By Our Correspondent
BHUBANESWAR: ସମାଜର ଦୁର୍ବଳ ବର୍ଗର ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେଇ ସେମାନଙ୍କ ଜୀବନ ଧାରଣର ମାନ ପରିବର୍ତ୍ତନ କରିବା ଅନ୍ତୋଦୟ ଗୃହ ଯୋଜନା’ର ମୂଳ ଲକ୍ଷ୍ୟ।
ପ୍ରାକୃତିକ ଅଥବା ମନୁଷ୍ୟକୃତ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପରିବାର, ବିଭିନ୍ନ ସରକାରୀ ପ୍ରକଳ୍ପ ହେତୁ ବିସ୍ଥାପିତ ହୋଇଥିବା ପରିବାର, ଭିନ୍ନକ୍ଷମ ବ୍ୟକ୍ତି ମୁଖ୍ୟ ଉପାର୍ଜନକାରୀ ହୋଇଥିବା ପରିବାର, ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ ପରିବାର ଏବଂ ପ୍ରଚଳିତ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇ ନ ଥିବା ଯୋଗ୍ୟ ପରିବାରବର୍ଗଙ୍କୁ ଏହି ଯୋଜନାରେ ପକ୍କାଘର ଯୋଗାଇ ଦିଆଯିବ।
ଏହି ଯୋଜନାରେ ହିତାଧିକାରୀ, (ଶୌଚାଳୟର ଅଞ୍ଚଳକୁ ହିସାବକୁ ନ ନେଇ) ୨୫ ବର୍ଗ ମିଟର ପରିଧି ବିଶିଷ୍ଟ ପକ୍କା ଘର ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପାଇପାରିବେ। ତିନି ବର୍ଷ ମଧ୍ୟରେ ଏହି ଯୋଜନାରେ ଅନ୍ୟୁନ୍ୟ ୨, ୨୫,୦୦୦ ନୂତନ ପକ୍କା ଘର ମଞ୍ଜୁର କରାଯିବ।
ଅନ୍ତୋଦୟ ଗୃହ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ), ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (PM-JANMAN) ଓ ଅନ୍ୟାନ୍ୟ ସରକାରୀ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ହିତାଧିକାରୀ, ଯେଉଁମାନେ ପ୍ରଥମ କିସ୍ତି ପାଇବାର ୪ ମାସ ଓ ୬ ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରୁଛନ୍ତି, ସେମାନଙ୍କୁ ଯଥାକ୍ରମେ ୨୦ ହଜାର ଟଙ୍କା ଏବଂ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି।
ଏହି ଯୋଜନାରେ ପକ୍କାଘରର ସଂଜ୍ଞାକୁ ସରଳୀକରଣ କରାଯାଇ ଆଜବେସଟସ୍, ଟିଣ ଓ ଟାଇଲ ଛାତଘରକୁ କଚ୍ଚାଘର ରୂପେ ବିବେଚନା କରାଯାଇଛି। କେବଳ ସିମେଣ୍ଟ ଯୋଡେଇ କାନ୍ଥ ସହିତ ଆର.ସି.ସି. ଛାତକୁ ପକ୍କାଘରର ମାନ୍ୟତା ପ୍ରଦାନ କରାଯାଉଛି।
ପରିବାରର ସଂଜ୍ଞାକୁ ମଧ୍ୟ ସରଳୀକରଣ କରାଯାଇ ଯୋଜନାରେ ପରିବାରର ଅର୍ଥ ସ୍ୱାମୀ, ସ୍ତ୍ରୀ, ନିର୍ଭରଶୀଳ ପିତାମାତା ଓ ସନ୍ତାନଙ୍କୁ ବୁଝାଉଛି। ଏହାଦ୍ୱାରା ସୃଷ୍ଟି ହୋଇଥିବା ନୂଆ ପରିବାର ମାନେ ଯୋଜନାରେ ଉପକୃତ ହୋଇ ପାରିବେ। ଏହି ଯୋଜନା ପାଇଁ 7,550 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
























