ସମ୍ବଲପୁର ପଡ଼ିଆବାହାଲରେ “ଆୟୁଷ୍ମାନ ଆରୋଗ୍ୟ ମନ୍ଦିର” ଉଦଘାଟିତ, ଗରିବ ଓ ବଞ୍ଚିତ ଲୋକଙ୍କ ସ୍ୱାସ୍ଥ୍ୟସେବାକୁ ସୁବିଧାଜନକ କରିବା ଆମ ସରକାରର ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ

0
100

By Our Correspondent

SAMBALPUR/BHUBANESWAR:  ସମ୍ବଲପୁରରେ ସ୍ୱାସ୍ଥ୍ୟସେବାକୁ ମଜଭୂତ୍ କରିବା ପାଇଁ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ସେହି ଶୃଙ୍ଖଳାରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ପଡ଼ିଆ ବାହାଲ ଠାରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ  ନିର୍ମିତ ହୋଇଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଭବନ ଏକ ବଡ ଉପଲବ୍ଧି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପଡ଼ିଆବାହାଲ ଠାରେ “ଆୟୁଷ୍ମାନ ଆରୋଗ୍ୟ ମନ୍ଦିର” ନାମରେ ନାମିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଇବାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ବଡ ଦାୟିତ୍ୱ ଅଛି । ସ୍ଥାନୀୟ ଅଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ଲୋକାର୍ପିତ ହୋଇଥିବା ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦ୍ୱାରା ଅନେକ ଲୋକମାନେ ଉପକୃତ ହୋଇପାରିବେ । ଗରିବ ଓ ବଞ୍ଚିତ ଲୋକଙ୍କ ସ୍ୱାସ୍ଥ୍ୟସେବାକୁ କେମିତି ସୁବିଧାଜନକ କରାଯିବ, ସେଥିପାଇଁ ଆମ ସରକାର ଦାୟିତ୍ୱ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବକା ସାଥ୍ – ସବକା ବିକାଶ’କୁ ପ୍ରାଥମିକତାରେ ରଖି ସ୍ୱାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦେଉଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଗ୍ରାମାଞ୍ଚଳରେ ଆଶା ଦିଦିଙ୍କର ଭୂମିକାକୁ ପ୍ରଶଂସା କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଆମ ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ ଓ ମହାମାରୀ ସମୟରେ ସାହାଯ୍ୟ ସହଯୋଗ ଯୋଗାଇ ଦେବା ଦିଗରେ ଆଶା ଦିଦିମାନେ ବଡ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି । ନିକଟରେ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଆଶା ଦିଦି ଶିବାନୀ ମଣ୍ଡଳ ବାତ୍ୟା ସମୟରେ ବୟସ୍କା ମହିଳାଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳକୁ ଆଣି ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି ।

ଆଜି ଜନ୍ମ ନେଉଥିବା ପିଲା ୨୦୪୭ ବା ଆଉ ୨୪ ବର୍ଷ ପରେ ସମ୍ବଲପୁର ସମେତ ଦେଶର ଦାୟିତ୍ୱ ନେବ । ତେଣୁ ବର୍ତ୍ତମାନ ସମୟରୁ ସେମାନଙ୍କର ସୁରକ୍ଷା ଓ ଦାୟିତ୍ୱ ଆମକୁ ନେବାକୁ ହେବ । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜିଲ୍ଲା ଚିକିତ୍ସାଳୟ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବାରେ ସୁଧାର ଅଣାଯିବ । ଆଶା ଦିଦିଙ୍କ ସହଯୋଗରେ ହିଁ ଗର୍ଭବତୀ ମହିଳା, ଶିଶୁ ସ୍ୱାସ୍ଥ୍ୟାବସ୍ଥା ତଥା ସମ୍ବଲପୁର ଜିଲ୍ଲାର ସ୍ୱାସ୍ଥ୍ୟସେବାରେ ସୁଧାର ଆସିପାରିବ । ସେମାନଙ୍କ ଯୋଗଦାନ ବିନା ୨୦୪୭ ସୁଦ୍ଧା ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ।ଏହି ଉଦଘାଟନ କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ ମଧ୍ୟ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here