ବାଗ୍ମୀ ବିଶ୍ୱନାଥ କର ଓ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
59

By Our Correspondent

BHUBANESWAR:  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଓଡ଼ିଶା ବିଧାନସଭା ପରିସରରେ ବାଗ୍ମୀ ବିଶ୍ୱନାଥ କର ଏବଂ କଟକରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୃଥକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବାଗ୍ମୀ ବିଶ୍ୱନାଥ କର ହେଉଛନ୍ତି ଓଡ଼ିଶାର ପ୍ରବୀଣ ସାହିତ୍ୟିକ ଓ ସମାଜ ସଂସ୍କାରକ । ତାଙ୍କ ଜୟନ୍ତୀରେ ଓଡ଼ିଶା ବିଧାନସଭା ପରିସରରେ  ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଆମେ ଗର୍ବିତ । ଓଡ଼ିଆ ସାହିତ୍ୟକୁ ଉଜ୍ଜ୍ୱଳ କରିବାରେ ବିଶ୍ୱନାଥ କର ଆପ୍ରାଣ ଉଦ୍ୟମ କରିଥିଲେ । ସମାଜର ବିଭିନ୍ନ କ୍ଷେତ୍ରରେ ତାଙ୍କର ନିଷ୍ଠାପର କାର୍ଯ୍ୟଗୁଡ଼ିକ ଯୁବ ସମାଜକୁ ସର୍ବଦା ପ୍ରେରିତ କରିବ ବୋଲି ସେ କହିଛନ୍ତି ।

ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ତଥା ସୁଶାସନ ଦିବସର ଅବ୍ୟବହିତ ପୂର୍ବରୁ ଐତିହାସିକ ସହର କଟକରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ କରିବା ଆମର ସୌଭାଗ୍ୟ । କଟକରେ ଅଟଳଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ପୂର୍ବତନ ମନ୍ତ୍ରୀ ତଥା ଲୋକପ୍ରିୟ ଜନନେତା ସ୍ୱର୍ଗତ ସମୀର ଦେ’ଙ୍କ ଇଚ୍ଛା ଥିଲା, ଯାହା ଆଜି ପୂରଣ ହୋଇଛି ।

ସୁଶାସନ ଓ ଆର୍ଥିକ ବିକାଶର ପଥ ପ୍ରଦର୍ଶକ ଅଟଳୀଙ୍କର ଓଡ଼ିଶାର ବିକାଶ ପ୍ରତି ଅବଦାନ ଅତୁଳନୀୟ । ୧୯୯୯ ମସିହାର ମହାବାତ୍ୟାରେ ଓଡ଼ିଶାର ପୁନଃନିର୍ମାଣ ପାଇଁ ଅଟଳଜୀଙ୍କ ସମ୍ବେଦନଶୀଳ ଦୃଷ୍ଟିକୋଣ ଥିଲା ସ୍ୱତନ୍ତ୍ର । ଓଡ଼ିଶାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ, ଏହା ଥିଲା ଅଟଳଜୀଙ୍କର କାଳଜୟୀ ବାକ୍ୟ । ମହାବାତ୍ୟା ପ୍ରଭାବିତଙ୍କ ପାଇଁ ରିଲିଫ ହେଉ ଅଥବା ମୁଣ୍ଡ ଉପରେ ପକ୍କା ଘର ବା ଦୀର୍ଘମିଆଦି ଭିତ୍ତିଭୂମିର ବିକାଶ – ଏ ସବୁ ପାଇଁ ଅଟଳଜୀଙ୍କ ଯୋଗଦାନ ଚିରସ୍ମରଣୀୟ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here