ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲା ବିଜେପି କୃଷକ ମୋର୍ଚ୍ଚା, କାଳବୈଶାଖୀ ଜନିତ ଫସଲ କ୍ଷୟକ୍ଷତିର ସହାୟତା କୃଷକମାନଙ୍କୁ ଦେବା ଐତିହାସିକ ପଦକ୍ଷେପ

0
354

By Our Correspondent

BHUBANESWAR:  ଓଡ଼ିଶାର ଚାଷୀମାନଙ୍କର ଆୟକୁ ଦୁଇ ଗୁଣା କରିବା ପାଇଁ ଚାଷୀ ଦରଦୀ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନେକ କୃଷକ କଲ୍ୟାଣକାରୀ ଯୋଜନା କରୁଛନ୍ତି। ଏନେଇ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି।

ବିଶେଷ କରି ଲଘୁଚାପଜନିତ ଅଦିନିଆ ଝଡ଼ବର୍ଷା ଅବା କାଳବୈଶାଖୀ ଜନିତ ଫସଲ କ୍ଷୟକ୍ଷତିରେ କୃଷକମାନଙ୍କୁ ସହାୟତା ଦେବା ପାଇଁ କ୍ୟାବିନେଟ୍‌ରେ ନିଷ୍ପତି ନିଆଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ସାହୁ କୃତଜ୍ଞତା ଜଣାଇଛନ୍ତି। ଏହାଛଡ଼ା ଧାନ କୁଇଂଟାଲ ପ୍ରତି ୩୧୦୦ ଟଙ୍କା ଚାଷୀମାନଙ୍କୁ ଦେବା, ୫୮ଟି ସବ୍‌ଡିଭିଜନରେ ଶୀତଳଭଣ୍ଡାର କରିବା, ୧୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଲସେଚିତ କରିବା ନିଷ୍ପତି, ସିଏମ୍ କିଶାନ ଯୋଜନାରେ ୫୧ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀମାନଙ୍କୁ ୨ଟି କିସ୍ତିରେ ବର୍ଷକୁ ୪ ହଜାର ଟଙ୍କା ପ୍ରଦାନ, ଆଳୁ ଚାଷ କରିବା ପାଇଁ ଚାଷୀମାନଙ୍କୁ ହେକ୍ଟର ପିଛା ୫୮ ହଜାର ଟଙ୍କା ପ୍ରୋତ୍ସାହନ ସହାୟତା ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଚାଷୀମାନଙ୍କୁ ସମୃଦ୍ଧ କରିବା ପାଇଁ ସେମାନଙ୍କ ନିକଟରେ କିପରି କୃଷକ କଲ୍ୟାଣକାରୀ ଯୋଜନାଗୁଡ଼ିକ ପହଂଚିବ ସେ ବିଷୟରେ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

ଏସବୁ ଦିଗରେ ବଳିଷ୍ଠ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସାକ୍ଷତକାର ଅବସରରେ ପ୍ରତିଶ୍ରୁତି ଦେଇଛନ୍ତି। ତତ୍‌ସହିତ ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନାଗୁଡ଼ିକ ବିଷୟରେ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ପ୍ରଚାରପ୍ରସାର କରିବା ପାଇଁ କୃଷକମୋର୍ଚ୍ଚା ମୁଖ୍ୟଭୂମିକା ଗ୍ରହଣ କରୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଥିଲେ। ଏହି ଆଲୋଚନା ସମୟରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଶ୍ରୀ ବିକ୍ରମ କେଶରୀ ରାଉତରାୟ ଉପସ୍ଥିତ ଥିଲେ।

 

LEAVE A REPLY

Please enter your comment!
Please enter your name here