ଭୁବନେଶ୍ଵରରେ ଅନ୍ତର୍ଜାତୀୟ ଭାସ୍କର୍ଯ୍ୟ ସିମ୍ପୋଜିୟମ ଉଦଘାଟିତ, ୧୬ ଜଣ ଶିଳ୍ପୀ ୧୫ ଦିନ ଧରି ଗଢିବେ ପ୍ରସ୍ତର ତଥା ସ୍କ୍ରାପ ଭାସ୍କର୍ଯ୍ୟ

0
538

By Our Correspondent

BHUBANESWAR: ଗଣ୍ଡମୁଣ୍ଡାସ୍ଥିତ କଳାଭୂମି ଠାରେ ଉଦଘାଟିତ ହୋଇଛି ୧୫ ଦିନିଆ ଆନ୍ତର୍ଜାତୀୟ ଭାସ୍କର୍ଯ୍ୟ କଳା ସିମ୍ପୋଜିୟମ I ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଖଣି ନିଗମ, ଭୁବନେଶ୍ଵର ମହାନଗର ନିଗମ ଓ ଭୁବନେଶ୍ଵର ଉନ୍ନୟନ ନିଗମ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ପ୍ରଥମ ଥର ପାଇଁ ଭୁବନେଶ୍ଵରରେ ଏପରି ଶିବିର ଆୟୋଜନ କରାଯାଇଛି ।

 ଏହି ସିମ୍ପୋଜିୟମକୁ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀଯୁକ୍ତ ଆର ବାଲକ୍ରୀଷ୍ଣନନ୍ ଶୁଭ ଉଦଘାଟନ କରି ପ୍ରତ୍ୟେକ ଶିଳ୍ପୀଙ୍କୁ ସ୍ଵାଗତ କରିଥିଲେ I ଉଦଘାଟନ ଉତ୍ସବ ଅବସରରେ ବିଶିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ୟାମ ସୁନ୍ଦର ପଟ୍ଟନାୟକ,  ବି.ଏମ୍.ସି ଅତିରିକ୍ତ କମିଶନର ଶ୍ରୀଯୁକ୍ତ ମୟୂର ସୂର୍ଯ୍ୟବଂଶୀ, ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ଵିନୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ I ଷ୍ଟାମ୍ପ-୩.0 କାର୍ଯ୍ୟକ୍ରମ ମଧ୍ୟରେ ଉକ୍ତ ଭାସ୍କର୍ଯ୍ୟ କଳା ଶିବିରକୁ ଅନ୍ତର୍ଭୁକ୍ତ କରାଯାଇଛି I ଏହି ଶିବିରରୁ ପ୍ରସ୍ତୁତ ଭାସ୍କର୍ଯ୍ୟ କଳାଗୁଡିକ ଭୁବନେଶ୍ଵରର ପ୍ରମୁଖ ସ୍ଥାନ ଗୁଡିକରେ ସଂସ୍ଥାପନ କରାଯାଇ ସହରର ଶୋଭା ବୃଦ୍ଧି କରାଯିବ I

ଏହି ସିମ୍ପୋଜିୟମରେ ଆମେରିକାରୁ କାରୋଲ ଟର୍ନର, ଇଟାଲୀରୁ ଏଲିନା ସାରାସିନୋ, କୋରିଆରୁ ସୋଡଙ୍ଗ ଚୋଏ, ଇଜିପ୍ଟରୁ ଖଲିଦ ଅବଦୁଲା, ଫ୍ରାନ୍ସରୁ ଆଲେକ୍ସ ଲବେଜୋଫ ଓ ଗଦାଧର ଓଝା, ଓଡ଼ିଶାରୁ ଶିଳ୍ପୀଗୁରୁ ପ୍ରଭାକର ମହାରଣା, ଦିଲ୍ଲୀରୁ ଚୁଗୁଲି ସାହୁ, କାଳିକିଙ୍କର ଦେ ଓ ଟୁଟୁ ପଟ୍ଟନାୟକ, ମହରାଷ୍ଟ୍ରରୁ ପଙ୍କଜ ଗହଲଟ, ଚଣ୍ଡିଗଡରୁ ବିଶାଲ ଭଟ୍ଟନାଗର, ମୁମ୍ବାଇରୁ ରତନ ସାହା, ବାଙ୍ଗାଲୋରରୁ ଡ. ଜ୍ଞାନେଶ ମିଶ୍ର, କେରଳରୁ ରାଜଶେଖର ନାୟର ଓ ଜାମ୍ମୁ କାଶ୍ମିରରୁ ଚନ୍ଦର ପ୍ରକାଶ ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି I ଭାସ୍କର୍ଯ୍ୟ ଶିଳ୍ପୀମାନେ ଆସନ୍ତା ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ୮ ଫୁଟରୁ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରସ୍ତର ଓ ସ୍କ୍ରାପ ଭାସ୍କର୍ଯ୍ୟ ମାନ ଗଢିବେ I ଏକାଡେମୀର ସଚିବ ଶ୍ରୀ ପଞ୍ଚାନନ ସାମଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଏହି ସିମ୍ପୋଜିୟମ ଅବସରରେ ଭାସ୍କର୍ଯ୍ୟ ଶିଳ୍ପୀମାନଙ୍କ ଜୀବନ ଶୈଳୀ ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କାର୍ଯ୍ୟକ୍ରମ ରହିଛି I    

LEAVE A REPLY

Please enter your comment!
Please enter your name here