ନୂଆଦିଲ୍ଲୀରେ ପଲ୍ଲୀବାଣୀ ମିଶନର ‘ଓଡ଼ିଆ ସାମ୍ବାଦିକତା ପୁରସ୍କାର- ୨୦୨୩’  ସମାରୋହ

0
300

By Our Correspondent

NEW DELHI/BHUBANE SWAR:  ଦୀର୍ଘ ୨୩ ବର୍ଷ ସ୍ଥାୟୀ ଶାସନର ଅର୍ଥ ନୁହେଁ, ସମ୍ବିଧାନକୁ ଅବମାନନା କରିବା? ଓଡ଼ିଶାରେ ଏବେ ଯେଉଁ ଘଟଣା ଦେଖାଯାଉଛି ତାହା କେବେ ହେଲେ ଭାରତର ଗଣତନ୍ତ୍ରରେ ଦେଖାଯାଇନାହିଁ । ମୁଁ ଚିନ୍ତିତ ଅଛି, ଆମ ଓଡ଼ିଆ ଜାତି, ତା’ ପ୍ରସଙ୍ଗକୁ କେମିତି ଆଗକୁ ନେବ ? ଓଡ଼ିଶାର ଶାସନ ବ୍ୟବସ୍ଥା ଉପରେ ସାମ୍ବାଦିକମାନେ ବିତର୍କ କରନ୍ତୁ ବୋଲି ଶନିବାର ନୂଆଦିଲ୍ଲୀ ଠାରେ ‘ଓଡ଼ିଆ ସାମ୍ବାଦିକତା ପୁରସ୍କାର-୨୦୨୩’ ସମାରୋହରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ପଲ୍ଲୀବାଣୀ ମିଶନ ପକ୍ଷରୁ ଆୟୋଜିତ ଏହି ସମାରୋହରେ ସାମ୍ବାଦିକ ମାନଙ୍କୁ ପୁରସ୍କୃତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଓଡ଼ିଶାରେ ସତ କଣ, ତାହା ପ୍ରଶ୍ନବାଚୀ ।  ଯେଉଁ ମହାମନିଷୀଙ୍କ ନେତୃତ୍ୱରେ ୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ଗଠନର ମାନ୍ୟତା ପାଇଥିଲା ତାହା ଯଦି ସତ ଥିଲା ତା’ ହେଲେ ଆଜି କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ନେତାଙ୍କ ଫଟୋ ଲାଗିବାର ଅର୍ଥ କଣ ? ଆନ୍ଧ୍ର ଗସ୍ତରେ ଥିବା ବେଳେ ମୁଁ ଆନ୍ଧ୍ର ଗୋ-ବ୍ୟାକ୍ ନାରା ଦେଇଥିଲି । ମୁଁ କେନ୍ଦ୍ରମନ୍ତ୍ରୀ ହୁଏ କିମ୍ବା ନହୁଏ, ମୋ ଭିତରେ ଥିବା ଓଡ଼ିଆତ୍ୱକୁ କେମିତି ତାଲା ପକାଇ ଦେବି ? ସମସ୍ତଙ୍କର ଓଡ଼ିଆତ୍ୱ ତଥା ଦାୟିତ୍ୱ ମନେ ପକାଇବା ଦାୟିତ୍ୱ ସାମ୍ବାଦିକ ମାନଙ୍କର ।

ଓଡ଼ିଶାରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାର କାମ କଣ ? ଓଡ଼ିଶାରେ ଦୀର୍ଘ ୨୩ ବର୍ଷର ସ୍ଥାୟୀ ଶାସନର ଅର୍ଥ ନୁହେଁ, ସାମ୍ବିଧାନିକ ବ୍ୟବସ୍ଥାକୁ ଅବମାନନା କରିବା ? ଓଡ଼ିଆ ଭାବରେ ଯେତିକି ଗର୍ବିତ, ଆଜି ମୁଁ ସେତେ ଚିନ୍ତିତ । ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ସାର୍ ରାଜା ବାସୁଦେବ ସୁଢଳ ଦେବ, ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଲଢେଇ, ସ୍ୱାଭିମାନ ଓଡ଼ିଶା ସତ ନା ଏବେ ରାଜ୍ୟରେ ଅଗଣତାନ୍ତ୍ରିକ ପ୍ରକ୍ରିୟାରେ ଜୋର୍ ଦେବା ସତ ? ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ଶହୀଦ ବାଜି ରାଉତ, ଲକ୍ଷ୍ମଣ ନାୟକ, ନିର୍ମଳ ମୁଣ୍ଡା, ମାଧୋ ସିଂହ, ହାତୀ ସିଂହ ସ୍ୱତନ୍ତ୍ର ଓଡ଼ିଶାର ଯେଉଁ ବହ୍ନି ଜଳାଇଥିଲେ ତାହା ସତ ନା ଓଡ଼ିଶାର ବର୍ତ୍ତମାନର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଭୁଷୁଡାଇଦେବା, ତାହା ସତ ? ଓଡ଼ିଶାର ସାମ୍ବାଦିକ ବନ୍ଧୁମାନେ ଏହି ପ୍ରସଙ୍ଗ ଉପରେ ଭିନ୍ନ ମତ ହେଉ ପଛେ,  ବିତର୍କ କରନ୍ତୁ। କାରଣ ବିତର୍କ ବନ୍ଦ ହେଲେ ସମାଜରେ ଅବ୍ୟବସ୍ଥା ତିଆରି ହେବ । ଗୋଟିଏ ଜାତିର ନିଜସ୍ୱ ପରିଚୟ ଅଛି, ସେହି ପରିଚୟର ନାମ ହେଲା ସ୍ୱାଭିମାନ, ଯାହା ସହ କେବେ ବୁଝାମଣା କରିବନି ।

ଓଡ଼ିଶା ଗଣମାଧ୍ୟମରେ ପୁରସ୍କୃତ ସାମ୍ବାଦିକଙ୍କ ଭୂମିକାକୁ ପ୍ରଶଂସା କରିବା ସହ କହିଛନ୍ତି ଯେ  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ  ଫକୀର ମୋହନ ସେନାପତିଙ୍କ ଭଳି ଅନେକ ମହାପୁରୁଷ ସାମ୍ବାଦିକ ଥିଲେ ।  ଫକୀରମୋହନ ଥିଲେ ଗାନ୍ଧୀ ଚେତନାର ଅଗ୍ରଦୂତ । ଗାନ୍ଧିଜୀଙ୍କ ଅସହଯୋଗ ଓ ଲବଣ ସତ୍ୟାଗ୍ରହର ବହୁ ପୂର୍ବରୁ  ଏହି କଥା କହିଥିଲେ ଫକୀରମୋହନ । ନୂଆଦିଲ୍ଲୀରେ ଓଡ଼ିଆ ସାମ୍ବାଦିକ ମାନଙ୍କୁ ପ୍ରତିବର୍ଷ ସମ୍ମାନିତ କରିବାର ପରମ୍ପରାକୁ ଜାରି ରଖି ସେମାନଙ୍କର କାର୍ଯ୍ୟ ତଥା ଅବଦାନକୁ ସମ୍ମାନ ଜଣାଉଥିବାରୁ ପଲ୍ଲୀବାଣୀ ମିଶନକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । 

ଏହି ପୁରସ୍କାର ସମାରୋହରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର କଳିଙ୍ଗ ଟିଭିର ସମ୍ପାଦକ ସୌମ୍ୟଜିତ୍ ପଟ୍ଟନାୟକ, ଅର୍ଗସ୍ ନ୍ୟୁଜର କାର୍ଯ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶିଷ, ଓଟିଭିର ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ୍ ମନୋରଞ୍ଜନ ଯୋଶୀ, ସମ୍ବାଦ ଡି.ଜି.ଏମ୍. (ନ୍ୟୁଜ୍) ତଥା ବ୍ୟୁରୋ ହେଡ୍ ଭବାନୀ ଶଙ୍କର ତ୍ରିପାଠୀ, ପ୍ରମେୟର ମୁଖ୍ୟ ସମ୍ବାଦ-ସଂଯୋଜକ ସୁଦୀପ କୁମାର ରାଉତଙ୍କୁ ‘ଓଡ଼ିଆ ସାମ୍ବାଦିକତା ପୁରସ୍କାର- ୨୦୨୩’ ପ୍ରଦାନ କରିଛନ୍ତି । ସେହିପରି  ବରିଷ୍ଠ ସାମ୍ବାଦିକ ଶାରଦା ଲାହାଙ୍ଗୀରଙ୍କୁ  ପ୍ରତିଭା ପଟ୍ଟନାୟକ ଜର୍ଣ୍ଣାଲିଜିମ ଆଓ୍ୱାର୍ଡ ଅଫ୍ ଏକ୍ସଲେନ୍ସରେ ସମ୍ମାନିତ କରାଯାଇଥିଲା ।

ଏହି ସମାରୋହରେ କେନ୍ଦ୍ର କ୍ରୀଡ଼ା ଏବଂ ଯୁବ ବ୍ୟାପାର,  ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର, ପତଞ୍ଜଳି ଆୟୁର୍ବେଦର ଅଧ୍ୟକ୍ଷ ଆଚାର୍ଯ୍ୟ ବାଲ୍ କ୍ରିଷ୍ଣା ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here