୧୯୯୩ରେ ପଦ୍ମପୁରକୁ ଜିଲ୍ଲା କରାଇ ଦେଇନଥିବା ଲୋକମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ, ଧର୍ମେନ୍ଦ୍ର ପ୍ରଧାନ

0
444

By Our Correspondent

 PADMAPUR/BARGARH/BHUBANESWAR: ଭୋଟ୍ ପାଇବା ପାଇଁ ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ମିଛ ଓ ଅସତ୍ୟ କଥା କହୁଛନ୍ତି । ପଦ୍ମପୁରକୁ ଜିଲ୍ଲା କରିବାର ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଯେଉଁମାନେ ଦୀର୍ଘ ୨୨ ବର୍ଷରେ ପଦ୍ମପୁରକୁ ଜିଲ୍ଲା କରିପାରିଲେ ନାହିଁ, ସେମାନେ ୨୦୨୩ରେ ଜିଲ୍ଲା ଗଠନ କରିବା କଥା କହି ପଦ୍ମପୁରବାସୀଙ୍କୁ ଠକୁଛନ୍ତି ବୋଲି ଶନିବାର ପଦ୍ମପୁର ନିର୍ବାଚନମଣ୍ଡଳୀର ଝାରବନ୍ଧ ବ୍ଲକର ଜଗଦଲପୁର ଓ ପଦ୍ମପୁର ଠାରେ ଅନୁଷ୍ଠିତ ବିଶାଳ ଜନସଭା ଓ ରୋଡ ଶୋ’ରେ ସମ୍ବୋଧିତ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଦୀର୍ଘ ୨୨ ବର୍ଷ ହେବ ରାଜ୍ୟର ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ଗତକାଲି ପଦ୍ମପୁରରେ ଅନେକ କିଛି କରିବାର ମିଛ ପ୍ରତିଶ୍ରୁତି ଦେଇଛନ୍ତି । ୨୦୧୯ରେ ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ପଦ୍ମପୁରକୁ ଜିଲ୍ଲା କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଗତକାଲି ୨୦୨୩ରେ ପଦ୍ମପୁରକୁ ଜିଲ୍ଲା କରିବା କଥା କହିଛନ୍ତି । ୧୯୯୩ ମସିହାରେ ଜିଲ୍ଲା ଗଠନ ବେଳେ ପଦ୍ମପୁରକୁ ଜିଲ୍ଲା କରାଇ ଦେଇନଥିବା ଲୋକମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ । ଗତ ୧ ତାରିଖରେ  ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ବର୍ତ୍ତମାନ ରାଜ୍ୟରେ ନୂତନ ଜିଲ୍ଲା ଗଠନ କରିବାର ଯୋଜନା ନାହିଁ ବୋଲି ପବିତ୍ର ବିଧାନସଭା ଗୃହରେ କହିଛନ୍ତି । ତେଣୁ ପଦ୍ମପୁରର ନୀରିହ ଲୋକଙ୍କ ଆଗରେ ମୁଖ୍ୟମନ୍ତ୍ରୀ ଅସତ୍ୟ କହିଲେ ? ମୁଖ୍ୟମନ୍ତ୍ରୀ ପାଇକମାଲକୁ ଏନଏସି କରିବାର କଥା କହୁଥିବା ବେଳେ ୨୨ ବର୍ଷ କଣ କରୁଥିଲେ ?  ମୁଖ୍ୟମନ୍ତ୍ରୀ ଝାରବନ୍ଧରେ ସିଏସି, ଜଳସେଚନ ପ୍ରକଳ୍ପ ବନାଇବା କଥା କହୁଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ ଭୁଲି ଯାଉଛନ୍ତି ସେ ୨୨ ବର୍ଷ ଧରି ଶାସନ କ୍ଷମତାରେ ଅଛନ୍ତି । ଭୋଟ ପାଇବା ପାଇଁ ମୁଖ୍ୟମନ୍ତ୍ରୀ ମିଛ କହିବାକୁ ପଛାଉନାହାନ୍ତି ।

ମୁଖ୍ୟମନ୍ତ୍ରୀ ଭୋଟସର୍ବସ୍ୱ ରାଜନୀତି କରୁଛନ୍ତି । ଦୀର୍ଘ ୨୨ ବର୍ଷ ଧରି କ୍ଷମତାରେ ରହିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ୍ମପୁରର ଆକାଂକ୍ଷା, ସ୍ୱାଭିମାନକୁ ପରିହାସ କରିବା ଶୋଭନୀୟ ନୁହେଁ । ମୁଖ୍ୟମନ୍ତ୍ରୀ ପଦ୍ମପୁରରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ କେଉଁଠି କେଉଁଠି ରେଳ ଷ୍ଟେସନ ହେବାର ପ୍ରଶ୍ନ ପଚାରୁଛନ୍ତି । କିନ୍ତୁ ଏ ବିଷୟରେ ସେ ଅନଭିଜ୍ଞ ଅଛନ୍ତି । ପଦ୍ମପୁରରେ ନିଜେ ରେଳ ଲାଇନ କରିବାର ମିଛ ହୋର୍ଡିଙ୍ଗ୍ ଲଗାଇଛନ୍ତି । ରାଜ୍ୟ ସରକାରଙ୍କ ପ୍ରଶ୍ନରେ କେନ୍ଦ୍ର ରେଳ ମନ୍ତ୍ରୀ ଉତ୍ତର ରଖିଛନ୍ତି ଯେ ରାଜ୍ୟ ସରକାରଙ୍କ ସଂସ୍ଥା ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ (ଓଆଇଆରଡିଏଲ)କୁ ରେଳ ଲାଇନର କାମ ଦିଆଯାଇଛି । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଏହି କମ୍ପାନୀର ଚେୟାରମ୍ୟାନ । ତେଣୁ କେଉଁ କେଉଁ ସ୍ଥାନ ଦେଇ ରେଳ ଲାଇନ ଯିବ ସେ ଏହାର ଉତ୍ତର ରଖିଲେ ଭଲ ହୁଅନ୍ତା । ଭୋଟ ପାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀମାନେ ଅସତ୍ୟ କଥା କହୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନୈତିକତା ଥିଲେ, ଆଜି ସନ୍ଧ୍ୟାରେ କୁହନ୍ତୁ, ଆବାସ ପ୍ଲସ ପୋର୍ଟାଲ ଖୋଲିବା ପରେ କାହିଁକି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଲେ ନାହିଁ ? କାହିଁକି ବରଗଡ ସମେତ ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲାକୁ ଗୋଟିଏ ବି ଘର ଆବଣ୍ଟନ କରାଯାଇନାହିଁ ? ବିଜେପି ସାଂସଦ ମାନଙ୍କ ବିରୋଧ କାରଣରୁ ମୁଖ୍ୟମନ୍ତ୍ରୀଙ୍କ ଠକାମୀ ଧରାପଡିଛି । ମୁଖ୍ୟମନ୍ତ୍ରୀ ଏକଚାଟିଆ ଶାସନ ଚଳାଇଛନ୍ତି । ପ୍ରଧାନମନ୍ତ୍ରୀ ନୁହେଁ ବରଂ ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମୁଖ୍ୟମନ୍ତ୍ରୀ ଠିକରେ ହିସାବ ନ ଦେଇ କେନ୍ଦୁପତ୍ରରେ ୧୮% ଜିଏସଟି ଲାଗିବା କଥା କହୁଛନ୍ତି । ରାଜ୍ୟର ଅର୍ଥମନ୍ତ୍ରୀ ଜିଏସଟି କାଉନସିଲରେ ଦିନେ ବି ଏହି ପ୍ରସଙ୍ଗ ଉଠାଇନାହାନ୍ତି । ମୁଖ୍ୟମନ୍ତ୍ରୀ ଭୁଲିଗଲେ, ସେହି ୧୮% ଜିଏସଟିରୁ ୯% ଓଡିଶାର ରାଜସ୍ୱକୁ ଆସୁଛି । ଏହାବ୍ୟତିତ ମୁଖ୍ୟମନ୍ତ୍ରୀ ବିଜେପୁର ଓ ହିଞ୍ଜିଳିକାଟୁରେ ପ୍ରାର୍ଥୀ ହୋଇଥିଲେ । ଏହା ସତ୍ତ୍ୱେ ଏହି ଅଞ୍ଚଳରୁ ଯୁବକ ମାନେ ତାମିଲନାଡୁ, ଆନ୍ଧ୍ର, ବାଙ୍ଗାଲୁରୁ ଓ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଉଛନ୍ତି ।  ୨୦୧୯ରେ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାରୁ ପ୍ରତିନିଧିତ୍ୱ କରିବା ପାଇଁ ଆସିଥିଲେ । କିନ୍ତୁ ଲୋକଙ୍କ ବିଶ୍ୱାସରେ ବିଷ ଦେଲେ । ମୁଖ୍ୟମନ୍ତ୍ରୀଙ୍କ କଥାକୁ ଲୋକମାନେ ଓ ପଦ୍ମପୁରବାସୀମାନେ ଆଉ ବିଶ୍ୱାସ କରିବେ ନାହିଁ ।

ପୂର୍ବରୁ ଓଡିଶାକୁ ରେଳ ବଜେଟରେ ବାର୍ଷିକ ୮୩୮ କୋଟି ଟଙ୍କା ଆସୁଥିବା ବେଳେ ମୋଦି ସରକାରରେ ରେଳବାଇ କ୍ଷେତ୍ରରେ  ହାରାହାରି ୧୦,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ଅନୁଦାନ ଆସୁଛି । ତ୍ରୟୋଦଶ ଅର୍ଥ କମିଶନରେ ଓଡ଼ିଶାର ୬୭,୩୧୬ କୋଟି ପାଇଥିବା ବେଳେ ଏବେ ପଞ୍ଚଦଶ ଅର୍ଥ କମିଶନରେ ୨  ଲକ୍ଷ ୨୨ ହଜାର କୋଟି ଟଙ୍କା ଆସିଛି । ପୂର୍ବରୁ ଓଡ଼ିଶାକୁ ଏନଡିଆରଏଫ ଫଣ୍ଡରେ ବାର୍ଷିକ ୧ ହଜାର କୋଟି ଟଙ୍କା ମିଳୁନଥିଲା ମାତ୍ର ଏବେ ମୋଦି ସରକାରରେ ୪ ହଜାର ୪୨୪ କୋଟି ଟଙ୍କା ମିଳୁଛି । ଏସଡିଆରଏଫରେ ପୂର୍ବରୁ ୧୨୮୩ କୋଟି ଟଙ୍କା ମିଳୁଥିବା ବେଳେ ଓଡ଼ିଶାକୁ ୪,୧୩୦ କୋଟି ଟଙ୍କା ମିଳିଛି । ମୁଖ୍ୟମନ୍ତ୍ରୀ ପୁଞ୍ଜିପତି ମାନଙ୍କୁ ଶାଗ ମାଛ ଦରରେ ଓଡିଶାର ଖଣି ସମ୍ପତ୍ତିକୁ ଟେକି ଦେଉଥିଲେ । କିନ୍ତୁ ମୋଦି ସରକାରରେ ଡିଏମଏଫରେ ୧୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆସିଛି । ଜଙ୍ଗଲ ସୃଷ୍ଟି କରିବା ପାଇଁ କାମ୍ପା ଫଣ୍ଡରେ ୬ ହଜାର କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟ ସରକାର ଏହି ଅର୍ଥର ହରିଲୁଟ କରିଛନ୍ତି । ଗତକାଲି ସିଏଜି ରିପୋର୍ଟରେ ବିଜୁ ସେତୁ ଯୋଜନାର ହଜାର ହଜାର କୋଟି ଟଙ୍କାର ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି । ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କିନ୍ତୁ କାମରେ ବିଶ୍ୱାସ କରିବା କଥା କହୁଛନ୍ତି । ସୋହେଲାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଧାନ କ୍ୱିଣ୍ଟାଲ ପିଛା ଅତିରିକ୍ତ ୧୦୦ ଟଙ୍କା ବୋନସ କୁଆଡେ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

ଓଡିଶାର ଭବିଷ୍ୟତ ଓଡ଼ିଶାର ପିଲା ମାନେ । ରାଜ୍ୟର ୭୫ ଲକ୍ଷ ପିଲା ସ୍କୁଲରେ ପାଠ ପଢୁଛନ୍ତି । ମୁଖ୍ୟମନ୍ତ୍ରୀ ଓଡ଼ିଶାରୁ ଠିକା ନିଯୁକ୍ତି ଉଠାଇଦେବା କଥା କହୁଛନ୍ତି । ରାଜ୍ୟ ସରକାର ଠିକା ବ୍ୟବସ୍ଥା କାହିଁକି ରଖିଥିଲେ ? ରାଜ୍ୟର ୧ ଲକ୍ଷ ଶିକ୍ଷକ ୨ ହଜାର ମସିହାରେ ନିଯୁକ୍ତି ପାଇଥିଲେ ତେବେ ତାଙ୍କ ୬ ବର୍ଷ ସିନିୟରଟି କୁଆଡେ ଗଲା ? ମୁଖ୍ୟମନ୍ତ୍ରୀଙ୍କ ନୀତି ଓଡ଼ିଶାକୁ ଅନ୍ଧକାର ଆଡକୁ ନେବ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ମାଆ ଭଉଣୀ ମାନଙ୍କୁ ପରିହାସ କରୁଛନ୍ତି । ବିଗତ ୩ ବର୍ଷରେ ରାଜ୍ୟରେ ମହିଳାଙ୍କ ପ୍ରତି ନିର୍ଯ୍ୟାତନା ଓ ଧର୍ଷଣ ମାମଲା ବଢି ବଢି ଚାଲିଥିବା ବିଧାନସଭା ତଥ୍ୟ କହୁଛି ।  ତଥାପି ମୁଖ୍ୟମନ୍ତ୍ରୀ କହୁଛନ୍ତି ମୁଁ କଥାରେ ନୁହେ, କାମରେ ବିଶ୍ୱାସ କରେ ।

ବିଜେପୁରରେ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ କହିଥିବା କାମର ଗୋଟିଏ କାମ ହୋଇନାହିଁ । କେନ୍ଦ୍ରରୁ ପର୍ଯ୍ୟାପ୍ତ ଅର୍ଥ ଆସିଲା ପରେ ବି ରାଜ୍ୟ ସରକାର ସେହି ଅର୍ଥ ଖର୍ଚ୍ଚ ନକରିବା କାରଣରୁ କେନ୍ଦ୍ରକୁ ସେହି ଅର୍ଥ ଫେରିଯାଉଛି । ରାଜ୍ୟରେ ସର୍ବମୋଟ ୧ ଲକ୍ଷ କୋଟି ଟଙ୍କା ଋଣ ଭାର ହୋଇଥିବା ବେଳେ ମୁଣ୍ଡ ପିଛା ୨୫ ହଜାର ଟଙ୍କା ଋଣ ହୋଇଥିବା ଅର୍ଥମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି । ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟର ବାହାନା ଦେଖାଇ ଓବିସି ମାନଙ୍କୁ ତାଙ୍କ ହକ୍ ଓ ଅଧିକାରରୁ ବଞ୍ଚିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦଳିତ, ଜନଜାତି, ପଛୁଆ ଜାତି ବିରୋଧୀ ।

ମୁଖ୍ୟମନ୍ତ୍ରୀ ବିଗତ ୨ ବର୍ଷ ହେବ ବିଧାନସଭାରୁ ଛୁଟି ନେଇ ବସିଥିଲେ । ଭାରତୀୟ ଜନତା ପାର୍ଟିର ପଦ୍ମପୁରର ନୈତିକ ବିଜୟ ହେଲା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଜାତନ୍ତ୍ର ଦରବାରକୁ ଆସିବା ପାଇଁ ପଡିଲା ଓ ନସ୍ତମସ୍ତକ ହେବା ପାଇଁ ପଡିଲା ।  ଚାଷୀ, ଦଳିତ, ପଛୁଆ ତଥା ସବୁ ବର୍ଗଙ୍କ ସ୍ୱର ହେଉଛନ୍ତି ବିଜେପି ପ୍ରଦୀପ ପୁରୋହିତ । ତେଣୁ ତାଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ପଦ୍ମପୁରର ଜନସାଧାରଣଙ୍କୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here