ପୁରୀରେ ବାଣ ବିସ୍ଫୋରଣ ପରେ ଆହତଙ୍କୁ ସଠିକ୍ ଚିକିତ୍ସା ନ ମିଳିବା କ’ଣ ଉନ୍ନତ ସ୍ୱାସ୍ଥ୍ୟସେବାର ଉଦାହରଣ ? ପୁରୀ ଜିଲ୍ଲା ହସ୍ପିଟାଲରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠିକ୍ ନଥିବାରୁ ଆହତ ମାନଙ୍କୁ ଭୁବନେଶ୍ୱର ଏମ୍ସ ମେଡିକାଲକୁ ସ୍ଥାନାନ୍ତର କରିବାକୁ ପଡୁଛି, ଏଥିପାଇଁ ଦାୟୀ କିଏ ? – ଧର୍ମେନ୍ଦ୍ର ପ୍ରଧାନ

0
110

By Our Correspondent

BALASORE/BHUBANESWAR:  ବିଜେଡି ସରକାର ଉନ୍ନତ ସ୍ୱାସ୍ଥ୍ୟସେବାର ପ୍ରଚାର କରୁଥିବା ବେଳେ ଗତକାଲି ପୁରୀରେ ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ ଘଟି ୩ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଖବର ଆସୁଛି । ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠିକ୍ ନଥିବାରୁ ଆହତ ମାନଙ୍କୁ ଭୁବନେଶ୍ୱର ଏମ୍ସ ମେଡିକାଲକୁ ସ୍ଥାନାନ୍ତର କରିବାକୁ ପଡୁଛି । ଏହା କଣ ବିଜେଡିର ଉନ୍ନତ ସ୍ୱାସ୍ଥ୍ୟସେବାର ଉଦାହରଣ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଗୁରୁବାର ଭଦ୍ରକ ସଂସଦୀୟ କ୍ଷେତ୍ର ସିମୁଳିଆ ନିର୍ବାଚନମଣ୍ଡଳୀରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାର ପରିକ୍ରମା ପ୍ରକଳ୍ପ କରି କୋଟି କୋଟି ଟଙ୍କା ଖର୍ଚ୍ଚ କଲେ । ଗତକାଲି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ବାଣ ଫୁଟି ୩ ଜଣଙ୍କ ବିୟୋଗ ହେଲା ଓ ଅନେକ ଆହତ ହେଲେ । ହେଲେ ସେମାନଙ୍କର ପୁରୀ ହସ୍ପିଟାଲରେ ଚିକିତ୍ସା ହୋଇପାରିଲା କି ? ସେଠାରେ ଚିକିତ୍ସାର ବ୍ୟବସ୍ଥା ନଥିଲା । ଭୁବନେଶ୍ୱର ଏମ୍ସକୁ ଯିବାକୁ ପଡିଲା ।  ପରିକ୍ରମା ପ୍ରକଳ୍ପରେ କୋଟି କୋଟି ଟଙ୍କା ଖର୍ଚ୍ଚର ଲାଭ କଣ ହେଲା ? ଏହାର ଉତ୍ତର କିଏ ଦେବେ ? ଲୋକ ହନ୍ତସନ୍ତ ହେଲେ, ଆଉ ଏମାନେ ବିକାଶ କରିବା କଥା କହୁଛନ୍ତି ।

ମୁଖ୍ୟମନ୍ତ୍ରୀ ତାମିଲରୁ ଜଣେ ଗୁମାସ୍ତାଙ୍କୁ ଭଡ଼ାରେ ଆଣିଛନ୍ତି । ମାଇକ ଭଡାରେ ଅଣାଯାଏ, କିନ୍ତୁ ଗୁମାସ୍ତା ନୁହେଁ । ଗୁମାସ୍ତା ମୁଖ୍ୟମନ୍ତ୍ରୀଙ୍କ ସହ ଯେଉଁଭଳି ଭାବରେ ବ୍ୟବହାର କରୁଛନ୍ତି, ତାହା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପମାନ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିକି ଯାଇଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା କାହିଁକି ବିଗୁଡ଼ୁଛି, ବିଜେପି ସରକାର ଆସିଲେ ସେ ସମ୍ପର୍କରେ ତଦନ୍ତ କରାଯିବ । ଯେଉଁ ସବୁ ଫାଇଲ ପାସ ହୋଇଛି, ସେ ସମ୍ପର୍କରେ ମଧ୍ୟ ଯାଞ୍ଚ ହେବ । ଓଡ଼ିଶା ସପକ୍ଷରେ କେତୋଟି ଫାଇଲ, ବିପକ୍ଷରେ କେତୋଟି ଫାଇଲ କାମ ହୋଇଛି, ତାହା ମଧ୍ୟ ଦେଖାଯିବ । ବିଜେପି ପ୍ରାର୍ଥୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମୋଦୀ । କିନ୍ତୁ ବିଜେଡି ପ୍ରାର୍ଥୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ? ଓଡ଼ିଶାର ନେତା ଓଡ଼ିଆ ହେବେ । ସାଢେ ୪ କୋଟି ଲୋକଙ୍କୁ ଯେଉଁମାନେ ଲମ୍ବା ସମୟ ଧରି ପ୍ରତାରଣା କଲେ, ଯେଉଁମାନେ ଠକିଲେ ସେମାନଙ୍କୁ ଲୋକମାନେ ଜବାବ ଦେବେ ।

ବିଜେପିର ସଂକଳ୍ପ ପତ୍ର ଉପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଜେପି ସରକାର ହେଲେ ଧାନ ଏମଏସପି କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କାରୁ ୩୧୦୦ ଟଙ୍କା କରାଯିବ । ସବୁ ଚାଷ ଜମି ଜଳସେଚନ ହେବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here