ସମ୍ବଲପୁର ରେଙ୍ଗାଲିରେ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ – କୃଷିଜାତ ସାମଗ୍ରୀର ଉତ୍ପାଦନ ବଢାଇବା ଆମର ଉଦ୍ଦେଶ୍ୟ – ଧର୍ମେନ୍ଦ୍ର ପ୍ରଧାନ

0
241

By Our Correspondent

SAMBALPUR: ସମ୍ବଲପୁର ଜିଲ୍ଲାରେ ଚାଷୀଙ୍କ ଆୟକୁ ବଢାଇବା ସହ ସବୁ ପ୍ରକାର ଚାଷର ଉତ୍ପାଦନ ବଢାଇବା ଆମର ମୂଳ ଉଦ୍ଦେଶ୍ୟ ବୋଲି ସୋମବାର ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ଚାଷ ଉତ୍ପାଦର ଉତ୍ପାଦନ ବଢାଇବା ଏବଂ ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ଓଡ଼ିଶା ସମେତ ସାରା ଦେଶରେ “ବିକଶିତ କୃଷି ସଂକଳ୍ପ ଅଭିଯାନ” ଆରମ୍ଭ କରିଛନ୍ତି, ଯାହା ସାଧୁ ଉଦ୍ୟମ । ଏହି ବିକଶିତ କୃଷି ସଂକଳ୍ପ ଅଭିଯାନରେ ଦେଶର ୭୦୦ ଜିଲ୍ଲାରେ ୨୦୦୦ରୁ ଅଧିକ ବୈଜ୍ଞାନିକ ଦଳ ଗାଁ ଗାଁକୁ ଯାଇ ୧.୫ କୋଟିରୁ ଅଧିକ ଚାଷୀ ଭାଇଭଉଣୀମାନଙ୍କ ସହ ସିଧାସଳଖ କଥା ହେବେ । ଚାଷୀମାନଙ୍କୁ ନୂତନ ପ୍ରଯୁକ୍ତିବିଦ୍ୟା ଓ ସରକାରୀ ଯୋଜନା ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯିବ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭରଶୀଳ ଓଡ଼ିଶାରେ ମଧ୍ୟ କୃଷି ପରାମର୍ଶ ଓ ସୂଚନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶର ଅନ୍ନଦାତାଙ୍କ ହାତମୁଠାକୁ ମଜଭୂତ୍ କରିବା ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର।

ସମ୍ବଲପୁର ଚଷା ଚାଷୀମାନଙ୍କର ଅଞ୍ଚଳ । ଏଠାରେ ମୂଳ ଜୀବିକା ହେଉଛି ଚାଷ ।  ଚାଷ ବେଉସା ଏହି ଜିଲ୍ଲାର ଅର୍ଥନୀତିର ମେରୁଦଣ୍ଡ । ସମ୍ବଲପୁରରେ ଚାଷ କ୍ଷେତ୍ରରେ ଅନେକ ସମ୍ଭାବନା ଅଛି । ଏଠାରେ ଉତ୍ପାଦିତ ଆମ୍ବ ବାହାର ଦେଶକୁ ରପ୍ତାନୀ ହେଉଛି । ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାର ସହଯୋଗରେ ଏହି ଜିଲ୍ଲାରେ ଜଳସେଚନକୁ ସୁବ୍ୟବସ୍ଥିତ କରାଯିବା ସହ କୃଷିଜାତ ଦ୍ରବ୍ୟ, ଉଦ୍ୟାନ ଜାତ କୃଷି ଦ୍ରବ୍ୟ, ପଶୁପାଳନ, ମତ୍ସ୍ୟଚାଷ,  ଗୋପାଳନ ଓ ଦୁଗ୍ଧ ଚାଷ ସମେତ ଆନୁଷାଙ୍ଗିକ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରାଯିବା ପାଇଁ ବିସ୍ତୁତ ଯୋଜନା ହେବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଶୀତଳ ଭଣ୍ଡାର ପ୍ରତିଷ୍ଠା ସହ କୃଷି ବ୍ୟବସାୟକୁ ପ୍ରୋତ୍ସାହନ ଦେବା ପାଇଁ ଉଦ୍ୟମ ହେବ । ବିଶେଷ ଭାବରେ ଆଳୁ ଓ ଡାଲି ଉପରେ ଆମେ ନିର୍ଭରଶୀଳ ଥିବା ବେଳେ ଏହି ଚାଷ କିପରି ସମ୍ବଲପୁରରେ ଅଧିକ ଉତ୍ପାଦନ କରାଯିବ, ସେ ଦିଗରେ ଯୋଜନା ହେବ ।  ଗାଁ ଗାଁ ବୁଲି ଚାଷୀମାନଙ୍କ ମଧ୍ୟରେ ପନିପରିବା ଓ ଅନ୍ୟାନ୍ୟ ଫଳ ଉତ୍ପାଦନ ପାଇଁ ସଚେତନତା ସୃଷ୍ଟି କରାଯିବ। ସମ୍ବଲପୁରରେ ଉତ୍ପାଦିତ ହେଉଥବା ଫଳ ଓ ପନିପରିବାକୁ ବିଦେଶୀ ବଜାରରେ ପହଞ୍ଚାଇବା ପାଇଁ ପ୍ରଚେଷ୍ଟା ହେବ । ‘ନଗର ବନ ଯୋଜନା’ରେ ସମ୍ବଲପୁରର ପରିବେଶକୁ ସୁରକ୍ଷା ଦେବା ପାଇଁ ସାମୂହିକ ଉଦ୍ୟମ ହେବ । ଏଥିପାଇଁ ବୃକ୍ଷରୋପଣ କରିବା ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ‘କୃଷି ରଥ’ର ଶୁଭାରମ୍ଭ କରିବା ସହ ଚାଷୀମାନଙ୍କୁ ସଏଲ୍ ହେଲଥ୍ କାର୍ଡ ବିତରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here