By Our Correspondent
BHUBANESWAR: ରାଜ୍ୟ ପୋଲିସ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀ ଭୁବନେଶ୍ଵରସ୍ଥିତ ପୋଲିସ ସେବା ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦ୍ଵିତୀୟ ପର୍ଯ୍ୟlୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ମତଗ୍ରହଣ କରାଯିବ ।
ସେଥିପାଇଁ ୧୧ ପୋଲିସ ଜିଲ୍ଲାରେ ୭୩୩୯ ସ୍ଥାନରେ ୯୧୬୨ ମତଦାନ କେନ୍ଦ୍ର ମଧ୍ୟରୁ ୫୫୬ଟି ବୁଥ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ରହିଛି । ନିର୍ବାଚନ ପରିଚାଳନାର ସୁରକ୍ଷା ଲାଗି ବିଭିନ୍ନ ପାହ୍ୟାର ୩୩ ହଜାର ପୋଲିସ କର୍ମଚାରୀଙ୍କ ମୁତୟନ କରାଯାଇଛି ଯେଉଁଥିରେ ୧୦୨ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ, ୬୬ ପ୍ଲାଟୁନ ଆର୍ମଡ଼ ପୋଲିସ ଫୋର୍ସ ଅଛନ୍ତି । ୪୭ ଜଣ ଅତିରିକ୍ତ ଏସପି, ୮୮ ଡିଏସପି, ୨୩୬ ଇନ୍ସପେକ୍ଟର, ୨୦୦୦ ଏସଆଇ/ ଏଏସଆଇ ସହ ୧୧୮୦୦ କନଷ୍ଟେବଳ/ ହାବିଲଦାର, ୫୮୦୦ ଗୃହରକ୍ଷୀ ଓ ଗ୍ରାମରକ୍ଷୀ ନିର୍ବାଚନ ପରିଚାଳନାରେ ନିଯୋଜିତ ହୋଇଛନ୍ତି । ସେହିପରି ୬୫୫ ମୋବାଇଲ ପାଟ୍ରୋଲିଂ ପାର୍ଟି ମଧ୍ୟ ନିର୍ବାଚନକୁ ତତ୍ତ୍ବାବଧାନ କରିବେ ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।
ଆସନ୍ତାକାଲି ନିର୍ବାଚନ ହେଉଥିବା ୧୧ ପୋଲିସ ଜିଲ୍ଲା ମଧ୍ୟରୁ ୪ ଜିଲ୍ଲାରେ ମାଓ ଗତିବିଧି ରହିଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଏବଂ ବରଗଡ଼ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗୁଇନ୍ଦା ବ୍ୟବସ୍ଥାକୁ ସକ୍ରିୟ କରାଯିବା ସହ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି ବୋଲି ଡିଜିପି କହିଥିଲେ । ଗତ ୪ ମାସ ମଧ୍ୟରେ ୪ ଟି ଜିଲ୍ଲାରେ ୫୪୯ଟି ନକ୍ସଲ ବିରୋଧୀ ଅଭିଯାନ କରାଯାଇଛି । ନିର୍ବାଚନ ଲାଗି ସିଏପିଏଫର ୧୧୭ଟି ଅପରେସନ ପାର୍ଟି ଓ ୩୮ ୟୁନିଟ ଏସଓଜି ଓ ଡିଭିଏଫ ଜଙ୍ଗଲରେ ମାଓ ଅପରେସନ ଚଳାଇଛନ୍ତି । ଛତିଶଗଡ଼ର ୪ଟି ସୀମାବର୍ତ୍ତୀ ସ୍ଥାନରେ ଅପରେସନ ଚାଲିଛି । ମାଓ ଇଲାକାରେ ନିର୍ବାଚନ ଥିବା ସ୍ଥାନରେ ଅତିରିକ୍ତ ଡିଜି ଅପରେସନ ଶ୍ରୀ ଦେବଦତ୍ତ ସିଂ ଅବସ୍ଥାନ କରି ସ୍ଵତନ୍ତ୍ର ନଜର ରଖିଛନ୍ତି ବୋଲି ଡିଜିପି କହିଥିଲେ ।
ସେହିପରି ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୧୧ ପୋଲିସ ଜିଲ୍ଲାରେ ୧୪୧ ଟି ଚେକପୋଷ୍ଟ ରହିଛି । ସୀମାଗୁଡିକୁ ସିଲ କରାଯାଇ କଡାକଡି ଭାବେ ଯାଞ୍ଚ କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ଫ୍ଲାଇସ୍କ୍ୱାର୍ଡ ଗଠନ କରାଯାଇଛି । ନିର୍ବାଚନ ହେବାକୁ ଥିବା ୧୧ ଜିଲ୍ଲାରେ ୨୫୭ ଟି ଫ୍ଲାଇସ୍କ୍ୱାର୍ଡ ଟିମ ରହିଛନ୍ତି । ଏହାବ୍ୟତୀତ ୨୫୧ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛନ୍ତି । ଏହି ୧୧ଟି ଜିଲ୍ଲାରେ ୧୮ଟି ଇଭିଏମ ଷ୍ଟ୍ରଙ୍ଗରୁମ ରହିଛି । ନିର୍ବାଚନ ପରେ ସେଠାରେ ଇଭିଏମଗୁଡିକ ରଖାଯିବ । ଏହି ଇଭିଏମ ସୁରକ୍ଷା ଲାଗି ଦୁଇସ୍ତରରେ ସୁରକ୍ଷା ଦାୟିତ୍ଵ ବିଭକ୍ତ କରାଯାଇଛି ବୋଲି ଡିଜିପି କହିଛନ୍ତି ।
ଏହି ଅବସରରେ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଏସଏପି) ଶ୍ରୀ ଆର.ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା), ଶ୍ରୀ ସଞ୍ଜୟ କୁମାର, ଆଇ.ଜି.ପି (ପ୍ରୋଭିଜନିଙ୍ଗ) ଶ୍ରୀ ୟତିନ୍ଦ୍ର କୋୟଲ, ଆଇ.ଜି.ପି (ବିପିଏସପିଏ) ଶ୍ରୀମତୀ ଏସ. ସାଇନୀ, ଆଇ.ଜି.ପି (କ୍ରାଇମ ବ୍ରାଞ୍ଚ) ସଫିନ ଅହମ୍ମଦ, ଏଆଇଜିପି (ମୁଖ୍ୟାଳୟ) ଶ୍ରୀ ବାତୁଳା ଗଙ୍ଗାଧର ଉପସ୍ଥିତ ରହିଥିଲେ ।