ସୀମାବର୍ତ୍ତୀ ଅଞ୍ଚଳ ଉପରେ ଜବରଦସ୍ତ ପଶୁଥିବା ଆନ୍ଧ୍ରକୁ ଏକାଠି ହୋଇ ବିରୋଧ କରିବାକୁ ପଡିବ,ଧର୍ମେନ୍ଦ୍ର ପ୍ରଧାନ

0
342
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ କୋଟିଆର ଫାଟୁସିନେରି ଗାଁ ସମେତ ଅଞ୍ଚଳରେ ଥିବା ସ୍କୁଲ, ସ୍ୱାସ୍ଥ୍ୟ କେନ୍ଦ୍ର, ପୋଷ୍ଟ ଅଫିସ, ବ୍ୟାଙ୍କ୍, ଆଦିମ ଗୁରୁକୁଳ ଆଶ୍ରମ, ମନ୍ଦିର ସମେତ ବିଭିନ୍ନ ସ୍ଥାନ ବୁଲିଥିଲେ

By Our Correspondent

KORAPUT/BHUBANESWAR:  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଆଜି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ କୋଟିଆର ଫାଟୁସିନେରି ଗାଁ ସମେତ ଅଞ୍ଚଳରେ ଥିବା ସ୍କୁଲ, ସ୍ୱାସ୍ଥ୍ୟ କେନ୍ଦ୍ର, ପୋଷ୍ଟ ଅଫିସ, ବ୍ୟାଙ୍କ୍, ଆଦିମ ଗୁରୁକୁଳ ଆଶ୍ରମ, ମନ୍ଦିର ସମେତ ବିଭିନ୍ନ ସ୍ଥାନ ବୁଲିଥିଲେ । ଢେମସା ନୃତ୍ୟ କରୁଥିବା ଭଉଣୀ ମାନଙ୍କ ସହ କଥା ହୋଇଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କୋଟିଆ ଓ ଫାଟୁସିନେରି ଗ୍ରାମବାସୀଙ୍କ ସହ ‘ଉତ୍କଳ ଦିବସ’ ଦିବସ ପାଳନ କରିଥିଲେ ଏବଂ ପରେ ସେମାନଙ୍କ ସହ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ କେନ୍ଦ୍ରମନ୍ତ୍ରୀ  ।

କୋଟିଆ ଗ୍ରାମ ସମିତି ଦ୍ୱାରା ଆୟୋଜିତ ‘ଉତ୍କଳ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏପ୍ରିଲ ୧, ୨୦୨୩ ମୋ ପାଇଁ ଅବିସ୍ମରଣୀୟ ଦିନ । ଆଜିର ଦିନ ବାଦ ବିବାଦର ଦିନ ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ଏକାଠି ହେବାର ଦିନ । ଓଡ଼ିଶାକୁ ବଡ଼ କରିବା ଏବଂ ଓଡ଼ିଶା ପାଇଁ ବଡ ସ୍ୱପ୍ନ ଦେଖିବାର ଦିନ । ଗଣତନ୍ତ୍ରରେ ମତ ଓ ବାଦ ବିବାଦ ଭିନ୍ନ ରହିବ । ମାତ୍ର ଆଜିର ଉତ୍କଳ ଦିବସ ପରି ଦିନରେ ଆମେ ସମସ୍ତେ ଦଳୀୟ ପ୍ରସଙ୍ଗ ଭିତ୍ତିରେ ନୁହେଁ ବରଂ ରଥଯାତ୍ରାରେ ମହାପ୍ରଭୁଙ୍କ ରଥ ଟାଣିବା ଭଳି ସମସ୍ତେ ଏକାଠି ହେବାର ଦିନ । ଆନ୍ଧ୍ର ଯଦି ଆମର ମାଟି ମାଆ ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳରେ ଲୋଲୁପ ଦୃଷ୍ଟି ପକାଇବାକୁ ଚାହିଁବ ତେବେ ଆମେ ଆମେ ଏହାର ବିରୋଧ କରିବା ।  ସ୍ୱତନ୍ତ୍ର ପ୍ରଦେଶ ଗଠନର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀର ମୋହନ ସେନାପତି, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ଅନେକ ମହାପୁରୁଷଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବା ନାହିଁ ।

ଆମ ରାଜ୍ୟର ସୀମାକୁ ଭୌଗଳିକ ଓ ସାଂସ୍କୃତିକ ରୂପେ ସୁରକ୍ଷିତ ରଖିବାର ସଂକଳ୍ପନା ନେଇ ସେ ୨୦୧୮ ମସିହାରେ କୋଟିଆ ଆସିଥିଲେ । ଏ ବିବାଦ ନେଇ ପୂର୍ବରୁ ନେଇ ଆନ୍ଧ୍ର ଓ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖାଯାଇଛି ଏବଂ ଆଗକୁ ମଧ୍ୟ ଏ ବିଷୟରେ ଅବଗତ କରାଯିବ । ଆନ୍ଧ୍ରର ପ୍ରଶାସନିକ ଅଧିକାରୀମାନେ କୌଣସି ସୀମାବର୍ତ୍ତୀ ଅଞ୍ଚଳକୁ ଆସି ଭୁଲ କାମ କରୁଛନ୍ତି । ଓଡ଼ିଶାର ସୀମାକୁ ଯିବାକୁ କୌଣସି କାରଣ ନାହିଁ । ସଂଘୀୟ ବ୍ୟବସ୍ଥାରେ ପରସ୍ପର ଭୌଗୋଳିକ ସୀମାକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି । ଆଜି ସାଢେ ୪ କୋଟି ଓଡିଆମାନେ ଏଥିପାଇଁ ଏକାଠି ହେବା ଦରକାର । 

ଆଜି ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବରେ ମାନ୍ୟତା ପାଇବାର ୮୭ ବର୍ଷ ପୂର୍ତ୍ତି ହୋଇଛି । ଆଗାମୀ ପ୍ରାୟ ୧୩ ବର୍ଷ ପରେ ୨୦୩୬ରେ ଆମ ପ୍ରଦେଶ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ଏହି ସମୟରେ ଆମର ଦାୟିତ୍ୱ, ଆମେ ସମସ୍ତେ ମିଳିତ ଭାବରେ ଓଡ଼ିଆ ଅସ୍ମିତାର ସୁରକ୍ଷା କରିବା । ଆଜି କୋଟିଆର ଫାଟୁସିନେରି ଥିବା ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ବେଳେ ସେମାନଙ୍କ ମନରେ ଡାକ୍ତର ଏବଂ ଅଫିସର ହୋଇ ଲୋକଙ୍କ ସେବା କରିବାର ସ୍ୱପ୍ନ ଅଛି । ଆମର ଦାୟିତ୍ୱ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ କଳ୍ପନା କରିବା ଏବଂ ଆମର ସୀମା ଓ ଭାଷାକୁ ସୁରକ୍ଷିତ ରଖିବା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ନୂଆ ଜାତୀୟ ଶିକ୍ଷା ନୀତି ଅଣାଯାଇଛି । ଶିକ୍ଷା ନୀତିରେ ମାତୃଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଆଗାମୀ ଦିନରେ କୋଟିଆ ଅଞ୍ଚଳର ସ୍ଥାନୀୟ କୁଇ ଭାଷା ସମେତ କୋରାପୁଟର ସ୍ଥାନୀୟ ଭାଷାରେ ପିଲାଙ୍କୁ ପାଠ ପଢାଇବା ପାଇଁ ଉଦ୍ୟମ କରାଯିବ । ଅପାର ସମ୍ଭାବନାର ଅଞ୍ଚଳ କୋରାପୁଟର ଆମ୍ବ, ପଣସ, ମାଣ୍ଡିଆ, ଚାଉଳ ଏବଂ କୁନ୍ଦୁଲି ହାଟରେ ମିଳୁଥିବା ପନିପରିବା ଏବଂ ଡାଲିର ସ୍ୱାଦ ଅନନ୍ୟ । ଏହିଭଳି କୃଷିଜାତ ସାମଗ୍ରୀର ପ୍ରଚାର ପ୍ରସାର କରିବା ଆମର ଦାୟିତ୍ୱ ହେଉ ।

ଉଲ୍ଲେଖନୀୟ ଯେ ଶ୍ରୀ ପ୍ରଧାନ କୋଟିଆ ଗ୍ରାମ ପଞ୍ଚାୟତର ଫାଟୁସିନେରି ଗସ୍ତ କରିବା ସହ ସାଧାରଣ ନାଗରିକଙ୍କ ସହ ମୌଳିକ ସମସ୍ୟା ନେଇ ଆଲୋଚନା କରିଥିଲେ । ଫାଟୁସିନେରି ଠାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେମିଳିଗୁଡା ବ୍ଲକ କୁନ୍ଦୁଲି ସ୍ଥିତ ଆଦିମ ଗୁରୁକୁଳ ଆଶ୍ରମ ଏବଂ କୋଟିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ଦାମନଯୋଡି ସ୍ଥିତ ହନୁମାନ ମନ୍ଦିର ଓ କୋଟିଆ ସ୍ଥିତ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିଥିଲେ । ଦାମନଯୋଡି ଷ୍ଟେସନ ସମେତ ପଟାଙ୍ଗୀ, ସିମିଳିଗୁଡ଼ା ଓ କୁନ୍ଦୁଲି ଠାରେ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here