By Our Correspondent
CUTTACK/BHUBANESWAR: ପୂର୍ବତନ ଆଇ.ଜି.ପି ଅନାଦି ଚରଣ ସାହୁଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ ସଂଘର ସଦସ୍ୟଗଣ ଦୁଃଖ ପ୍ରକାଶ କରିଛନ୍ତି l ଆଜି ଅପରାହ୍ନରେ କଟକସ୍ଥିତ ରାମକୃଷ୍ଣ ପାଢୀ ମେମୋରିଆଲ ହଲ ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା।
ଏହା ସହ ସ୍ଵର୍ଗତ ସାହୁଙ୍କ ସ୍ମତିଚାରଣ କରାଯାଇଥିଲା l ଏହି ଅବସରରେ ସ୍ଵର୍ଗତ ସାହୁଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା l ସଂଘ ତରଫରୁ ସ୍ଵର୍ଗତ ସାହୁଙ୍କ ପରିବାର ବର୍ଗଙ୍କ ପ୍ରତି ମଧ୍ୟ ସମବେଦନା ଜ୍ଞାପନ କରାଯାଇଥିଲା l
ସ୍ଵର୍ଗତ ସାହୁ କେବଳ ଜଣେ ଦକ୍ଷ ଆଇ.ପି.ଏସ ଅଧିକାରୀ ନୁହଁ ସେ ଏକାଧାରରେ ଜଣେ ସୁସାହିତ୍ଯିକ, ସୁଲେଖକ ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଡ଼ିଜିପି ଶ୍ରୀ ଷଡଙ୍ଗୀ କହିଥିଲେ । ଏହା ସହ ନିଜର ଚାକିରି କାର୍ଯ୍ୟକାଳ ସମୟରେ ବିଭିନ୍ନ ଗୁରୁତ୍ଵପୂର୍ଣ ପଦପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରିଥିଲେ। ତାଙ୍କ ବିୟୋଗ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଡ଼ିଜିପି ନିଜ ପ୍ରତିକିୟାରେ କହିଥିଲେ । ପ୍ରାରମ୍ଭରେ ଆଇପିଏସ ସଂଘର ସମ୍ପାଦକ ତଥା ପୋଲିସ କମିଶନର (ଭୁବନେଶ୍ବର-କଟକ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ଵର୍ଗତ ସାହୁଙ୍କ ଚାକିରୀ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ l
ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ (ଏସସିଆରବି) ଶ୍ରୀ ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଆର. କେ. ଶର୍ମା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ରାଜେଶ କୁମାର, ଆଇ.ଜି.ପି.(ପ୍ରୋଭିଜନିଙ୍ଗ) ଶ୍ରୀ ଯତୀନ୍ଦ୍ର କୋୟଲ, ଆଇ.ଜି.ପି. (ପର୍ସୋନେଲ) ଶ୍ରୀ ପ୍ରବୀଣ କୁମାର, ଆଇ.ଜି.ପି (କମ୍ଯୁନିକେସନ) ଶ୍ରୀ ସତୀଶ ଗୋଜଭିୟେ, ଆଇ.ଜି.ପି (ଭିଜିଲ।ନ୍ସ ), ଶ୍ରୀ ସଞ୍ଜୟ କୁମାର କୌଶଲ, ଆଇ.ଜି.ପି (କେନ୍ଦ୍ରାଞ୍ଚଳ) ଶ୍ରୀ ଆଶିଷ କୁମାର ସିଂ, ଡି.ଆଇ.ଜି. (ଭିଜିଲ।ନ୍ସ ), ଶ୍ରୀ ପ୍ରକାଶ ଆର ପ୍ରମୁଖ ଉପସ୍ଥିତ ଥିଲେ lପୋଲିସ କମିଶନର (ଭୁବନେଶ୍ବର-କଟକ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l