ଅଣଓଡ଼ିଆଙ୍କ ଚକ୍ରବ୍ୟୁହରେ ଓଡ଼ିଆ, ଓଡ଼ିଆ ଯୁବକ, ଉଦ୍ୟୋଗପତି, ବ୍ୟବସାୟୀଙ୍କ ବିରୋଧରେ ଷଡ଼ଯନ୍ତ୍ର, ଅଣଓଡ଼ିଆଙ୍କ ଦୌରାତ୍ମକୁ ଆଉ ବରଦାସ୍ତ କରାଯିବନି- କଳିଙ୍ଗ ସେନା ଦଳର ସୁପ୍ରମୋ ହେମନ୍ତ ରଥ

0
280

By Our Correspondent

BHUBANESWAR:  ଓଡ଼ିଆ ମାନେ ଆଜି ସଙ୍କଟରେ । ଓଡ଼ିଆ ଯୁବକ କୁହନ୍ତୁ, ଓଡ଼ିଆ କଣ୍ଟ୍ରାକ୍ଟର, ଓଡ଼ିଆ ବ୍ୟବସାୟ, ଓଡ଼ିଆ ବିଲଡର,ଓଡ଼ିଆ ସପ୍ଲାୟର,ଓଡ଼ିଆ ମାନେ କରିଥିବା ଶିକ୍ଷାନୁଷ୍ଠାନ ଏବଂ ସର୍ବୋପରି ଓଡ଼ିଆ କ୍ଷୁଦ୍ର ବ୍ୟବସାୟୀ ଓ ଓଡ଼ିଆ ଭାଷା ମଧ୍ୟ ଆଜି ସଙ୍କଟରେ । କିଛି ମୁଷ୍ଟିମେୟ ଅଣଓଡ଼ିଆଙ୍କ ଚକ୍ରାନ୍ତରେ ଓଡ଼ିଆ ଅସ୍ମିତା ଆଜି ସମ୍ପୂର୍ଣ୍ଣ ବିପଦରେ । ଦୀର୍ଘ ଅଢ଼େଇ ଦଶନ୍ଧି ଧରି ଓଡ଼ିଆଙ୍କ ଭାଗ୍ୟ ସେହି ମୁଷ୍ଟିମେୟ ଅଣଓଡ଼ିଆଙ୍କ ନିୟନ୍ତ୍ରଣରେ ରହି ଆସିଛି ।

ଓଡ଼ିଶା ମାଟିରୁ ଖଣି, ପାଣି ଲୁଟି ସଂପୃକ୍ତ ଅଣଓଡ଼ିଆମାନେ ଓଡ଼ିଶାର ବିକାଶରେ ବାଧକ ସାଜିଛନ୍ତି । ନିଜ ଜନ୍ମମାଟିରେ ଯେଉଁ ଓଡ଼ିଆ ଉପରକୁ ଉଠିବାକୁ ଚେଷ୍ଟା କରିଛି ତା’ର ସର୍ବନାଶ ହୋଇଛି । ସରକାର ଓ ଶାସନକଳକୁ ହାତବାରିସୀ କରି ଓଡ଼ିଆଙ୍କ ବିନାଶ କରିବାରେ ଲାଗିଛନ୍ତି ଅଣଓଡ଼ିଆ । ଓଡ଼ିଆଙ୍କୁ ଭାଗ ଭାଗ କରିବାକୁ ସେମାନେ ଚକ୍ରାନ୍ତ ଚଳାଇଛନ୍ତି । ସ୍ବାଭିମାନୀ ଓଡ଼ିଆଙ୍କୁ ଅଣଓଡ଼ିଆଙ୍କ ଦାସତ୍ଵ ସ୍ବୀକାର କରିବାକୁ ବାଧ୍ୟ କରାଯାଉଛି । ତେବେ ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ । ଓଡ଼ିଆଙ୍କ ତଣ୍ଟିରେ କଣ୍ଟା ସାଜିଥିବା ଅଣଓଡ଼ିଆଙ୍କୁ ଏଠାରୁ ବଳପ୍ରୟୋଗ କରି ହଟାଇ ଦିଆଯିବ । ଆଗାମୀ ଦିନରେ ଏହି ଅଭିଯାନରେ ସ୍ବାଭିମାନୀ ଓଡ଼ିଆମାନେ ସାମିଲ ହେବାକୁ କଳିଙ୍ଗ ସେନା ଦଳର ସୁପ୍ରମୋ ହେମନ୍ତ ରଥ ଅନୁରୋଧ କରିଛନ୍ତି ।

ଆଜି ଭୁବନେଶ୍ବରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରଥ ଓଡ଼ିଆ ଜାତି କିଭଳି ସଙ୍କଟରେ ପଡ଼ିଛି ତାହା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଓଡ଼ିଆ ଯୁବକ, ଉଦ୍ୟୋଗପତି, ବ୍ୟବସାୟୀ, ବିଲଡର, ଠିକାଦାରମାନଙ୍କ ସ୍ବାର୍ଥରକ୍ଷା ବଦଳରେ ଓଡ଼ିଶା ସରକାର ଅଣଓଡ଼ିଆ ଉଦ୍ୟୋଗପତି, ଖଣି ବ୍ୟବସାୟୀ ଇତ୍ୟାଦିଙ୍କ ସ୍ବାର୍ଥରକ୍ଷାକୁ ଅଧିକ ଗୁରୁତ୍ଵ ଦେଇ ଆସୁଛନ୍ତି । ଓଡ଼ିଆ ଉଦ୍ୟୋଗୀଙ୍କୁ ବରବାଦ କରିବାର ଷଡ଼ଯନ୍ତ୍ରରେ କିଛି ମୁଷ୍ଟିମେୟ ଅଣ ଓଡ଼ିଆ ସରକାର ଏବଂ ପ୍ରଶାସନକୁ ଧରି ଲାହଗିପଡିଛନ୍ତି । ବିଭିନ୍ନ ଆଳରେ ସେମାନଙ୍କ ଉପରେ ଦାଉ ସାଧ୍ଵଛନ୍ତି ।

ଏହାର ଅନେକ ଉଦାହରଣ ଅତୀତରେ ଦେଖିବାକୁ ମିଳିଛି । ୬ ଜଣ ସୁପରକ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ଜେଲ୍ ରେ ପୂରା ଯାଇଥିଲା । ହାଇଟେକ୍ ଗ୍ରୁପ୍ ମାଲିକ ତିରୁପତି ପାଣିଗ୍ରାହୀ, ମେଟ୍ରୋ ବିଲଡର୍ସ ମାଲିକ ପିୟୂଷ ମହାନ୍ତି, ସମ୍ ହସ୍ପିଟାଲ୍ ମାଲିକ ମନୋଜ ନାୟକଙ୍କୁ ଗିରଫ କରାଯାଇଥିଲା । ଖଣି ବ୍ୟବସାୟ ସହ ସଂପୃକ୍ତ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ତାଙ୍କ ଭାଇ ଖଣି ବ୍ୟବସାୟୀ ଡି.ଆର.ପଟ୍ଟନାୟକ, ଫାଲକନ୍ ଗ୍ରୁପ୍ ଅଧ୍ୟକ୍ଷ ତାରା ପଟ୍ଟନାୟକ, ଜେଡ୍ ଇଷ୍ଟେଟ୍ ମାଲିକ ତପନ ମହାନ୍ତି, ଡିଏନ୍ ଗ୍ରୁପ୍ ମାଲିକ ଜଗଦୀଶ ନାୟକ, ବଣିକ୍ କୋଚିଂ ଶିକ୍ଷାନୁଷ୍ଠାନ ମୁଖ୍ୟ ସୁବ୍ରତ ଛାଟୋଇଙ୍କ ଘର ଓ ଅଫିସରେ ଆଇଟି ରେଡ୍ ହୋଇଥିଲା । ଇଷ୍ଟର୍ଣ୍ଣ ମିଡିଆ ଅଧ୍ଯକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଫିସ୍ ଉପରେ କ୍ରାଇମବ୍ରାଞ୍ଚ ରେଡ୍ କରାଯାଇ ତାଙ୍କୁ ହୀନସ୍ତା କରାଯାଇଥିଲା ।

ଶ୍ରୀ ରଥ ଆହୁରି କହିଛନ୍ତି ଯେ ଓଡ଼ିଶାରେ ଉଦ୍ୟୋଗ ପ୍ରତିଷ୍ଠା କରିବା କିମ୍ବା କୌଣସି ବ୍ୟବସାୟ କରିବା ପାଇଁ ଶିକ୍ଷିତ ଓଡ଼ିଆ ଯୁବକମାନେ ଡରିଲେଣି । ସର୍ବୋପରି ସେମାନଙ୍କ ପାଇଁ ଏଠି ଆଉ ସୁଯୋଗ ନାହିଁ । ଯେମିତି କି କୋଇଲା ଖଣି ଅଞ୍ଚଳ ଅଣଓଡ଼ିଆଙ୍କ ଦଖଲକୁ ଚାଲିଗଲାଣି । ସରକାରଙ୍କ ଅନୁଗ୍ରହରେ ଅଣଓଡ଼ିଆମାନେ ବଡ଼ ବଡ଼ ପ୍ରକଳ୍ପ ନିମନ୍ତେ ଏଠି ମାଗଣା/ ରିହାତି ଦରରେ ଜମି ହାତେଇ ପରବର୍ତ୍ତୀ ସମୟରେ ଏହାକୁ ନିଜର ବ୍ୟକ୍ତିଗତ ବ୍ୟବସାୟରେ ଲଗାଉଛନ୍ତି ।

ପ୍ରକଳ୍ପ ଘୋଷଣାର ବର୍ଷକ ପୂର୍ବରୁ ସରକାରୀ ଅଧିକାରୀଙ୍କ ସଲାସୁତୁରାରେ ସେମାନେ ଜମି କିଣି ଏଭଳି ବେପାର କରୁଛନ୍ତି । ସେହିଭଳି ଆମ ରାଜ୍ୟର ସବୁସ୍ତରରେ ସବୁ କାମରେ ଅଣଓଡ଼ିଆ ସପ୍ଲାୟର୍ ଙ୍କ ରାଜ୍ ଚାଲିଛି । ଏହି ସୁଯୋଗରେ ରାଉରକେଲା, ଝାରସୁଗୁଡ଼ା, ପାରାଦ୍ବୀପ, ତାଳଚେର, ସୁନ୍ଦରଗଡ଼, କେନ୍ଦୁଝର ଏପରିକି ଭୁବନେଶ୍ବର ଆଦି ସହରରେ ଅଣଓଡ଼ିଆ ବ୍ୟବସାୟୀଙ୍କ ଦୌରାମ୍ୟ ବଢ଼ିଯାଇଛି । ସେହି ସହରଗୁଡ଼ିକ ଅଣଓଡ଼ିଆ ବ୍ୟବସାୟୀଙ୍କ କବଜାକୁ ଚାଲିଯାଇଛି କହିଲେ ଚଳେ । ସେଠାରେ ଓଡ଼ିଆଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଅଣଓଡ଼ିଆଙ୍କ ସଂଖ୍ୟା ବଢ଼ି ଚାଲିଛି ।

ଏଥିଯୋଗୁଁ ଓଡ଼ିଆମାନଙ୍କ ଭବିଷ୍ୟତ ଅସୁରକ୍ଷିତ ହୋଇପଡ଼ିଛି । ସେମାନଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସଙ୍କୁଚିତ ହୋଇଚାଲିଛି । ଏସବୁ ସତ୍ତ୍ୱେ, ରାଜ୍ୟ ସରକାରଙ୍କ ସେଥ୍ୟପ୍ରତି ନିଘା ନାହିଁ । ଏହା କି ପ୍ରକାର ଓଡ଼ିଆ ଅସ୍ମିତା ବୋଲି କଳିଙ୍ଗ ସେନା ଦଳର ସୁପ୍ରମୋ ଶ୍ରୀ ରଥ ପ୍ରଶ୍ନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ, ଦଳର ସାଧାରଣ ସମ୍ପାଦକ ଇଂ ମନୋଜ ନାୟକ,ହିମାଂଶୁ ନାୟକ, ଇଂ ସ୍ଵତୀଶ ରଞ୍ଜନ ସାହୁ ଏବଂ ମୋନାଲିଶା ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।

 

 

LEAVE A REPLY

Please enter your comment!
Please enter your name here