାଫିକ ବନ୍ଦୋବସ୍ତକୁ ଶୃଙ୍ଖଳିତ କରିବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। କୌଣସି ପ୍ରକାର ଅଘଟଣକୁ ଏଡାଇବା ପାଇଁ ସବୁବେଳେ ପ୍ରସ୍ତୁତ ଓ ସଜାଗ ରହିବାକୁ ଡିଜିପି ପରାମର୍ଶ ଦେଇଛନ୍ତି।
ଉକ୍ତ ବୈଠକରେ (ଗୁଇନ୍ଦା) ନିର୍ଦ୍ଦେଶକ, ଶ୍ରୀ ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ପୋଲିସ କମିଶନର (କଟକ-ଭୁବନେଶ୍ବର), ଶ୍ରୀ ଏସ. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଦୟାଲ ଗଙ୍ଗୱାର, ଅତିରିକ୍ତ ପୋଲିସ କମିଶନର (କଟକ-ଭୁବନେଶ୍ବର), ଡ଼. ଉମାଶଙ୍କର ଦାଶ, ଡି. ଆଇ. ଜି (କେନ୍ଦ୍ରାଞ୍ଚଳ) ଶ୍ରୀ ଚରଣ ସିଂ ମିନା, ଡିସିପି (ଭୁବନେଶ୍ବର), ଶ୍ରୀ ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।