ଆଇସିଏଚଆର୍ ଆନୁକୂଲ୍ୟରେ ସମ୍ବଲପୁର କୁଦୋପାଲି ର ଇତିହାସ ଉପରେ ଗବେଷଣା କରିବ ଶିକ୍ଷା ବିଭାଗ, ଧର୍ମେନ୍ଦ୍ର ପ୍ରଧାନ

0
244
ଇଂରାଜୀ ନୂଆବର୍ଷର ପ୍ରଥମ ଦିନରୁ ଭାରତ ସରକାରଙ୍କ ଶିକ୍ଷା ବିଭାଗ ଆଇସିଏଚଆର୍ ମାଧ୍ୟମରେ କୁଦୋପାଲିର ଇତିହାସ ଉପରେ ଗବେଷଣା କରିବ । ଆଗାମୀ ଦିନରେ ଏହି ଘଟଣାବଳୀକୁ ଏକ ପୂର୍ଣ୍ଣାଙ୍ଗ ପୁସ୍ତକର ରୂପ ଦେବା ପାଇଁ ଯୋଜନା କରାଯିବ ବୋଲି ଶନିବାର ସମ୍ବଲପୁର ଜିଲ୍ଲା କୁଦୋପାଲି ଠାରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ ପକ୍ଷରୁ ବୀର ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent

SAMBALPUR/BHUBANESWAR:   ଇଂରାଜୀ ନୂଆବର୍ଷର ପ୍ରଥମ ଦିନରୁ ଭାରତ ସରକାରଙ୍କ ଶିକ୍ଷା ବିଭାଗ ଆଇସିଏଚଆର୍ ମାଧ୍ୟମରେ କୁଦୋପାଲିର ଇତିହାସ ଉପରେ ଗବେଷଣା କରିବ । ଆଗାମୀ ଦିନରେ ଏହି ଘଟଣାବଳୀକୁ ଏକ ପୂର୍ଣ୍ଣାଙ୍ଗ ପୁସ୍ତକର ରୂପ ଦେବା ପାଇଁ ଯୋଜନା କରାଯିବ ବୋଲି ଶନିବାର ସମ୍ବଲପୁର ଜିଲ୍ଲା କୁଦୋପାଲି ଠାରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ ପକ୍ଷରୁ ବୀର ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେହିପରି କୁଦୋପାଲିକୁ ଏକ ଜାତୀୟ ସ୍ତରର ରମଣୀୟ ପ୍ରେରଣାର ତୀର୍ଥ କ୍ଷେତ୍ର ଭାବରେ ଗଢି ତୋଳିବା ପାଇଁ ଆମ ସମସ୍ତଙ୍କର ଉଦ୍ୟମ ଜରୁରୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ବୀର ଛବିଳ ସାଏଙ୍କ ୧୬୬ତମ ବଳିଦାନ ଦିବସ ପାଳନ କରୁଥିବାରୁ ସ୍ଥାନୀୟ ଯୁବବର୍ଗଙ୍କୁ ଧନ୍ୟବାଦ ଜଣାଇବା ସହ ସେ କହିଛନ୍ତି ଯେ ଓଡ଼ିଶାର ସ୍ୱତନ୍ତ୍ରତା ସଂଗ୍ରାମର ଅନେକ ଅକୁହା କଥା ଓ ଗାଥା ଅଛି । ଇତିହାସ ପୃଷ୍ଠାରେ ଅନାଲୋଚିତ ଅଜଣା ନାୟକ ମାନଙ୍କୁ ଖୋଜି ସେମାନଙ୍କୁ ରାଷ୍ଟ୍ରୀୟ ସ୍ତରରେ ପରିଚିତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି । ଅନାଲୋଚିତ ସଂଗ୍ରାମୀଙ୍କ ବୀରଗାଥାକୁ ଲୋକଲୋଚନକୁ ଆଣିବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି । 

ସେହିଭଳି ଭାବେ ୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟି ଦାୟିତ୍ୱରେ ଥିବା ତୁଙ୍ଗବୀର ଛବିଳ ସାଏ ବ୍ରିଟିଶ ମାନଙ୍କ ସହ ଅଦମ୍ୟ ସାହସର ସହ ଲଢି ସେ ସେ ଏବଂ ତାଙ୍କର ୫୩ ସହଯୋଗୀ ସଂଗ୍ରାମୀ ଶହୀଦ ହୋଇଥିଲେ ଓ ୪ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଥିଲା ।  ଆଜି ମଧ୍ୟ ଲୋକମୁଖରେ ଉଚ୍ଚାରିତ ହୁଏ, “ଉଲି… ଉଲି… ଉଲି…, ଛବିଲ୍ ସାଏ ଦିହେ ବାଜଲା ଗୁଲି, କୁଦୋପାଲିର୍ ମଝା ଖୁଲି” ।

ଏହା ଲୋକ ଅଭିବ୍ୟକ୍ତି ଓ କୁଦୋପାଲି ଅଞ୍ଚଳର ସ୍ୱାଭିମାନର ବଡ ପରିଚୟ । ଆଇସିଏଚଆର ଆନୁକୂଲ୍ୟରେ ଏହି ଘଟଣାବଳୀର ଗବେଷଣା କରାଯିବା ସହ ଏକ ପୂର୍ଣ୍ଣାଙ୍ଗ ପୁସ୍ତକର ରୂପ ଦିଆଯିବ । କୁଦୋପାଲି ଗାଁର ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଶହୀଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ଛବିଳ ସାଏ ଓ ତାଙ୍କ ସହଯୋଗୀଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନାହିଁ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମାତୃଭୂମିର ସୁରକ୍ଷା ପାଇଁ ଉଦନ୍ତ ସାଏ, ଧ୍ରୁବ ସାଏ , ଉଜ୍ଜଳ ସାଏ, ଛବିଳ ସାଏ, ଯାଜ୍ଜଳ ସାଏ, ମେଦିନୀ ସାଏ, କୋଲାବିରା ଜମିଦାର କରୁଣାକର ସିଂହ ନାଏକ, ଘେଁସ ଜମିଦାର ପରିବାରର ମାଧୋ ସିଂହ, କୁଞ୍ଜଲ ସିଂହ, ଐରୀ ସିଂହ, ବୈରୀ ସିଂହ ଓ ହଟେ ସିଂହଙ୍କ ଅବଦାନ ଅତୁଳନୀୟ । ୧୮୫୭ ପୂର୍ବରୁ ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଓଡିଆ ଜାତି ଦେଶର ପ୍ରଥମ ସଂଗଠିତ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମ ଲଢିଥିଲା ।  ଏହି ସଂଗ୍ରାମୀଙ୍କ ତ୍ୟାଗ ପାଇଁ ଆଜି ଆମ ଦେଶ ଭାରତ ମହାଶକ୍ତି ଭାବେ ନିଜକୁ ପ୍ରତିପାଦିତ କରିପାରିଛି । ଭାରତର ଯୁବକଙ୍କ ପରିଶ୍ରମ ବଳରୁ ଆମ ଦେଶ ଗୌରବର ଅର୍ଜନ କରିଛି । ଆଗାମୀ ୨୫ ବର୍ଷ ଦେଶ ପାଇଁ ବୀର ସୁରେନ୍ଦ୍ର ସାଏ ଓ ଛବିଳ ସାଏଙ୍କୁ ସ୍ମୃତିଚାରଣ କରି ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବାର ସଂକଳ୍ପ ନେବା ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ କୁଦୋପାଲି ଘାଟିରେ ଶହୀଦ ହୋଇଥିବା ବୀର ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ଆୟୋଜିତ ପଦଯାତ୍ରାରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଦେବା ସହ ମଶାଲ ଜାଳିଥିଲେ । ମା’ ଓ ମାଟି ପାଇଁ ସଂଗ୍ରାମ କରି ଯେଉଁ ମାଟିରେ ଆମର ବୀର ସନ୍ତାନ ମାନେ ବୀରଗତି ପ୍ରାପ୍ତ କଲେ, ଫାଶୀ ଦଣ୍ଡ ପାଇଲେ ସେହି ରଣଭୂମି କୁଦୋପାଲି ଆମର ତ୍ୟାଗ ଓ ବୀରତ୍ୱର ପ୍ରତୀକ । ଏହି ବୀର ଶହୀଦ ମାନଙ୍କ ତ୍ୟାଗ, ନିଷ୍ଠା ଓ  ପରାକ୍ରମ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । 

ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଥିଲେ । ସେ କହିଥିଲେ ଓଡ଼ିଆ ଜାତି ସାହସୀ । ପାଇକ ବିଦ୍ରୋହ ତା’ର ଏକ ଜ୍ୱଳନ୍ତ ଉଦାହରଣ । ଓଡ଼ିଆ  ଜାତି କେବେ ପରାଧୀନତାକୁ ସ୍ୱୀକାର କରିନାହିଁ । ବୀର ସୁରେନ୍ଦ୍ର ସାଏ ଓ ଛବିଳ ସାଏଙ୍କ ବଳିଦାନ ଆମ ସମସ୍ତଙ୍କ ପାଇଁ ଅବିସ୍ମରଣୀୟ । ଦେଶକୁ ନିର୍ମାଣ କରିବାକୁ ହେବେ ଜାତିପ୍ରେମର ଆବଶ୍ୟକତା ରହିଛି ବୋଲି ଶ୍ରୀ ହରିଚନ୍ଦନ କହିଥିଲେ ।

LEAVE A REPLY

Please enter your comment!
Please enter your name here