ସମ୍ବଲପୁର ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ‘ନିଶୁଳ୍କ ଡାୟାଲିସିସ୍ ସେବା’ ଶୁଭାରମ୍ଭ, ମାଗଣାରେ କିଡ଼ନୀ ସମ୍ବନ୍ଧୀୟ ରୋଗର ହେବ ଚିକିତ୍ସା – ଧର୍ମେନ୍ଦ୍ର ପ୍ରଧାନ

0
76

By Our Correspondent

SAMBALPUR/BHUBANESWAR:  ସମ୍ବଲପୁର ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ମଙ୍ଗଳବାର କେନ୍ଦ୍ର ଶିକ୍ଷା ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ‘ନିଶୁଳ୍କ ଡାୟାଲିସିସ୍ ସେବା’ ଶୁଭାରମ୍ଭ ହୋଇଯାଇଛି ।

ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ପୂର୍ବରୁ ଦେଶରେ ବିଭିନ୍ନ ରାଜ୍ୟର ରାଜଧାନୀ ବା ବଡ ବଡ ସହରରେ ଡାୟାଲିସିସ୍ ସେଣ୍ଟରର ବ୍ୟବସ୍ଥା ଥିଲା । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି କାରଣରୁ ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ସରକାରୀ ବ୍ୟବସ୍ଥାରେ ଡାୟାଲିସିସ୍ ସେଣ୍ଟର ଖୋଲାଯିବା ସହ ମାଗଣାରେ ଏହି ଚିକିତ୍ସା ସେବା ଯୋଗାଇଦେବାର ବ୍ୟବସ୍ଥା କରାଯାଉଛି ।

ଏଣିକି ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଡାୟାଲିସିସ୍ ସେଣ୍ଟର୍ ଉପଲବ୍ଧ ଦ୍ୱାରା ଏହି ସମ୍ବନ୍ଧୀୟ ରୋଗୀଙ୍କୁ ଆଉ ଦୂରଦୂରାନ୍ତର ଯାତ୍ରା କରିବାକୁ ପଡ଼ିବ ନାହିଁ । ଏହି ଠାରେ ହିଁ ମାଗଣାରେ କିଡ଼ନୀ ରୋଗର ଚିକିତ୍ସା ସେବା ପାଇବା ସହ ସେମାନେ ବହୁଳ ଖର୍ଚ୍ଚରୁ ବଞ୍ଚିତ ହୋଇପାରିବେ । ଆଜିର ପଦକ୍ଷେପ ଦ୍ୱାରା ସ୍ଥାନୀୟ ଓ ଆଖପାଖ ଅଞ୍ଚଳର ପ୍ରାୟ ୪ ଲକ୍ଷ ଲୋକମାନେ ଉପକୃତ ହେବେ ।  ଦେଶରେ ଡାୟାଲିସିସ ଚିକିତ୍ସା ସୁବିଧାକୁ ବ୍ୟାପକ କରିବା ସହ ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବସ୍ଥା କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ଓଡ଼ିଶା ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ  ରେଢାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here