ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଓ ୟୁକୋ ଆରସେଟି, କଟକ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

0
346

By Our Correspondent

CHOUDWAR/BHUBANESWAR: ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତ୍ଵ ବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ, ଚୌଦ୍ୱାର ଓ ୟୁକୋ ଆରସେଟି, କଟକ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ସ୍ଥାନୀୟ ବାଣୀପଦା ପଞ୍ଚାୟତ୍ତ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆରମ୍ଭ ହୋଇଯାଇଛି ।

୧୩ ଦିନବ୍ୟାପୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇମ୍ଫା ଶିଳ୍ପ ଗୋଷ୍ଠୀର ଡି. ଜି.ଏମ, ଶ୍ରୀଯୁକ୍ତ ଧୃବଚରଣ ରାଉତ ଯୋଗ ଦେଇଥିଲା ବେଳେ, ଅନ୍ୟତମ ଅତିଥି ଭାବେ ବିଧାୟକ ପ୍ରତିନିଧି ତଥା ସମାଜ ସେବୀ ଶ୍ରୀଯୁକ୍ତ ତୀର୍ଥାନନ୍ଦ ସୁବୁଦ୍ଧିରାୟ, ୟୁକୋ ଆରସେଟି, କଟକର ସିନିୟର ଫ୍ୟାକଲ୍ଟି ଶ୍ରୀ ଅମିତ ମହାନ୍ତି ଓ ଅଞ୍ଚଳର ବିଶିଷ୍ଟ ବୁଦ୍ଧିଜୀବୀ ଶ୍ରୀଯୁକ୍ତ ଲକ୍ଷ୍ମଣ ରାଉତ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ପ୍ରାୟ ୫୦ରୁ ଊର୍ଦ୍ଧ୍ଵ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଯୋଗଦେଇଥିଲେ । ଏହି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ସଫ୍ଟ ଟଏଜ ପ୍ରସ୍ତୁତି ଓ ବିକ୍ରି ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯିବ । ଫାଉଣ୍ଡେସନର ଅଧିକାରୀ ଶ୍ରୀ ଆଶିଷ ଦାସ ସ୍ଵାଗତ ଭାଷଣ ଦେଇଥିବା ବେଳେ ଡି. ଜି.ଏମ, ଶ୍ରୀଯୁକ୍ତ ଧୃବଚରଣ ରାଉତ ଇମ୍ଫା ଶିଳ୍ପଗୋଷ୍ଠୀ ଓ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ତରଫରୁ ଅଞ୍ଚଳର ଉନ୍ନତି ପାଇଁ ନିଆଯାଇଥିବା ବିଭିନ୍ନ ପ୍ରକାରର ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ।

 ଅଞ୍ଚଳରେ ଆଗରୁ ଛତୁ ଚାଷ ତାଲିମ, ଫଳ ଓ ପରିବା ସଂରକ୍ଷଣ ଓ ପ୍ରକ୍ରିୟାକରଣ, ଫିନାଇଲ, ଅଗରବତୀ ତିଆରି ଭଳି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ମାଧ୍ୟମରେ କିଭଳିଭାବରେ ମହିଳାମାନେ ଘରେରହି ରୋଜଗାର କରିବା ସହିତ ସ୍ୱାବଲମ୍ବୀ ହୋଇପାରିଛନ୍ତି ବୁଝାଇଥିଲେ ।

ବିଧାୟକ ପ୍ରତିନିଧି ତଥା ସମାଜ ସେବୀ ଶ୍ରୀଯୁକ୍ତ ତୀର୍ଥାନନ୍ଦ ସୁବୁଦ୍ଧିରାୟ ଇମ୍ଫା ଓ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନର ଏହିଭଳି ପଦକ୍ଷେପକୁ ପ୍ରଶଂସା କରିବା ସହିତ ପଞ୍ଚାୟତ୍ତ ତରଫରୁ ଏଦିଗରେ ସମସ୍ତପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ୟୁକୋ ଆରସେଟି, କଟକର ସିନିୟର ଫ୍ୟାକଲ୍ଟି ଶ୍ରୀ ଅମିତ ମହାନ୍ତି ଅନୁଷ୍ଠାନର ବିଭିନ୍ନ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ବିଷୟରେ ବୁଝେଇବା ସହିତ ଏହି ୧୩ ଦିନ ବ୍ୟାପୀ “ସଫ୍ଟ ଟଏଜ ପ୍ରସ୍ତୁତି ଓ ବିକ୍ରି ସମ୍ବନ୍ଧୀୟ” ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ମାନେ କିଭଳି ଭାବେ ରୋଜଗାର କରିପାରିବେ କହିଥିଲେ ।

 ଅଞ୍ଚଳର ବିଶିଷ୍ଟ ବୁଦ୍ଧିଜୀବୀ ଶ୍ରୀଯୁକ୍ତ ଲକ୍ଷ୍ମଣ ରାଉତ ଫାଉଣ୍ଡେସନର କାର୍ଯ୍ୟକ୍ରମଗୁଡିକୁ ପ୍ରଶଂସା କରିବା ସହିତ ବିଗତ ଦିନରେ ଫାଉଣ୍ଡେସନ ଦ୍ଵାରା ଅଞ୍ଚଳରେ କରାଯାଇଥିବା ବିଭିନ୍ନ ପ୍ରକାରର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଦ୍ଵାରା ଅଞ୍ଚଳରେ ମହିଳା ମାନେ କିପରି ରୋଜଗାରକ୍ଷମ ହୋଇପାରିଛନ୍ତି କହିଥିଲେ ଓ ଏହି ସଫ୍ଟ ଟଏଜ ପ୍ରସ୍ତୁତି ଓ ବିକ୍ରି ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଆଶାପ୍ରକଟ କରିଥିଲେ ।

 କାର୍ଯ୍ୟକ୍ରମରେ ୟୁକୋ ଆରସେଟି ତରଫରୁ ପ୍ରଶିକ୍ଷାର୍ଥୀ ମାନଙ୍କୁ ପୋଷାକ ଓ ପାଠ୍ୟସାମଗ୍ରୀ ବଣ୍ଟନ କରଯାଇଥିଲା । ଶେଷରେ ଫାଉଣ୍ଡେସନର ଅଧିକାରୀ ଶ୍ରୀ ଆଶିଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଫାଉଣ୍ଡେସନ ତରଫରୁ ଏହି କାର୍ଯ୍ୟକ୍ରମକୁ ଶ୍ରୀ ରାକେଶ ମିଶ୍ର, ଶ୍ରୀ ଚନ୍ଦ୍ରଶେଖର ମହାପାତ୍ର, ସୁଶ୍ରୀ ଶୁଭଶ୍ରୀ ନାଏକ, ଶ୍ରୀମତୀ ପିଙ୍କି ସାହୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here