By Our Correspondent
BHUBANESWAR: ପରିବେଶ ସନ୍ତୁଳନ ଓ ସବୁଜିକରଣରେ ଆଉ ଏକ ପାଦ ଆଗେଇଲା ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) । ଭୁବନେଶ୍ୱରକୁ ସ୍ୱଚ୍ଛ, ସୁନ୍ଦର ସହ ସବୁଜ କରିବା ପାଇଁ ବିଏମ୍ ସି ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ମାନ୍ୟବର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂଙ୍କ ନେତୃତ୍ୱ, ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଦିଗ ଦର୍ଶନ, କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କ ନିର୍ଦେଶ ଏବଂ ସିଟି ଡିଏଫ୍ଓ ଶ୍ରୀ ବିଶ୍ଵରାଜ ପଣ୍ଡାଙ୍କ ସହଯୋଗରେ ଆଜି ଅର୍ଥାତ୍ ଅଗଷ୍ଟ 14 ତାରିଖ ଦିନ 67 ନମ୍ବର ଓ୍ୱାର୍ଡ ଅନ୍ତର୍ଗତ ହଜ୍ ପୋଖରୀ ନିକଟରେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମିଆଓ୍ୱାକି ପଦ୍ଧତିରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ, ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରଣସିଂହ, ଓ୍ୱାର୍କସ୍ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ବେହେରା, ସ୍ଥାନୀୟ କର୍ପୋରେଟର ମଧୁସ୍ମିତା ପ୍ରଧାନ, ଶ୍ରୀ ଚନ୍ଦ୍ର ଶେଖର ମଲ୍ଲିଆ ଏବଂ କର୍ପୋରେଟର ଶ୍ରୀ ଅଜିତ ବେହେରାଙ୍କ ସହ ଟିମ୍ ବିଏମ୍ ସି ଓ ବନ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
ସ୍ଥାନୀୟ ବାସିନ୍ଦା ବିଶେଷ କରି ମହିଳାମାନେ ଏହି ବୃକ୍ଷ ରୋପଣ କାର୍ଯ୍ୟରେ ସାମିଲ ହୋଇ ନିଜ ନିଜ ନାମରେ ବୃକ୍ଷ ରୋପଣ କରିଥିଲେ । ହଜ ପୋଖରୀ ନିକଟରେ ଥିବା ପଡିଆ ଜମିରେ ପ୍ରାୟ 2 ହଜାରରୁ ଅଧିକ ବୃକ୍ଷ ରୋପଣ କରାଯାଉଛି । ମାନ୍ୟବର ପ୍ରଧାନ ମନ୍ତ୍ରୀ ଦେଇଥିବା ଆହ୍ୱାନ “ମା’ ପାଇଁ ଗଛଟିଏ”କୁ ସାକାର କରିବା ସହ ଭୁବନେଶ୍ୱରକୁ ଏକ ସବୁଜ ସୁନ୍ଦର ସହରରେ ପରିଣତ କରିବା ପାଇଁ ବିଏମ୍ ସି ପକ୍ଷରୁ ଅହରହ ଉଦ୍ୟମ ଜାରି ରହିଛି । ପ୍ରତ୍ୟେକ ବ୍ୟକ୍ତି ନିଜ ମାଆଙ୍କ ନାମର ଗୋଟିଏ ବୃକ୍ଷ ରୋପଣ କରିବା ସହ ନିଜ ପରିବେଶକୁ ସୁସ୍ଥ ଓ ସ୍ୱଚ୍ଛ ରଖିବା ପାଇଁ ସଂକଳ୍ପ ନେବାକୁ ଅନୁରୋଧ କରିଛନ୍ତି ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ ।























