ପୂର୍ଣାଂଗ ଅତ୍ଯାଧୁନିକ ତଥା ବୈଷୟିକ ଯାଂଚ ପରେ ଏ.ଏସ୍.ଆଇ ରତ୍ନ ଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ଯ ଅବିଳମ୍ବେ ସାରିବାକୁ ମୁଖ୍ଯ ପ୍ରଶାସକ ଅନୁରୋଧ କରିଛନ୍ତି

0
39

By Our Correspondent

BHUBANESWAR : ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ.ଆଇ ) ପକ୍ଷରୁ ଆଜି ପୁଣିଥରେ ରତ୍ନଭଣ୍ଡାରର ସର୍ଭେ କରାଯାଇଛି । ବୈଷୟିକ ଉପକରଣ ବ୍ୟବହାର କରାଯାଇ ଏହି ବୈଜ୍ଞାନିକ ସର୍ବେକ୍ଷଣ କରାଯାଇଛି । ଆସନ୍ତାକାଲି ମଧ୍ୟ ଏହି ସର୍ଭେ ଚାଲିବ । ସେହିପରି ଆସନ୍ତାକାଲି ମଧ୍ୟ ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ଘ.1:00 ଣ୍ଟା ଠାରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସେହି ସମୟରେ ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିପାରିବେ ।

ଆଜି ଏ.ଏସ.ଆଇ  ପକ୍ଷରୁ ଆଜି ପୁଣିଥରେ ରତ୍ନଭଣ୍ଡାରର ସର୍ଭେ କରାଯିବାକୁ ଥିବାରୁ ବିଶେଷ ନୀତି ନିର୍ଘଣ୍ଟ ହୋଇଥିଲା । ରାତି 2 ଘ 35 ମିନିଟ୍ ସମୟରେ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହୋଇଥିବା ବେଳେ ନିଜେ ମୁଖ୍ୟ ପ୍ରଶାସକ ଉପସ୍ଥିତ ରହି ନୀତି ତ୍ୱରାନ୍ୱିତ କରିଥିଲେ l ଧାର୍ଯ୍ୟ ନୀତିକାନ୍ତି ଶେଷ ହେବା ପରେ ଦିନ 1ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ହୋଇଥିଲା । ଦିନ ପ୍ରାୟ 2 ଟା ବେଳେ ମିଳିତ ଟିମ ବୈଷୟିକ ଉପକରଣ ସହ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ । ସନ୍ଧ୍ୟା ପ୍ରାୟ 6 ଟା ବେଳେ ଆଜିର ପ୍ରକ୍ରିୟା ଶେଷ ହୋଇଥିଲା ।

ଏନେଇ ମୁଖ୍ୟ ପ୍ରଶାସକ ଡା ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ଯେ, ମହାପ୍ରଭୁଙ୍କ ଆଶୀର୍ବାଦରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ବୈଷୟିକ ସର୍ଭେ କରାଯାଇଛି । ଆଜି 4 ଘଣ୍ଟା ଧରି ସର୍ବେକ୍ଷଣ କରାଗଲା । ତେବେ ଏହା ଅସମ୍ପୂର୍ଣ୍ଣ ଥିବାରୁ ଆସନ୍ତାକାଲି ମଧ୍ୟ ଏହି ସର୍ଭେ ଅନୁଷ୍ଠିତ ହେବ । ଏଥିପାଇଁ ସହଯୋଗ ସକାଶେ ଭକ୍ତଗଣ, ସେବକ, ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ରଥ, ଏ.ଏସ.ଆଇର ବୈଷୟିକ ଟିମ୍, ଶ୍ରୀମନ୍ଦିର ପ୍ରଶାସନ ତଥା ଜିଲ୍ଲା ପ୍ରଶାସନର କର୍ମଚାରୀ, ପୋଲିସ୍ ପ୍ରଶାସନ ଏବଂ ଗଣମାଧ୍ୟମକୁ ଧନ୍ୟବାଦ ଅର୍ପଣ କରିଛନ୍ତି ମୁଖ୍ୟ ପ୍ରଶାସକ । ସେହିପରି ଦର୍ଶନରେ ବ୍ୟାଘାତ ପାଇଁ ଭକ୍ତଗଣଙ୍କୁ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ଷମାପ୍ରାର୍ଥନା କରିଛନ୍ତି ।

ପୂର୍ବରୁ ଗତ 18 ସେପଟେମ୍ବର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କାର୍ଯ୍ୟ ଏ.ଏସ୍.ଆଇ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ସେହି ଦିନ ସର୍ଭେ ସମୟରେ ଏ.ଏସ୍.ଆଇର ବୈଷୟିକ ଟିମର ମୁଖ୍ୟ ଏବଂ  ସି.ଏସ.ଆଇ.ଆର୍-ଏନ.ଜି.ଆର.ଆ ର ମୁଖ୍ୟ ବୈଜ୍ଞାନିକ ଆଉ ଏକ ରାଉଣ୍ଡ ସର୍ଭେ କରିବାକୁ ମତାମତ ଦେଇଥିଲେ । ରାଡାର୍ ପେନିଟ୍ରେଟିଂ ସିସ୍ଟମ୍ ତଥା ଅନ୍ୟ ବୈଷୟିକ ଉପକରଣ ବ୍ୟବହାର କରାଯାଇ ଏହି ସର୍ଭେ କରିବା ପରେ ହିଁ ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ  ବୈଷୟିକ ଟିମ୍ ପ୍ରସ୍ତାବ ଦେଇଥିଲେ । ସେପଟେମ୍ବର 24 ତାରିଖ ଠାରୁ ଷୋଳ ପୂଜା ସମ୍ପର୍କିତ ନୀତିକାନ୍ତି ଆରମ୍ଭ  ହେବା ପୂର୍ବରୁ ବାକି ଥିବା ସର୍ଭେ ଶେଷ କରି ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ଗୁରୁତ୍ବରୋପ କରି ଏ.ଏସ.ଆଇ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖିଥିଲେ । ତଦନୁସାରେ, 21 ତାରିଖରୁ 23 ମଧ୍ୟରେ ତିନିଦିନ ସର୍ଭେ କରାଯିବାକୁ ସ୍ଥିର ହୋଇଥିଲା ।

ରାଜ୍ୟ ସରକାରଙ୍କ ଅନୁମୋଦିତ  SOP ଅନୁସାରେ   ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଂଗ୍ କୋଠରୀକୁ ସ୍ଥାନାନ୍ତରଣ ଏବଂ ଖାଲି ଆଲମିରା ତଥା ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇ ସାରିଛି l ତାପରେ ଏ.ଏସ୍.ଆଇ କୁ ସଂରକ୍ଷଣ ତଥା ମରାମତି କାର୍ଯ୍ଯ ହାତକୁ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲେ।  ତେବେ ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିଲା l ଏହା  ଦ୍ବାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପ୍ରତି ଧ୍ୟାନ ଦେବାକୁ ଏ.ଏସ୍.ଆଇ କୁ ଅନୁରୋଧ କରାଯାଇଥିଲା l ପୂର୍ଣାଂଗ ଅତ୍ଯାଧୁନିକ ତଥା ବୈଷୟିକ ଯାଂଚ ପରେ ଏ.ଏସ୍.ଆଇ ରତ୍ନ ଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ଯ ଅବିଳମ୍ବେ ସାରିବାକୁ ମୁଖ୍ଯ ପ୍ରଶାସକ ଅନୁରୋଧ କରିଛନ୍ତି।

 

 

LEAVE A REPLY

Please enter your comment!
Please enter your name here