By Our Correspondent
BHUBANESWAR:୨୪ ବର୍ଷ କାଳ ଓଡିଶା ଲୋକଙ୍କୁ ମିଛ କହି ଠକିବା ପରେ ବି ବୋଧ ହୁଏ ବିଜୁ ଜନତା ଦଳର ମନ ବୁଝିଲା ନାହିଁ ଆଜି ସେମାନେ ପୁଣି ମିଛ କହିବାର ଅପଚେଷ୍ଟା କରୁଛନ୍ତି । ଯେଉଁମାନେ ସରକାରରେ ଲମ୍ବା ସମୟ ରହିବା ପରେ ବି ମହାନଦୀରେ କେନାଲଟିଏ କରିପାରିଲେ ନାହିଁ , ବନ୍ଧଟିଏ ବାନ୍ଧି ପାରିଲେ ନାହିଁ ସେମାନେ ଆଜି ମହାନଦୀ ପାଇଁ ଉଦ୍ବେଗ ପ୍ରକାଶ କରିବା ହାସ୍ୟାସ୍ପଦ । ପ୍ରଥମେ ବିଜୁ ଜନତା ଦଳ ସ୍ପଷ୍ଟ କରୁ ଯେ, ସେମାନେ ଯେଉଁ ଟ୍ରିବ୍ୟୁନାଲ କଥା କହି ଓଡିଶାବାସୀଙ୍କୁ ୨୦୧୮ରୁ ୨୦୨୪, ୬ବର୍ଷ କାଳ ମହାନଦୀ ବିବାଦର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ତାହା ସେମାନେ ପୂରଣ କରିପାରି ନଥିଲେ କାହିଁକି? ଟ୍ରିବ୍ୟୁନାଲ ବାବଦରେ କେବଳ ଓକିଲ ଖର୍ଚ୍ଚ ବାବଦରେ ରାଜ୍ୟ ରାଜକୋଷରୁ ସେତେବେଳେ ୩୦କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ।
ଏହାର ଲାଭ ଓଡିଶା ଲୋକଙ୍କୁ କ’ଣ ମିଳିଲା ତାହା ଟିକେ ବିଜୁ ଜନତା ଦଳ ସ୍ପଷ୍ଟ କଲେ ଭଲ ହୁଅନ୍ତା । ଭାରତ ଇତିହାସରେ କୌଣସି ବି ଆର୍ନ୍ତରାଜ୍ୟ ନଦୀ ବିବାଦର ସମାଧାନ ଟ୍ରିବ୍ୟୁନାଲ ଦ୍ୱାରା ହୋଇପାରିନାହିଁ । ଯାହା ବି ସମାଧାନ ହୋଇଛି କେବଳ ଆପୋଷ ଆଲୋଚନା ମାଧ୍ୟମରେ ହୋଇଛି ।
ଭାରତୀୟ ଜନତା ପାର୍ଟି ସରକାର ଏବେ ଯେତେବେଳେ ମହାନଦୀ ବିବାଦର ସମାଧାନ ପାଇଁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରୁଛନ୍ତି ସେତେବେଳେ ବିଜୁ ଜନତା ଦଳକୁ କାହିଁକି କଷ୍ଟ ହେଉଛି ତାହା ବୁଝା ପଡୁନାହିଁ । ଯେଉଁମାନେ ସରକାରରେ ଥିଲାବେଳେ ମହାନଦୀକୁ ମାରି ଦେବା ପାଇଁ ଚକ୍ରାନ୍ତ କରୁଥିଲେ ସେମାନେ ଏବେ ବିରୋଧୀ ଦଳରେ ବସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବିଜୁ ଜନତା ଦଳର ବନ୍ଧୁମାନେ ଆଶ୍ୱସ୍ତ ରୁହନ୍ତୁ ଯେ, ମହାନଦୀ ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ସରକାର ଓଡିଶାବାସୀଙ୍କୁ ତାଙ୍କ ନ୍ୟାର୍ଯ୍ୟ ଅଧିକାର ଦେବାପାଇଁ ବଦ୍ଧପରିକର ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।

























