ଭଞ୍ଜନଗର ଡ଼ିହପଢାଳ ସରସ୍ୱତୀ ବିଦ୍ୟା ମନ୍ଦିରର ନୂତନ ଭବନ ଉଦଘାଟିତ

0
367

By Our Correspondent

BERHAMPUR/BHUBANESWAR:  ଶିଶୁ ମନ୍ଦିର ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ବିପ୍ଳବ । ଭାରତୀୟ ପଦ୍ଧତି ଓ ମୂଲ୍ୟବୋଧ ଆଧାରିତ ଶିକ୍ଷା, ଗୁଣାତ୍ମକ ଶିକ୍ଷା ଏବଂ ସାଧାରଣ ଲୋକଙ୍କ ପାଇଁ ଶିକ୍ଷା ପ୍ରଦାନ ସହ ଏକ ନୂଆ ପିଢ଼ି ଗଢ଼ିବାରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଭୂମିକା ସବୁଠୁ ବଡ଼ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗୁରୁବାର କଳା, ସାହିତ୍ୟ ଓ ସଂସ୍କୃତିର ଭୂମି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଡ଼ିହପଢାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ଭବନ ଉଦଘାଟନ ଉତ୍ସବରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ନିଜ ଧର୍ମ ଓ ରାଷ୍ଟ୍ରକୁ ଭଲପାଇବା ତଥା ଏହାପାଇଁ ଆନୁଗତ୍ୟ ଦେଖାଇବାରେ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ସବୁବେଳେ ଆଗରେ ରହିଆସିଛନ୍ତି । ଓଡ଼ିଶାରେ ପ୍ରାୟ ୬୧ ହଜାର ସ୍କୁଲ ଥିବାବେଳେ ସେଥିମଧ୍ୟରୁ ଶିଶୁ ମନ୍ଦିରର ସଂଖ୍ୟା ହେଉଛି ପ୍ରାୟ ୧ ହଜାର ।  ଓଡ଼ିଶାରେ ୭୬ ଲକ୍ଷ ଛାତ୍ରଛାତ୍ରୀ ସ୍କୁଲରେ ପାଠ ପଢୁଥିବା ବେଳେ ଶିଶୁ ମନ୍ଦିରରେ ପ୍ରାୟ ୩ ଲକ୍ଷ ୭୦ ହଜାର ପିଲା ପାଠ ପଢୁଛନ୍ତି ।

ଗଞ୍ଜାମର ନୀଳକଣ୍ଠ ନଗର ଶିଶୁ ମନ୍ଦିର ରାଜ୍ୟର ଅଗ୍ରଣୀ ବିଦ୍ୟାଳୟ ଭାବେ ଉଭା ହୋଇଛି । ତେବେ ଶିଶୁ ମନ୍ଦିର ପାଖରେ ଏକ ଯାଦୁ ଅଛି । ପିଲାମାନେ ଏହି ଠାରୁ ପାଠ ପଢି କେବଳ ଡିଗ୍ରୀ ଓ ସାର୍ଟିଫିକେଟ୍ ପାଉନାହାନ୍ତି । ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରି ସମାଜରେ ଜଣେ ଜଣେ ଉତ୍ତମ ନାଗରିକ ହେଉଛନ୍ତି । ଏହି ଶିକ୍ଷା ରୂପକ ମନ୍ଦିରରୁ ପାଠ ପଢୁଥିବା ପିଲାମାନେ ସମାଜରେ ଜଣେ ସଫଳ ଓ ଦାୟିତ୍ୱବାନ ନାଗରିକ ଭାବେ ପରିଚିତ ହେଉଛନ୍ତି, ଯାହା ଆମ ପାଇଁ ଗର୍ବର ବିଷୟ ।

୧୯୯୦ରୁ ସ୍ଥାପିତ ଡ଼ିହପଢାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୩୫ ବର୍ଷ ଧରି ଉପାନ୍ତ ଅଞ୍ଚଳରେ ନିରନ୍ତର ଶିକ୍ଷା ପ୍ରଦାନ କରିଚାଲିଛି । ଭାରତୀୟ ଶିକ୍ଷା ପ୍ରଣାଳୀରେ ଲୋକମାନଙ୍କୁ ଯୋଡିବା ପାଇଁ ଭଞ୍ଜ ମାଟିରେ ପ୍ରତିଷ୍ଠିତ ଏହି ଶିଶୁ ମନ୍ଦିରରୁ ପାଠ ପଢି ଅନେକ ଛାତ୍ରଛାତ୍ରୀ ଆଇଆଇଟି ଓ ଏନଆଇଟିରେ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି ତ ଅନେକ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ଅନେକ ଛାତ୍ରଛାତ୍ରୀ ପ୍ରଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି, ଯାହା ପ୍ରଶଂସନୀୟ ।  ବଣମଲ୍ଲିଙ୍କୁ ଲୋକଲୋଚନକୁ ଆଣିବାରେ ଏହି ଶିଶୁ ମନ୍ଦିର ଅଗ୍ରଣୀ ଭୂମିକା ନେଇଛି । ଏହି ବିଦ୍ୟା ମନ୍ଦିରର ବିକାଶ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି ।

ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଓଡ଼ିଶା ସମେତ ଦେଶରେ ଜାତୀୟ ଶିକ୍ଷା ନୀତି – ୨୦୨୦ ଲାଗୁ ହୋଇଛି । ନିଜ ପାଇଁ ନୁହେଁ, ଜାତି, ସମାଜ ଏବଂ ଆମ ସଂସ୍କୃତିର ଉତ୍ଥାନ ପାଇଁ ନିରନ୍ତର କାମ କରିବାର ବିଚାର ଏହି ଶିକ୍ଷା ନୀତିରେ ଅନ୍ତର୍ନିହିତ ଅଛି । ଏହି ବିଚାର ଉତ୍ପନ୍ନ ହୋଇଛି ବିଦ୍ୟା ଭାରତୀ, ଶ୍ରୀଅରବିନ୍ଦ ସ୍କୁଲ, ସତ୍ୟସାଇ ସ୍କୁଲ ଓ ଚିନ୍ମୟ ମିଶନ ଭଳି ଅନୁଷ୍ଠାନମାନଙ୍କରୁ ।

ଏହି ଅବସରରେ ଶ୍ରୀ ପ୍ରଧାନ ଭାରତକୁ ସାମାଜିକ ଓ ଆର୍ଥିକ ସ୍ତରରେ ପରାଧୀନ ରଖିବା ପାଇଁ ଟି.ବି.ମାକାଉଲେ ପ୍ରଚଳନ କରିଥିବା ଶିକ୍ଷା ପଦ୍ଧତି, ଷଡଯନ୍ତ୍ର ଏବଂ ଶିକ୍ଷା ପ୍ରଣାଳୀକୁ ବଜାୟ ରଖିଥିବା ଦେଶର ମହାପୁରୁଷଙ୍କ ଉପରେ ଆଲୋକପାତ କରିଥିଲେ ।  ସେ ଆହୁରି କହିଥିଲେ ୱିଲିଅମ ସେକ୍‌ସପିୟର ଙ୍କ କାବ୍ୟଠୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ “ବୈଦେହୀଶ ବିଳାସ” କେଉଁ ଗୁଣରେ କମ ନଥିଲା । ଏହା ଭାରତୀୟତା ମୂଳ ଚରିତ୍ର । ଏହିପରି ଅନେକ ମହାପୁରୁଷଙ୍କ କାରଣରୁ ବ୍ରିଟିଶମାନେ ଭାରତୀୟ ଶିକ୍ଷା ପ୍ରଣାଳୀକୁ ନଷ୍ଟ କରିପାରିନଥିଲେ । ଏହି ପରମ୍ପରାକୁ ବଜାୟ ରଖି ଭାରତୀୟ ଶିକ୍ଷା ସହ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ପାଇଁ  ଆମ ସମସ୍ତଙ୍କ ସାମୂହିକ ଦାୟିତ୍ୱ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାକୁ ସମୃଦ୍ଧ କରିବାକୁ ପଡ଼ିବ । ଭଞ୍ଜ ସାହିତ୍ୟକୁ ବଞ୍ଚାଇବା ପାଇଁ ପଡିବ । ୨୦୩୬ ସୁଦ୍ଧା ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରୁଥିବା ବେଳେ ଗଞ୍ଜାମ ଓ ଓଡ଼ିଶାକୁ ବିକଶିତ କରିବା ପାଇଁ ହେବ । ଏହି ଭଞ୍ଜ ଭୂମିରୁ ବାହାରୁ ଥିବା ପିଲାମାନେ ବିଶ୍ଵ ସମସ୍ୟାର ସମାଧାନ କରିବେ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here