ସମ୍ବଲପୁରରେ ‘୩୨ତମ ଖଣ୍ଡକୋଟା ଧନୁଯାତ୍ରା ଉତ୍ସବ’ରେ କେନ୍ଦ୍ରମନ୍ତ୍ରୀ, ‘ଧନୁଯାତ୍ରା’ ସମାଜରେ ଭାଇଚାରା ଓ ସୁଶାସନ ପ୍ରତିଷ୍ଠା କରୁଛି- ଧର୍ମେନ୍ଦ୍ର ପ୍ରଧାନ

0
311

By Our Correspondent

SAMBALPUR/BHUBANESWAR: ଧନୁଯାତ୍ରା ଉତ୍ସବ ସମାଜରେ ଭାଇଚାରା ଏବଂ ସୁଶାସନ ପ୍ରତିଷ୍ଠା କରିବା ଦିଗରେ ଅନ୍ୟତମ ମାଧ୍ୟମ ହୋଇଛି ବୋଲି ବୁଧବାର ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଖଣ୍ଡକୋଟା ଠାରେ ଆୟୋଜିତ ୩୨ତମ ବିରାଟ ଧନୁଯାତ୍ରା ମହୋତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମାଘ ପୂର୍ଣ୍ଣିମା ତଥା ଅଗ୍ନି ଉତ୍ସବ ଅବସରରେ କୁଚିଣ୍ଡା ସବଡିଭିଜନର ଐତିହାସିକ ଖଣ୍ଡକୋଟା ଧନୁଯାତ୍ରାରେ ଯୋଗଦେବା ମୋର ସୌଭାଗ୍ୟ । ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମର ବିଜୟ ତଥା ସମାଜରେ ନ୍ୟାୟପୂର୍ଣ୍ଣ ଶାସନ ପ୍ରତିଷ୍ଠା କରିବା ହେଉଛି ଧନୁଯାତ୍ରାର ଅନନ୍ୟ ପରମ୍ପରା ।

ଏହି ଧନୁଯାତ୍ରା ମହୋତ୍ସବରେ ବହୁସଂଖ୍ୟାରେ ଲୋକମାନେ ସମବେତ ହେବା ସେମାନଙ୍କର ଧାର୍ମିକ ଭାବନାକୁ ପ୍ରତିଫଳିତ କରୁଛି । ଧନୁଯାତ୍ରା ଉତ୍ସବକୁ ନେଇ ଲୋକମାନଙ୍କ ମଧ୍ୟରେ ବହୁତ ଖୁସି ଓ ଆନନ୍ଦ ଅଛି । ଏଠାରେ ପଲ୍ଲିଶ୍ରୀ ମେଳା ଆୟୋଜନ କରାଯିବା ସହ ପ୍ରତିଭାବାନ ଯୁବବର୍ଗ ଓ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ରାଜ୍ୟ ସରକାର ସୁଭଦ୍ରା ଯୋଜନା ଏବଂ ବର୍ଦ୍ଧିତ ଏମଏସପି ମୂଲ୍ୟରେ ଧାନ ସଂଗ୍ରହ ଲୋକମାନଙ୍କୁ ବହୁତ ଖୁସି ଦେଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଐତିହାସିକ ଖଣ୍ଡକୋଟାର ଧନୁଯାତ୍ରା ଲୋକାଦୃତ ହେଉଥିବା ବେଳେ ଏହାକୁ ଆଗାମୀ ଦିନରେ ଆହୁରି ଭବ୍ୟ କରିବାକୁ ହେବ । କୁଚିଣ୍ଡା ଉପଖଣ୍ଡକୁ ସବୁ କ୍ଷେତ୍ରରେ ଅଗ୍ରଣୀ କରିବା ପାଇଁ ସାମୂହିକ ଦାୟିତ୍ୱ ନେବାକୁ ପଡିବ । ଧନୁଯାତ୍ରା ମାଧ୍ୟମରେ ଦୀର୍ଘ ୩୨ ବର୍ଷ ଧରି ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରୁଥିବାରୁ ଆୟୋଜକ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇବା ସହ ଧନୁଯାତ୍ରାର ବାର୍ତ୍ତା ସମାଜରେ ସୁଖ, ଶାନ୍ତି, ଭାଇଚାରା ଏବଂ ସୁଶାସନ ପ୍ରତିଷ୍ଠା କରିବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here