By Our Correspondent
BHUBANESWAR: ପୁରୀ ଲିଟେରାରୀ ଫେଷ୍ଟିଭାଲ-୨୦୨୫ ; ଭାଷା, ସାହିତ୍ୟ, ଜ୍ଞାନ ଏବଂ ଓଡ଼ିଶାର ଭବ୍ୟ ସାରସ୍ୱତ ପରମ୍ପରାକୁ ଜାଣିବାର ଏକ ମହାନ ଅବସର ବୋଲି ପୁରୀ ଠାରେ ଆୟୋଜିତ ଏହି ଉତ୍ସବର ଉଦଦଘାଟନୀ ସମାରୋହରେ ଭିଡ଼ିଓ ବାର୍ତ୍ତା ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁରୀ ଲିଟେରାରୀ ଫେଷ୍ଟିଭାଲ-୨୦୨୫ରେ ଯୋଗ ଦେଇଥିବା ସୁନାମଧନ୍ୟ ଲେଖକ, ଲେଖିକା, ବୁଦ୍ଧିଜୀବୀ, ପୁସ୍ତକ ପ୍ରେମୀ,ବ୍ୟକ୍ତିବିଶେଷ ଏବଂ ସାମ୍ବାଦିକ ଭାଇ ଭଉଣୀମାନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାବନ ଭୂମିକୁ ସ୍ୱାଗତ ଜଣାଇଛନ୍ତି । ସେ କହିଛନ୍ତି ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ସାରସ୍ୱତ ମହତ୍ତ୍ୱ ରଖୁଥିବା ସ୍ଥାନ ହେଉଛି ଶ୍ରକ୍ଷେତ୍ର ପୁରୀ । ଶ୍ରୀକ୍ଷେତ୍ର ପୁରୀ ହେଉଛି ଶ୍ରୀ ଜୟଦେବଙ୍କ ରଚିତ “ଗୀତ ଗୋବିନ୍ଦ”, ଶ୍ରୀ ଜଗନ୍ନାଥ ଦାସଙ୍କ ଲିଖିତ “ଓଡ଼ିଆ ଭାଗବତ”, ସିଦ୍ଧ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ ତଥା ଭକ୍ତ ସାଲବେଗଙ୍କ ରଚିତ ଜଣାଣର ଜନାଦୃତି ହୋଇଥିବା ଆଦି ପୀଠ । ସେଭଳି ଏକ ସ୍ଥାନରେ ପୁରୀ ଲିଟେରାରୀ ଫେଷ୍ଟିଭାଲର ପ୍ରଥମ ସଂସ୍କରଣ ଏପ୍ରିଲ ୧୮ରୁ ଏପ୍ରିଲ ୨୦ ପର୍ଯ୍ୟନ୍ତ ତିନି ଦିନ ଧରି ଆୟୋଜନ ହେବା ଆମ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ଆୟୋଜନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ତଥା ଅଧ୍ୟୟନ ଫାଉଣ୍ଡେସନ ଫର୍ ପଲିସ ଆଣ୍ଡ୍ ରିସର୍ଚ୍ଚକୁ ସାଧୁବାଦ ଜଣାଉଛି ।
ଏହି ଉତ୍ସବରେ ସମଗ୍ର ବିଶ୍ୱରୁ ପ୍ରାୟ ୧୦୦ରୁ ଅଧିକ ବୁଦ୍ଧିଜୀବୀ, ସଫଳ ଉଦ୍ୟମୀ, ବ୍ୟକ୍ତିବିଶେଷ ଏବଂ ଏନବିଟି, ଜାଇକା ଏବଂ ଓ୍ୱେଷ୍ଟଲ୍ୟାଣ୍ଡ୍ ଭଳି ଅନେକ ପ୍ରକାଶକ ସଂସ୍ଥା ଯୋଗଦେଉଛନ୍ତି । ତିନି ଦିନ ଧରି ଚାଲିବାକୁ ଥିବା ଏହି ସମାରୋହରେ ଓଡ଼ିଶାର ପରିଚୟ – ଶ୍ରୀଜଗନ୍ନାଥ, ସାମାଜିକ ଏବଂ ସାଂସ୍କୃତିକ ଦୃଶ୍ୟପଟ୍ଟରେ ଓଡ଼ିଶା, ଏକବିଂଶ ଶତାବ୍ଦୀରେ ଓଡ଼ିଆ ସାହିତ୍ୟ, ୨୦୩୬ର ଓଡ଼ିଶା ଏବଂ ପୂର୍ବୋଦୟର କଳ୍ପନା, ଭାରତୀୟ ସାହିତ୍ୟ ପରମ୍ପରାରେ ମହିଳାଙ୍କ ଭୂମିକା, ଷ୍ଟାର୍ଟଅପ, ସଫଳ ଉଦ୍ୟମୀଙ୍କ କାହାଣୀ, ସମାଜରେ ଲେଖକଙ୍କ ଭୂମିକା ଆଦି ଅନେକ ବିଷୟରେ ଚର୍ଚ୍ଚା ଆଲୋଚନା କରାଯିବ । ପ୍ରଥମ ଥର ପାଇଁ ପବିତ୍ର ଶ୍ରୀକ୍ଷେତ୍ର ମାଟିରେ ଆୟୋଜିତ ହେଉଥିବା ଏହି ଫେଷ୍ଟିଭାଲ ସମଗ୍ର ଓଡ଼ିଶା ପାଇଁ ଜ୍ଞାନ ଏବଂ ଆଦାନପ୍ରଦାନର ଏକ ମହାର୍ଘ ଅବକାଶ ହେବ ବୋଲି ମୋର ବିଶ୍ୱାସ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଇତିହାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାର ନାଁ ଉଜ୍ଜ୍ୱଳ । ଓଡ଼ିଆ ଜାତିର ପରିଚୟ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ସିଦ୍ଧ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ ଆଦି ଶାଶ୍ୱତ ରଚନାବଳୀ ଏହି ମାଟିରୁ ସୃଷ୍ଟି । ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ କାଳଜୀୟ ବିଚାର “ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ” ବିଶ୍ୱକୁ ନୂଆ ଦିଗଦର୍ଶନ ଦେଇଛି । ପାଇକ ବିଦ୍ରୋହ, କୁଦୋପାଲିର ଗୌରବମୟ ଇତିହାସ, ଜୟୀ ରାଜଗୁରୁଙ୍କ ବଳିଦାନ, ବକ୍ସି ଜଗବନ୍ଧୁଙ୍କ ପରାକ୍ରମ, ବୀର ସୁରେନ୍ଦ୍ର ସାଏଙ୍କ ଭଳି ଯୋଦ୍ଧା ଆମ ଇତିହାସରେ ବିରଳ । ଓଡ଼ିଶାର ବରପୁତ୍ର ଓ ବୀରଙ୍ଗନା ଗଣ ଯଥା ଉତ୍କଳମଣି ଗୋପବନ୍ଧୁ ଦାସ, କୁଳବୃଦ୍ଧ ମଧୁବାବୁ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀର ମୋହନ ସେନାପତି, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେର, ରମାଦେବୀ ଓ ମାଳତୀ ଦେବୀ ଓଡ଼ିଆ ଜାତିର ଗର୍ବ ଗୌରବ।
କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀ ବଡ ଦେଉଳ, ଲିଙ୍ଗରାଜ ମନ୍ଦିର ଓଡ଼ିଆ ଜାତିର ବୈଜ୍ଞାନିକ ପୃଷ୍ଠଭୂମିର ବଡ ପ୍ରମାଣ । ବାଲିଯାତ୍ରା ଆମର ସମୃଦ୍ଧ ନୌବାଣିଜ୍ୟର ମୁକସାକ୍ଷୀ । ରଘୁରାଜପୁରର ପଟ୍ଟଚିତ୍ର, ସମ୍ବଲପୁରୀ ଶାଢୀ, ମାଣିଆବନ୍ଧ ଶାଢୀ, ପିପିଲି ଚାନ୍ଦୁଆ ଏବଂ ସୂକ୍ଷ୍ମ କାରିଗରୀ ବିଶ୍ୱବିଦିତ । ମହାପ୍ରଭୁଙ୍କ ରଥଯାତ୍ରା, ଚନ୍ଦନ ଯାତ୍ରା, ଝୁଲଣ ଯାତ୍ରା, ସାହି ଯାତ, ସମ୍ବଲପୁର ଶୀତଳ ଷଷ୍ଠୀ, ବରଗଡ଼ ଧନୁଯାତ୍ରା ଆଦି ପର୍ବପର୍ବାଣି ଆମର ଅନନ୍ୟ ପରିଚୟ । ପଖାଳ ଭାତ, ଦହିବରା, ଛେନାପୋଡ, ରୋସୋଗଲା, ସରସତିଆ, ଡାଲମା, ଆରିସା ପିଠା ଓଡ଼ିଆଙ୍କ ପ୍ରାଣ । ଓଡ଼ିଶାର ଏହି ଗରିମା, ଐତିହ୍ୟ ଏବଂ ଇତିହାସ ପୃଷ୍ଠାରେ ଅନାଲୋଚିତ କାହାଣୀକୁ ଲୋକଲୋଚନକୁ ଆଣିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଡ ଭକ୍ତ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଦ୍ଧ ପରିକର ।
ପୁରୀ ଲିଟେରାରୀ ଫେଷ୍ଟିଭାଲରେ ଓଡ଼ିଶାର ଅତୀତ, ବର୍ତ୍ତମାନର ଗୌରବମୟ ଯାତ୍ରା ସହ ଭବିଷ୍ୟତର ସମ୍ଭାବନା ଉପରେ ଆଲୋଚନା ହେଉ । ଓଡ଼ିଶାକୁ ଆସୁଥିବା ବାହାରର ଅତିଥିମାନେ ପୁରୀ ଏବଂ ଓଡ଼ିଶାର ପର୍ୟ୍ୟାଟନକୁ ଅନୁଭବ କରିବା ସହ ସ୍ୱାଦିଷ୍ଟ ଓଡ଼ିଆ ଖାଦ୍ୟର ମଜା ଉଠାନ୍ତୁ । ୨୦୩୬ରେ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ୨୦୪୭ରେ ଭାରତକୁ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ । ଏହି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ ଗଠନରେ ସମସ୍ତଙ୍କ ଉଦ୍ୟମ ରହୁ, ଏହା କାମନା । ପୁରୀ ଲିଟେରାରୀ ଫେଷ୍ଟିଭାଲ -୨୦୨୫ ପୁରୀ ଏବଂ ଓଡ଼ିଶାର ଅପାର ସମ୍ଭାବନା ଏବଂ ଅନାଲୋଚିତ ଅଧ୍ୟାୟକୁ ଲୋକଲୋଚନକୁ ଆଣିବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।




























