ଭଡାରେ ମାଇକ ଅଣାଯାଏ, ନେତା ନୁହେଁ – ଧର୍ମେନ୍ଦ୍ର ପ୍ରଧାନ

0
99

By Our Correspondent

BHUBANESWAR:  ଓଡ଼ିଶାର ବୈଭବ, ସମ୍ମାନ ଓ ସ୍ୱାଭିମାନ ତଥା ଓଡ଼ିଆ ଅସ୍ମିତାକୁ ପ୍ରତିଷ୍ଠିତ କରିବାରେ ଜଗତସିଂହପୁର ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । କିନ୍ତୁ ଆଜି ମା’ ସାରଳାଙ୍କ ଭୂମିରେ ଓଡ଼ିଆ ଅସ୍ମିତା ଦୋ’ ଛକିରେ ଅଛି । ଏଠାରେ ବାହାରୁ ଭଡାରେ ନେତାଙ୍କୁ ଅଣାଯାଉଛି । ଭଡାରେ ମାଇକ ଅଣାଯାଏ, ନେତା ନୁହେଁ । ଏଥିପାଇଁ ସ୍ଥାନୀୟ ସରକାର ବିରୋଧରେ ଆଜି ପରିବର୍ତ୍ତନ ରଣହୁଙ୍କାର ହେଉଛି ବୋଲି ମଙ୍ଗଳବାର ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରେ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଜଳ ଜୀବନ ମିଶନରେ ମୋଦୀ ସରକାର ୧୦ ହଜାର କୋଟି ଟଙ୍କା ଦେଇଛନ୍ତି । ୨୫ ବର୍ଷର ବିଜେଡି ସରକାରରେ ବିଶୁଦ୍ଧ ପାନୀୟ ଜଳ ନାହିଁ ।  ଜମିକୁ ଜଳସେଚନ ହୋଇପାରୁନଥିବାରୁ ଚାଷୀମାନେ ଅସୁବିଧା ଭୋଗୁଛନ୍ତି । ସ୍କୁଲରେ ଶିକ୍ଷକ ନାହାନ୍ତି କି ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଯୁବକ ଯୁବତୀ ମାନେ କାମ ନ ପାଇ ବାହାରକୁ ଦାଦନ ଖଟିବା ପାଇଁ ଯାଉଛନ୍ତି । ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢୁଛି । ଗୋଟିଏ ସରକାର ୨୫ ବର୍ଷ କ୍ଷମତାରେ ରହିବା ପରେ ବି ସାଧାରଣ ସୁବିଧା ଦେଇପାରନ୍ତି ନାହିଁ । କେବଳ ତାମିଲ ଠିକାଦାରଙ୍କ ପକେଟ୍ ଗରମ ହେଉଛି । ଭ୍ରଷ୍ଟାଚାରୀ, ସମ୍ବେଦନହୀନ, ଅପାରଗ ବିଜୁ ଜନତା ଦଳ ସରକାରକୁ ଲୋକମାନେ ଏଥର ସରକାରରୁ ବେଦଖଲ କରିବେ ।

ବିଜେପି ସରକାର ହେଲେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ ।  ସବୁ ଗରିବଙ୍କୁ ପଟ୍ଟା ସହ ପକ୍କା ଘର ଦିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୧୫ ଲକ୍ଷ ଘର ଦିଆଯିବ । ରାଜ୍ୟର ଘରେ ଘରେ ନଳ ଯୋଗେ ପାନୀୟ ଜଳ ପହଞ୍ଚାଯିବ । ଶୌଚାଳୟ ଓ ଉଜ୍ଜ୍ୱଳା ଗ୍ୟାସ ସହ ସବୁ ପ୍ରକାର ସୁବିଧା ଦିଆଯିବ । ବିଜେପି କ୍ଷମତାକୁ ଆସିଲେ ‘ମୁକ୍ତ ବିଜୁଳି ଯୋଜନା’ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ମାଗଣାରେ ୩୦୦ ୟୁନିଟ୍ ବିଜୁଳି ମାଗଣାରେ ଯୋଗାଯିବ ।  ଓଡ଼ିଶାରେ ବକେୟା ଥିବା ୧.୫ ଲକ୍ଷ ସରକାରୀ ନିଯୁକ୍ତି ପୂରଣ ସହିତ ୩.୫ ଲକ୍ଷ ନୂଆ ନିଯୁକ୍ତି ଦିଆଯିବ । ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ । ଏଥର ଓଡ଼ିଶାର ନେତା ଓଡ଼ିଆ ଲୋକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here