ମେ’ ୨୫ରେ ୨୫ ବର୍ଷର ସରକାରକୁ ପରିବର୍ତ୍ତନ କରିବା ପାଇଁ ସମ୍ବଲପୁର ଭୋଟ୍ ଦେବ, ମନ୍ତ୍ରୀ ନବ ଦାସଙ୍କ ହତ୍ୟା ତଦନ୍ତର ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯିବ- ଧର୍ମେନ୍ଦ୍ର ପ୍ରଧାନ

0
107

By Our Correspondent

SAMBALPUR/ BHUBANESWAR:  ଲୋକମାନଙ୍କ ଉତ୍ସାହ, ଉଲ୍ଲାସ ଏବଂ ଆଶୀର୍ବାଦ ରାଜ୍ୟ ରାଜନୀତିର ଗତିବିଧିକୁ ସ୍ପଷ୍ଟ କରୁଛି । ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ତଥା ଓଡ଼ିଶାରେ ବିଜେପି ସରକାର କରିବା ପାଇଁ ଲୋକମାନେ ମନ ସ୍ଥିର କରିସାରିଛନ୍ତି । ଆସନ୍ତା ମଇ ୨୫ ତାରିଖରେ ସମ୍ବଲପୁର ଦୀର୍ଘ ୨୫ ବର୍ଷର ସରକାରକୁ ପରିବର୍ତ୍ତନ କରିବା ପାଇଁ ଭୋଟ୍ ଦେବ ବୋଲି ଗୁରୁବାର ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପ୍ରଥମେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଥିଲେ । ଏହା ପରେ ସମ୍ବଲପୁର କଚେରି ଛକ ଠାରେ ଆସାମୀୟ କବି ତଥା ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଥିଲେ । ପରେ ଦେବଗଡ଼ ନିର୍ବାଚନମଣ୍ଡଳୀରେ ଆୟୋଜିତ ରୋଡ୍ ସୋ’ରେ ଆସାମ ମୁଖ୍ୟମନ୍ତ୍ରୀ  ଏବଂ ବିଧାୟକ ପ୍ରାର୍ଥୀ ସୁବାଷ ପାଣିଗ୍ରାହୀଙ୍କ ସହ ସାମିଲ ହୋଇଥିଲେ । ରେଙ୍ଗାଲି ନିର୍ବାଚନମଣ୍ଡଳୀରେ ଆୟୋଜିତ ରୋଡ୍ ସୋ’ ଓ  ବିଜୟ ସଂକଳ୍ପ ସଭାରେ ଯୋଗଦେଇ ପଦ୍ମଫୁଲରେ ଭୋଟ୍ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଗୋଟିଏ ପକ୍ଷରେ ସମ୍ବଲପୁର ଏବଂ ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱପ୍ନ ଦେଖିଥିବା ବେଳେ ଅନ୍ୟ ଗୋଟିଏ ପକ୍ଷରେ ଦୀର୍ଘ ୨୫ ବର୍ଷର ବିଜେଡି ସରକାରରେ ପାନୀୟ ଜଳ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ଦାଦନ ସମସ୍ୟା ଓଡ଼ିଶା ଦାରିଦ୍ର୍ୟ ଆଡକୁ ଠେଲି ନେଇଛି । ଏ ସରକାର ଠିକାଦାରମାନଙ୍କ ଦଲାଲି କରୁଛି । ଲୋକଙ୍କ ଜମିରେ ପାଉଁଶ ପକାଇ ହଇରାଣ କରାଯିବା ପାଇଁ ପ୍ରୟାସ ହେଉଛି ।

ଶାସକ ଦଳର ନେତାଙ୍କ ପକେଟ ଗରମ ହେଉଥିବା ବେଳେ ସାଧାରଣ ଲୋକଙ୍କ କିଛି ଉନ୍ନତି ହୋଇନାହିଁ । ଯେଉଁମାନଙ୍କ ପାଖରେ ଯୋଜନା ନାହିଁ, ସେମାନେ ଲୁଟ୍ ଓ ଅତ୍ୟାଚାର କରୁଛନ୍ତି । କିଛି ମାଫିଆ ଓଡ଼ିଶାକୁ କବଜା କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ସେମାନଙ୍କୁ ସାବାଡ଼ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଓଡ଼ିଶାରେ ସୁଶାସନ ଆଣିବାରେ ବିଜେଡି ସରକାର ବାଧା ଦେଉଛି । ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଅବସ୍ଥାରେ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଜଣେ ଭଡ଼ାଟିଆ ଅଛି । ଓଡ଼ିଶାର ମାଲିକ ହେବା ପାଇଁ ସେ ଚେଷ୍ଟା ଚଲାଉଛି । ବୀର ସୁରେନ୍ଦ୍ର ସାଏଙ୍କ ଦାୟଦ ତାମିଲ ଭଡ଼ାଟିଆକୁ ଓଡ଼ିଶାର ଖଣି ଖାଦାନକୁ ଲୁଟ୍ କରିବାକୁ ଦେବେ ନାହିଁ । ଏଥର ଓଡ଼ିଶାର ନେତା ଓଡ଼ିଆ ଲୋକ ହେବ ।

ବିଜେପି କ୍ଷମତାକୁ ଆସିଲେ ଚିଟଫଣ୍ଡ ଦୁର୍ନୀତିର ତଦନ୍ତ ହେବ । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ତଦନ୍ତର ଦାୟିତ୍ୱ ସିବିଆଇକୁ ଦିଆଯିବ । ଏହି ଘଟଣାର ଫୁଙ୍ଖାନୁଫୁଙ୍ଖ ତଦନ୍ତ ହେବ । ଯେଉଁମାନେ ସମ୍ବଲପୁରରେ ହନୁମାନ ଜୟନ୍ତୀକୁ ବନ୍ଦ କରାଇଲେ, ହାଇକୋର୍ଟ ବେଞ୍ଚ ଦାବି କରୁଥିବା ଓକିଲଙ୍କ ଆନ୍ଦୋଳନରେ ବାଧା ସୃଷ୍ଟି କଲେ, ସେମାନଙ୍କୁ ଜେଲ୍ ପଠାଯିବ ।

ବିଜେପିର ସଂକଳ୍ପ ପତ୍ର ଉପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ରାଜ୍ୟରେ ବିଜେପି ସରକାର ହେଲେ ଧାନର ଏମଏସପି କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ଚାଷ ଜମିକୁ ଜଳସେଚନ କରାଯିବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ । ସମସ୍ତ ଗରିବଙ୍କ ମୁଣ୍ଡ ଉପରେ ଛାତ ଘର ସହ ଶୌଚାଳୟ ନିର୍ମାଣ, ରନ୍ଧନ ଗ୍ୟାସ ସମେତ ସବୁ ସୁବିଧା ପ୍ରଦାନ କରାଯିବ । ବିଜେପି କ୍ଷମତାକୁ ଆସିଲେ ‘ମୁକ୍ତ ବିଜୁଳି ଯୋଜନା’ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ମାଗଣାରେ ୩୦୦ ୟୁନିଟ୍ ବିଜୁଳି ମାଗଣାରେ ଯୋଗାଯିବ । ଏଥିପାଇଁ ଘରେ ଘରେ ସୋଲାର ପ୍ୟାନେଲ ଲାଗିବ ।  ଆସନ୍ତା ୨୫ ତାରିଖରେ ବିଜେପି ପ୍ରାର୍ଥୀମାନଙ୍କୁ ଦୁଇ ଥର ପଦ୍ମଫୁଲ ଚିହ୍ନରେ ଭୋଟ୍ ଦେଇ ଜୟଯୁକ୍ତ କରାଇବା ପାଇଁ କେନ୍ଦ୍ରମନ୍ତ୍ରୀ ନିବେଦନ କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here