By Our Correspondent
BHUBANESWAR: ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ନବମ ପାଳି। ଲୋକଙ୍କ ସରକାର ଲୋକଙ୍କ ସହିତ ଅଛନ୍ତି। ତାଙ୍କ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି। ଆଜି ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ତତ୍କାଳ ପଦକ୍ଷେପ ନେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅଭିଯୋଗ ପ୍ରକୋଷ୍ଠରେ ଆଜିଠୁ ଆରମ୍ଭ ହୋଇଛି ଏକ ସ୍ୱତନ୍ତ୍ର ଅଭିଯାନ। ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଉଛି। ଆଜି ଏହି ସିଷ୍ଟମରେ ଚିକିତ୍ସା ଖର୍ଚ୍ଚ ପାଇଁ ପୁରୀ ଜିଲ୍ଲାର ନିମାପଡ଼ାରୁ ଆସିଥିବା ପକ୍ଷାଘାତ ଆକ୍ରାନ୍ତ ହେମନ୍ତ ସାହୁଙ୍କୁ ୧ ଲକ୍ଷ ଟଙ୍କା, ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରୁ ଆସିଥିବା ପକ୍ଷାଘାତ ଆକ୍ରାନ୍ତ ବିଚିତ୍ର ପାଇକରାୟଙ୍କୁ ୧ ଲକ୍ଷ ଟଙ୍କା, ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ଆସିଥିବା ବୋନ୍ ମ୍ୟାରୋ କ୍ୟାନସର ପୀଡ଼ିତା ହାଜିରା ବିବିଙ୍କୁ ୩ ଲକ୍ଷ ଟଙ୍କା ଏବଂ କନ୍ଧମାଳ ଜିଲ୍ଲା ଟିକାବାଲିରୁ ଆସିଥିବା କ୍ୟାନସର ପୀଡ଼ିତା ଇନ୍ଦୁ ବେହେରାଙ୍କୁ ୧ ଲକ୍ଷ ଟଙ୍କା ସହିତ ଗଜପତି ଜିଲ୍ଲାରୁ ପୁଅର ଚିକିତ୍ସାରେ ସର୍ବସ୍ୱାନ୍ତ ହୋଇଆସିଥିବା ଶ୍ରୀମତୀ ରଶ୍ମିତା ନାୟକଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ତୁରନ୍ତ ମଞ୍ଜୁର କରିଥିଲେ।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଅଷ୍ଟମ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୮୭୩୭ଟି ଅଭିଯୋଗ ମଧ୍ୟରୁ ୭୩୩୧ଟି ଅଭିଯୋଗର ସମାଧାନ କରାଯାଇଛି। ଯାହା ଶତକଡ଼ା ୮୪ ପ୍ରତିଶତ ଅଟେ। ବକେୟା ଅଭିଯୋଗଗୁଡ଼ିକର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି।

























