ସମ୍ବଲପୁର ହିଂସା ଓ ବିଜେପି ନେତାଙ୍କୁ ଥାନାରେ ଅଟକ: ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ, ସେ ରାଜଧର୍ମ ପାଳନ କରିବା ସହ ନିରପେକ୍ଷ ରୁହନ୍ତୁ , ଧର୍ମେନ୍ଦ୍ର ପ୍ରଧାନ

0
258

By Our Correspondent   

BHUBANESWAR:  ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ହୁଏତ ଅନେକ ବିଷୟରେ ଜାଣିପାରୁନାହାନ୍ତି କିମ୍ବା ତାଙ୍କୁ ଜଣାଯାଉନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ, ସେ ରାଜଧର୍ମ ପାଳନ କରିବା ସହ ନିରପେକ୍ଷ ରୁହନ୍ତୁ । ଦଳୀୟ କର୍ମୀମାନେ ଦଳର କାମ କରିବେ ମାତ୍ର କିଛି ପୋଲିସ କର୍ମୀଙ୍କୁ ଆଇନଶୃଙ୍ଖଳାରୁ ଦୂରେଇ ନେଇ ଦଳୀୟ କାମରେ ଲଗାଇବା ଗଣତନ୍ତ୍ରରେ ଶୁଭ ଲକ୍ଷଣ ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ସମ୍ବଲପୁର ହିଂସା ଓ ବିଜେପି ନେତାଙ୍କୁ ଥାନାରେ ଅଟକ ରଖାଯିବା ଘଟଣାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ  ସମ୍ବଲପୁର ସହରରେ ଅଭାବନୀୟ ଘଟଣା ଘଟିବାର ପ୍ରାୟ ଏକ ସପ୍ତାହ ହେଲାଣି । ହନୁମାନ ଜୟନ୍ତୀ ଶୋଭାଯାତ୍ରାର ଅବ୍ୟବହିତ ପୂର୍ବରୁ ସୂଚନା ଦିଆଯିବା ସତ୍ତ୍ୱେ ମଧ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଦିଆଯାଇ ନଥିବା ପ୍ରଶାସନ ସ୍ୱୀକାର କରିଛି । ପୂର୍ବରୁ ରାମନବମୀ ଓ ହନୁମାନ ଜୟନ୍ତୀରେ ଶାନ୍ତିଭଙ୍ଗ ସମ୍ଭାବନା ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ଦେଶର ଅନ୍ୟ ରାଜ୍ୟ ସମେତ ଓଡିଶାକୁ ମଧ୍ୟ ସତର୍କ କରାଯାଇଥିଲା । ଘଟଣାସ୍ଥଳରେ ଗତବର୍ଷ ତୁଳନାରେ ବହୁତ କମ ସୁରକ୍ଷାକର୍ମୀ ନିୟୋଜିତ ଥିବା ସ୍ଥାନୀୟ ନାଗରିକମାନେ ଅଭିଯୋଗ କରିବା ସନ୍ଦେହ ତିଆରି କରୁଛି।

ଅଶାନ୍ତ ସମ୍ବଲପୁର ପଛରେ ରାଜ୍ୟ ସରକାରଙ୍କର ଅପାରଗତା ମୁଖ୍ୟତଃ ଦାୟୀ । ଏହି ଘଟଣା ଘଟିବା ପରେ ରାଜ୍ୟ ସରକାର ରାଜଧର୍ମ ପାଳନ କରିବା ପରିବର୍ତ୍ତେ ପକ୍ଷଭୁକ୍ତ ହେଉଥିବା ଭଳି ଅଭିଯୋଗ ଆସୁଛି । ରାଜ୍ୟ ସରକାର ଏକତରଫା ନିଷ୍ପତି ନେଇ ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି । ଆଜି କର୍ଫ୍ୟୁର କୋହଳ ସମୟରେ ଆରଡିସିଙ୍କ ଅନୁମତି ନେଇ ରାଜ୍ୟ ସଭାପତିଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀ ଓ ଅନେକ ସାଂସଦ ଏବଂ ବିଧାୟକମାନେ ସମ୍ବଲପୁର ଘଟଣାରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧୀନ ଥିବା ବରିଷ୍ଠ କାର୍ଯ୍ୟକର୍ତ୍ତା ଦାମୋଦର କରଙ୍କୁ ଭେଟିବା ପାଇଁ ଯାଇଥିବା ବେଳେ ପୋଲିସ ସେମାନଙ୍କୁ ଥାନାରେ ଅଟକ ରଖିବା ଦୁର୍ଭାଗ୍ୟଜନକ । 

ଗଣତନ୍ତ୍ରରେ ପ୍ରତିପକ୍ଷ ଲୋକଙ୍କୁ ଭେଟିବାକୁ ଦେବା ନାହିଁ, ସମାଲୋଚନା କରୁଥିବା ଲୋକଙ୍କ ପ୍ରତି ଅସହିଷ୍ଣୁ ହେବା, ଏହି ଘଟଣାରେ ଗୁରୁତର ହୋଇଥିବା ଲୋକ ମାନଙ୍କୁ ଦେଖିବା ପାଇଁ ବାରଣ କରାଯିବା କ’ଣ ଶାସନ ବ୍ୟବସ୍ଥା କି ବୋଲି ପ୍ରଶ୍ନ କରିବା ସହ ଏସବୁ ଏକଛତ୍ରବାଦ ଓ ଅପାରଗତାକୁ ଲୁଚାଇବାର ବ୍ୟବସ୍ଥା ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here