ଆଇଆଇଟି, ବିଏଚୟୁର ୧୩ତମ ସମାବର୍ତ୍ତନ ସମାରୋହ-ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଶିକ୍ଷା ଯଜ୍ଞରୁ ତିଆରି ହେଉଥିବା ଛାତ୍ରଛାତ୍ରୀମାନେ ଜଣେ ଜଣେ ଅମୃତ, ଚାକିରି କରିବା ଅପେକ୍ଷା ଚାକିରିଦାତା ହେବା ପାଇଁ ଆହ୍ୱାନ କଲେ ଧର୍ମେନ୍ଦ୍ର ପ୍ରଧାନ

0
103

By Our Correspondent

BHUBANESWAR:   ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ । ଚତୁର୍ଥ ଶିଳ୍ପ ବିପ୍ଳବ ସମୟରେ ଭାରତ ପାଖରେ ଦୁନିଆର ଲୋକକଲ୍ୟାଣର ନେତୃତ୍ୱ ନେବା ପାଇଁ ଏକ ଅଭୁତପୂର୍ବ ସୁଯୋଗ ରହିଛି । ଏ ଦିଗରେ ଆଇଆଇଟି, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର ବଡ଼ ଦାୟିତ୍ୱ ନିର୍ବାହ କରିବେ ବୋଲି ଏହି ଶିକ୍ଷାନୁଷ୍ଠାନର ୧୩ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମାବର୍ତ୍ତନ ସମାରୋହ ଜୀବନର ଏକ ଅନନ୍ୟ ମୁହୂର୍ତ୍ତ । ବାରଣାସୀ ସ୍ଥିତ ଆଇଆଇଟି, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ସାମିଲ ହେବା ସୌଭାଗ୍ୟର ବିଷୟ । ସମ୍ମାନ, ଡିଗ୍ରୀ ଏବଂ ପଦକଧାରୀ ବିଦ୍ୟାର୍ଥୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ ବହୁତ ଭାଗ୍ୟବାନ ।

ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଦ୍ୱାରା ଏହି ପବିତ୍ର ସ୍ଥାନରୁ ଆରମ୍ଭ ହୋଇଥିବା ଶିକ୍ଷା ଯଜ୍ଞରୁ ଉତ୍ପନ୍ନ ହୋଇଥିବା ଛାତ୍ରଛାତ୍ରୀମାନେ ଜଣେ ଜଣେ ଅମୃତ ସଦୃଶ । କାଶୀ ଦୁନିଆର ସ୍ୱଳ୍ପ କିଛି ଜୀବନ୍ତ ସହର ମଧ୍ୟରୁ ଅନ୍ୟତମ । କାଶୀ ହେଉଛି ଭାରତର ଦର୍ଶନଶାସ୍ତ୍ର ତଥା ପାଲି, ପ୍ରାକୃତ, ସଂସ୍କୃତ ଏବଂ ତାମିଲ ଭଳି ପୁରାତନ ଭାଷାର ସଂଗମ ଅଟେ । କାଶୀ ଭଳି ଏକ ଜୀବନ୍ତ ସଭ୍ୟତା ସହ ଯୋଡ଼ି ହେବା ଏକ ବଡ଼ ସୌଭାଗ୍ୟର ବିଷୟ ।

ଅନେକ ମହାପୁରୁଷମାନେ କାଶୀକୁ ଆସିଛନ୍ତି । ଆଜି ମାନ୍ୟତା ହାସଲ କରିଥିବା ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସେହି ମହାପୁରୁଷଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି । ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀମାନେ ଚାକିରି କରିବା ଅପେକ୍ଷା ଅନେକଙ୍କୁ ଚାକିରି ଦେବା ଦିଶାରେ କାର୍ଯ୍ୟ କରିବେ ବୋଲି ବିଶ୍ୱାସ ରହିଛି । ଆଗାମୀ ୨୫ ବର୍ଷ ଭାରତର ପ୍ରଗତିର ସୁବର୍ଣ୍ଣ ସମୟ ହେବ ।

ବିଶ୍ୱର ଏକ ନମ୍ବର ଅର୍ଥନୀତିରେ ପରିଣତ ହେବା ଆମ ଦେଶର ଭାଗ୍ୟରେ ଲେଖାଯାଇଛି । ସମଗ୍ର ବିଶ୍ୱ ଆଜି ଭାରତକୁ ବହୁତ ଆଶାର ସହ ଦେଖୁଛି । ସାରା ଦୁନିଆର ସମସ୍ୟାର ସମାଧାନର ସୂତ୍ର କାଶୀ ଓ ଆଇଆଇଟି ବିଏଚୟୁ ଭଳି ଅନୁଷ୍ଠାନ ପାଖରେ ରହିଛି । ନିଜର ବୌଦ୍ଧିକ ଦକ୍ଷତା ବଳରେ ଆମର ଛାତ୍ରଛାତ୍ରୀମାନେ ଭାରତ ଏବଂ ସମଗ୍ର ବିଶ୍ୱର ଆବଶ୍ୟକତା ପୂରଣ କରିବେ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି ।ବାରଣାସୀ ଗସ୍ତ କାଳରେ ଶ୍ରୀ ପ୍ରଧାନ ବାବା ବିଶ୍ୱନାଥ ମନ୍ଦିର ଓ ବାବା କାଳ ଭୈରବ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here