‘ଆଇଏସବି ଇନସାଇଟ୍ସ ଫୋରମ’ରେ ଓଡ଼ିଶାର ‘ବୋଇତ ବନ୍ଦାଣ’ର କଥା କହିଲେ କେନ୍ଦ୍ରମନ୍ତ୍ରୀ, ‘ବୋଇତ ବନ୍ଦାଣ’ ଅନ୍ୱେଷଣ ଏବଂ ଉଦ୍ୟୋଗୀ ଭାବନାର ଅନନ୍ୟ ଉତ୍ସବ – ଧର୍ମେନ୍ଦ୍ର ପ୍ରଧାନ

0
80

By Our Correspondent

BHUBANESWAR:  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମାର ପବିତ୍ର ଦିବସରେ ହାଇଦ୍ରାବାଦ ସ୍ଥିତ ଇଣ୍ଡିଆନ ସ୍କୁଲ୍ ଅଫ୍ ବିଜନେସ କ୍ୟାମ୍ପସ ପରିସରରେ ଆୟୋଜିତ “ଆଇଏସବି ଇନସାଇଟ୍ସ ଫୋରମ – ୨୦୨୪”ରେ ଯୋଗଦେଇ କାର୍ତ୍ତିକ ପୂର୍ଣ୍ଣିମା ଏବଂ ଓଡ଼ିଶାରେ ପାଳିତ ହେଉଥିବା ବୋଇତ ବନ୍ଦାଣ ଉତ୍ସବର ମାହାତ୍ମ୍ୟ ଉପରେ ଆଲୋକପାତ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କାର୍ତ୍ତିକ ପୂର୍ଣ୍ଣିମାର ଅନେକ ମହତ୍ତ୍ୱ ରହିଛି । ସମଗ୍ର ଭାରତରେ ଏହାକୁ ବିଭିନ୍ନ ଢଙ୍ଗରେ ପାଳନ କରାଯାଇଥାଏ । ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମାକୁ ‘ବୋଇତ ବନ୍ଦାଣ’ ଭାବରେ ପାଳନ କରାଯାଇଥାଏ । ଆମର ସମୃଦ୍ଧ ସାମୁଦ୍ରିକ ନୌବାଣିଜ୍ୟ ଇତିହାସକୁ ସ୍ମରଣ କରିବା ସହ ସାଧବ ପୁଅଙ୍କୁ ସମ୍ମାନ ଜଣାଇବାର ଏହା ମହାନ ଅବସର । କାର୍ତ୍ତିକ ପୂର୍ଣ୍ଣିମା ପ୍ରାଚୀନ ଉତ୍କଳର ସମୃଦ୍ଧ ସାଧବ ସଂସ୍କୃତି ଓ ବର୍ଣ୍ଣାଢ଼୍ୟ ବୋଇତ ବନ୍ଦାଣ ଆମ ପରମ୍ପରାର ଦୃଢ଼ ଗୌରବଗାଥା ।  ବୋଇତ ବନ୍ଦାଣ ହେଉଛି ଅନ୍ୱେଷଣ ଏବଂ ଉଦ୍ୟୋଗୀ ଭାବନାର ଏକ ଅନନ୍ୟ ଉତ୍ସବ  ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆଜି ସାରା ବିଶ୍ୱ ଭାରତକୁ ବୃହତ ଭରସା ଦୃଷ୍ଟିରେ ଦେଖୁଛି । ଭାରତର ଉଦ୍ୟମିତା କ୍ଷମତା ଏବଂ ବୌଦ୍ଧିକ ଦକ୍ଷତା ବିଶ୍ୱର ଅଭିବୃଦ୍ଧି ଇଞ୍ଜିନ୍ ଭାବେ କାର୍ଯ୍ୟ କରିବ । ‘ଅମୃତ କାଳ’ର ଏହି ୨୫ ବର୍ଷ କେବଳ ଭାରତ ପାଇଁ ନୁହେଁ, ସାରା ବିଶ୍ୱ ପାଇଁ ଗେମ୍ ଚେଞ୍ଜର ହେବ । ତେଣୁ ଏହି ସମୟରେ ଆମର ଦାୟିତ୍ୱ ଅଧିକ ।

ସେ ଆହୁରି କହିଛନ୍ତି ଯେ ଶିକ୍ଷା ହେଉଛି ସମସ୍ତ ସଭ୍ୟତାର ଆବଶ୍ୟକତାକୁ ପୂରଣ କରିବାର ଜନନୀ । ତେଣୁ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ଏକବିଂଶ ଶତାବ୍ଦୀର ସ୍ଥାନୀୟ ଏବଂ ବିଶ୍ୱସ୍ତରୀୟ ଆକାଂକ୍ଷାକୁ ସାକାର କରିବାର ଏକ ଉତ୍ତମ ମାର୍ଗ ଅଟେ । ଏ ଦିଗରେ ଆମକୁ ମିଳିତ ଭାବେ କାମ କରିବା ପାଇଁ ସେ ଆହ୍ୱାନ କରିଛନ୍ତି ।

ଲୋକକଲ୍ୟାଣକୁ ବ୍ୟାପକ କରିବା ଦିଗରେ ଗବେଷଣା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଆଗାମୀ ଦିନରେ ଭାରତର ଆବିର୍ଭାବ ଓ ପ୍ରଭାବର ସ୍ତମ୍ଭ ହେବ ଜ୍ଞାନ କ୍ଷେତ୍ର । ଅନ୍ୟପକ୍ଷେ ଇଣ୍ଡିଆନ ସ୍କୁଲ୍ ଅଫ୍ ବିଜନେସ ନିଜର ଦୁଇ ଦଶନ୍ଧିର ଯାତ୍ରା ମଧ୍ୟରେ ଅନେକ ଉତ୍କର୍ଷତା ହାସଲ କରିଛି । ଇଣ୍ଡିଆନ ସ୍କୁଲ୍ ଅଫ୍ ବିଜନେସ ଭାରତକୁ ବିଶ୍ୱର ଏକ ଦକ୍ଷତା କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିବା ଉଚିତ୍ ।

ଗ୍ରାମୀଣ ବିକାଶ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, କର୍ପୋରେଟ୍ ଗଭର୍ଣ୍ଣାନ୍ସ, ଏଆଇ ଭଳି ଅଣ-ଷ୍ଟେମ୍ କ୍ଷେତ୍ରରେ ଗବେଷଣା ବିଷୟବସ୍ତୁକୁ ସାଧାରଣ ଉଦ୍ଦେଶ୍ୟ ପ୍ରଯୁକ୍ତି ବିଦ୍ୟା ଭାବରେ ଗୁରୁତ୍ୱ ଦିଆଯାଉଥିବାରୁ ଆଇଏସବି ଇନସାଇଟ୍ସ ଫୋରମ୍ ସମାଧାନ-କେନ୍ଦ୍ରୀତ-ଗବେଷଣା, ଉଦ୍ଭାବନ ଏବଂ ଉଦ୍ୟୋଗର ସଂସ୍କୃତିରେ ନୂତନ ଦିଗ ଯୋଡିବ ଏବଂ ଭାରତ ଏବଂ ବିଶ୍ୱର ଆକାଂକ୍ଷା ପୂରଣ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ । ଆଇଏସବିର ଗବେଷଣା ପ୍ରୟାସ ଅନ୍ୱେଷଣ, ଉଦ୍ଭାବନ ଏବଂ ଉଦ୍ୟୋଗୀ ଭାବନାକୁ ବଢ଼ାଇବ । ନୂଆ ଆବିଷ୍କାର କରିବା ସହ ‘ଲୋକ କଲ୍ୟାଣ’ରେ ବ୍ରତୀ ରହିବ ବୋଲି ସେ କହିଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here