ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ଓ ବାତ୍ୟା ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ସ୍ଥିତି ସମୀକ୍ଷା, ସଜାଗ ରହିବା ସହିତ ସମସ୍ତ ପ୍ରସ୍ତୁତି କରିବାକୁ ସଂପୃକ୍ତ ବିଭିନ୍ନ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ, ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ

0
66

By Our Correspondent

BHUBANESWAR:ଭାରତୀୟ ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ମଧ୍ୟରେ  ପୂର୍ବ କେନ୍ଦ୍ର ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ  ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି  । ଏହା ବିଶେଷ କରି ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ବିଶେଷ ପ୍ରଭାବ ପକାଇବାର ସମ୍ଭାବନା ରହିଛି ।  ଏହି ପରିପ୍ରେକ୍ଷୀରେ ଆଜି  ସଂଧ୍ୟାରେ  ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସ୍ଵତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟଠାରେ  ସମ୍ଭାବ୍ୟ ଲଘୁଜାପ ଜନିତ ଲଗାଣ ବର୍ଷା ବା ବାତ୍ୟା ସ୍ଥିତି ଉପୁଜିଲେ ରାଜ୍ୟ ଏବଂ ସଂପୃକ୍ତ  ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି କିପରି ରହିବେ, ସେ ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିବା ସହିତ ପ୍ରସ୍ତତି  ସମୀକ୍ଷା କରିଛନ୍ତି ।

 ଏହି  ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀମତୀ ଅନୁ ଗର୍ଗ, ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ  ଦେଓ ରଞ୍ଜନ କୁମାର ସିଂଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ, ଅଗ୍ନିଶମ ସେବା ବିଭାଗର ମହାନିର୍ଦ୍ଦେଶକ, ଏଡିଜି( ଆଇନ ଶୃଙ୍ଖଳା), ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଯୋଗଦେଇଥିବା ବେଳେ ଅନ୍ୟ ସଂପୃକ୍ତ ସଚିବ ଓ  ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ  ଯୋଗ ଦେଇଥିଲେ ।

ବୈଠକରେ ସମ୍ଭାବ୍ୟ ବର୍ଷା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପୂର୍ବପ୍ରସ୍ତୁତି କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା  । ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଥିବା ବାତ୍ୟା ବା ବନ୍ୟା ଆଶ୍ରୟସ୍ଥଳଗୁଡିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେଥିରେ ପାନୀୟ ଜଳ, ବିଦ୍ୟୁତ୍, ପରିସ୍କାର ପରିଚ୍ଛନ୍ନତା ଆଦି ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ କୁହାଯାଇଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି । ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀମାନେ ତୁରନ୍ତ ଫେରିଆସିବାକୁ ସତର୍କ ସୂଚନା ଦିଆଯାଇଛି  ଓ  ଜିଲ୍ଲାପାଳମାନଙ୍କୁ ଏହାର କାର୍ଯ୍ୟାନୁଷ୍ଠାନ ପାଇଁ ମତ୍ସ୍ୟଜୀବି ଅନୁଷ୍ଠାନ ମାନଙ୍କର ସହ ବୈଠକ କରି ସହଯୋଗ ନେବାକୁ ପରାମର୍ଶ ଦିଆଯାଇଛି ।  ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ବା ସମ୍ଭାବ୍ୟ ବାତ୍ୟ ପରିପ୍ରେକ୍ଷୀରେ ୨୪ଘଣ୍ଟିଆ କଂଟ୍ରୋଲ ରୁମ କାର୍ଯ୍ୟକାରୀ    ହୋଇଛି   ।

ଆସନ୍ତା କାଲି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ନିଜ ନିଜ ସ୍ତରରେ ବୈଠକର କରି ସ୍ଥିତିର ସମୀକ୍ଷା କରି ପ୍ରସ୍ତୁତି ସଂପର୍କରେ ନିଶ୍ଟିତ କରି ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଜଣାଇବେ । ଆଗାମୀ ୨୩ ରୁ ୨୫  ତାରିଖ ପର୍ଯ୍ୟନ୍ତ ଲଘୁଚାପ ଜନିତ କେତେକ ଜିଲ୍ଲାରେ ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ବିବରଣୀ ଅନୁସାରେ ପ୍ରସ୍ତୁତି ଜାରି ରଖିବାକୁ କୁହାଯାଇଛି । ସ୍ଥିତି ଅନୁଧ୍ୟାନ କରି ସଜାଗ ରହିବାକୁ ଜଳ ସଂପଦ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଥିବା ଉନ୍ନୟନ କମିଶନର ତଥା ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ  ।  

ନିକଟରେ ପ୍ରସୂତି ସମ୍ଭାବନା ଥିବା ମା ମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ  ନେବାକୁ ପରାମର୍ଶ ଦିଆଯାଇଛି ।   ସ୍ଥିତିକୁ ଦେଖି ଆବଶ୍ୟକ ସ୍ଥଳେ ତଳିଆ ଅଂଚଳରେ ଥିବା ଲୋକମାନଙ୍କୁ ଉଚ୍ଚସ୍ଥାନ ଏବଂ ବନ୍ୟା,ବାତ୍ୟା ଆଶ୍ରୟ ସ୍ଥଳୀକୁ ନିଆଯିବ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ପ୍ରମୁଖ ଅଂଶ ଗ୍ରହଣ କରି ସମ୍ଭାବ୍ୟ ଲଘୁଚାପ ଜନିତ ସ୍ଥିତିର ମୁକାବିଲା ପାଇଁ ନିଜ ନିଜ ବିଭାଗର  ପ୍ରସ୍ତୁତି  ସଂପର୍କରେ ଅବଗତ କରିଥିଲେ ।

ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ଓ ବାତ୍ୟାର  ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନର ସମସ୍ତ ପ୍ରସ୍ତୁତି ଜାରି ରହିଛି  । ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ଏଥିପାଇଁ  କୌଣସି ପ୍ରକାର  ଭୟଭୀତ ନ ହେବାକୁ   ନିବେଦନ କରାଯାଇଛି ।  ଅଗ୍ନିସମ, ଓଡ୍ରାଫ୍, ଏନ୍.ଡି.ଆର.ଏଫ୍ ଦଳ ଆବଶ୍ୟକ ପଡିଲେ ଏଥିପାଇଁ ଏସଓପି ଅନୁସାରେ ସେମାନେ ବିଭିନ୍ନ ଜିଲ୍ଲାକୁ ଯିବା ସହିତ ମୁଖ୍ୟତଃ ତଳିଆ ଅଂଚଳରେ ଆବଶ୍ୟକ ସ୍ଥଳ  ଏବଂ ବ୍ଳକ୍ ମୁଖ୍ୟାଳୟରେ ଅବସ୍ଥାପିତ  ହେବାକୁ ପରାମର୍ଶ ଦିଆଯାଇଛି ।  କୌଣସି ସ୍ଥିତିରେ ଯେପରି କାହାରି ଜୀବନ ହାନି ନଘେଟେ ସେଥିପାଇଁ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଇ ଆମର ପ୍ରସ୍ତୁତି ଓ ସତର୍କ ସୂଚନା ଜାରି ରହିବ ବୋଲି ଏସଆରସିଙ୍କ ତରଫରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here