ଅନୁଗୋଳରେ “ପରିଚୟ : ଜାତୀୟ ଜନଜାତି ମହୋତ୍ସବ”ର ଉଦଘାଟନ

0
247

By Our Correspondent

ANGUL/BHUBANESWAR: ଜନଜାତି ସମାଜ ଆମ ସଭ୍ୟତାର ମୂଳ ସମାଜ । ଜନଜାତି ସମାଜର କଳା, ସଂସ୍କୃତି,  ସଂସ୍କାର, ଚାଲିଚଳଣୀ, ପରମ୍ପରା, ନୃତ୍ୟ, ସଙ୍ଗୀତ,  ଖାଦ୍ୟପେୟ, ବେଶପୋଷାକର ନିଜସ୍ୱ ପରିଚୟ ରହିଛି ବୋଲି ଶୁକ୍ରବାର ଅନୁଗୋଳ ଜିଲ୍ଲାର ନାଲକୋ ନଗର ଠାରେ “ପରିଚୟ : ଜାତୀୟ ଜନଜାତି ମହୋତ୍ସବ”ର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସ-ପରିଚୟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ୬୨ଟି ଜନଜାତି ସମୁଦାୟ, ୨୧ ଟି ଜନଜାତି ଭାଷା, ୭୪ ଟି ଉପଭାଷା ଓ ୭ ଟି ଜନଜାତୀୟ ଲିପିର ଗୌରବ ହାସଲ କରିବାରେ ଓଡ଼ିଶା ହେଉଛି ସାରା ବିଶ୍ୱରେ ଏକ ଅନ୍ୟତମ ରାଜ୍ୟ ।

 ଆଦିବାସୀ ସମାଜ ସରଳ, ନିଷ୍କପଟ୍ଟ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ଓଡ଼ିଶାର ଜନଜାତି ସମାଜର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦବୀରେ ଅଭିସିକ୍ତ ହୋଇ ବିଶ୍ୱର ଗୌରବ ବଢାଉଛନ୍ତି । ଦେଶରେ ଜନଜାତି ନେତୃତ୍ୱକୁ ପ୍ରତିନିଧିତ୍ୱ କରାଇବାରେ ମୋଦି ସରକାର ଅଗ୍ରଣୀ ।

 ଜନଜାତି ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଉଛି । ନୂଆ ସଂସଦ ଭବନରେ ଜନଜାତି ସଂସ୍କୃତିର ପ୍ରତିଫଳନ ହୋଇଛି । ଏବେ ସ୍ୱାଧୀନତା ଦିବସରେ ମଧ୍ୟ ପ୍ରଧାନମନ୍ତ୍ରୀ ଜନଜାତି ସମାଜ ଉପରେ ଉଲ୍ଲେଖ କରିଛନ୍ତି ।

 ପ୍ରଧାନମନ୍ତ୍ରୀ ମୋଦି ଭାରତର  ପାରମ୍ପରିକ କାରିଗର, ହସ୍ତଶିଳ୍ପୀ ଏବଂ କୌଳିକ ବୃତ୍ତିଧାରୀ ମାନଙ୍କ ନିମନ୍ତେ ପି.ଏମ୍ – ବିଶ୍ୱକର୍ମା ଯୋଜନାକୁ ମଞ୍ଜୁର କରିଛନ୍ତି । ଏ ଦିଗରେ ଜନଜାତି ସମାଜ ମଧ୍ୟ ମୋଦି ସରକାରରେ ଅଗ୍ରାଧିକାରରେ ଅଛି ।

ସେହିପରି ଗତକାଲି ଜନଜାତି ସମାଜର ବହୁ ପରାତନ ଭାଷା ‘କୁଓ୍ୱି’ ଓ ‘ଦେଶୀଆ’ ଭାଷାରେ ପିଲା ମାନଙ୍କ ପାଇଁ ବର୍ଣ୍ଣମାଳା ଆଧାରିତ ଭାଷା ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏହା ଦ୍ୱାରା ଜନଜାତି ଭାଷା ସହ ଓଡ଼ିଆ ଭାଷା ସାଙ୍ଗରେ ସେତୁ ତିଆରି କରିବାର ନୂଆ ଅଧ୍ୟାୟ ଆରମ୍ଭ ହେଲା ।

ଜନଜାତି ସମାଜର ପରିଶ୍ରମରେ ନାଲକୋର ଅର୍ଥନୀତି ଚାଲେ । ନାଲକୋକୁ ସେମାନଙ୍କ ଦାୟିତ୍ୱ ନେବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେବା ସହ ଜାତୀୟ ଜନଜାତି ମହୋତ୍ସବର ସଫଳତା କାମନା କରିଛନ୍ତି । ଏହି ଅବସରରେ ଜନଜାତି ଭାଇ ଭଉଣୀଙ୍କ ଦ୍ୱାରା କେନ୍ଦ୍ରମନ୍ତ୍ରୀଙ୍କୁ ପାରମ୍ପରିକ ଶୈଳୀରେ ଭବ୍ୟ ସ୍ୱାଗତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here