ଅପ୍ରସଙ୍ଗକୁ ପ୍ରସଙ୍ଗ କରି ବିଳିବିଳି ହେଉଛନ୍ତି ବିଜେଡି ନେତା, ଗୋଷ୍ଠୀ କନ୍ଦଳରୁ ଧ୍ୟାନ ହଟାଇବା ପାଇଁ ରାଜଭବନକୁ “ଫୋପଡ” ପକାଉଛି ବିଜେଡି- ଦିଲୀପ ମଲ୍ଲିକ

0
47

By Our Correspondent

BHUBANESWAR:  ୨୪ ବର୍ଷ କ୍ଷମତାରେ ରହିବା ପରେ ଏବେ କ୍ଷମତା ପଳାଇଥିବାରୁ ବିଜେଡି ନେତାଙ୍କର ମତିଭ୍ରମ ହୋଇଗଲାଣି । ସେମାନଙ୍କୁ ସାମାନ୍ୟ ସୌଜନ୍ୟତା ବୁଝାପଡ଼ୁନାହିଁ । ବିଜେଡିରେ ଦିନକୁ ଦିନ ଗୋଷ୍ଠୀକନ୍ଦଳ ତୀବ୍ର ହେବାରେ ଲାଗିଛି ।

ଭୁବନେଶ୍ୱରରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ଦେଖିବାକୁ ମିଳୁଛି । ନେତା ଓ କର୍ମୀମାନେ ଏବେ ଦଳ ଛାଡ଼ିବାରେ ଲାଗିଛନ୍ତି । ଏଥିରୁ ଧ୍ୟାନ ହଟାଇବା ପାଇଁ ବିଜେଡି ଅପ୍ରସଙ୍ଗକୁ ପ୍ରସଙ୍ଗ କରି ବିଳିବିଳି ହେଉଛି ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଏକ ପ୍ରେସ ବିବୃତିରେ ଦର୍ଶାଇଛନ୍ତି ।

ନିଜ ଘରେ ରାଜନୈତିକ ଅଶାନ୍ତିର ଅସନ୍ତୋଷ ଘଟୁଥିବାବେଳେ ରାଜଭବନକୁ “ଫୋପଡ” ପକାଇବାକୁ ବିଜେଡି ପ୍ରୟାସ କରୁଛି । ରାଜ୍ୟପାଳଙ୍କୁ ଅନ୍ୟ ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀ ଭେଟିବା ସୌଜନ୍ୟତା ବା ବ୍ୟକ୍ତିଗତ ସମିଚୀନ ହୋଇପାରେ । ଏହି ସାକ୍ଷାତକୁ ନେଇ ବିଜୁ ଜନତା ଦଳର ଦୁଇ ଜଣ ସାଂସଦ ପ୍ରଶ୍ନ ଉଠାଇବାକୁ ଅସୌଜନ୍ୟତା କୁହାଯିବ ।

ଅତୀତରେ ନବୀନବାବୁଙ୍କୁ ଗୃହବନ୍ଦୀ କରି ଅଣଓଡିଆ ଅଫିସରମାନେ ରାଜ୍ୟରେ ଶାସନ ଚଳାଉଥିଲେ । ସେତେବେଳେ ଏହି କୁହାଳିଆ ସାଂସଦମାନେ ଜଣେ ନିର୍ଦ୍ଦିଷ୍ଟ ଅଣଓଡିଆ ଅଫିସରଙ୍କର “ପାଦଲେହନ” କରୁଥିଲେ । ଏବେ କ୍ଷମତାରୁ ଚାଲିଯିବା ପରେ ସେମାନେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି । ଉକ୍ତ ନେତାମାନେ ସୌଜନ୍ୟତା ଏବଂ ସାମାଜିକ ଜୀବନକୁ ବୁଝନ୍ତି ନାହିଁ । ଯେଉଁଥିପାଇଁ ରାଜ୍ୟପାଳଙ୍କ ସହ ଜଣେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଏବଂ ଆଲୋଚନାକୁ ନେଇ ଏଭଳି  ଅବାନ୍ତର ଓ ଅଯୁକ୍ତିକ ପ୍ରଶ୍ନ କରିଛନ୍ତି ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here