By Our Correspondent
BHUBANESWAR: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ରାଜ୍ୟସଭାର ଯୁଗ୍ମ ସଚିବ ତଥା ଲେଖକ ଡଃ ରାଘବ ପ୍ରସାଦ ଦାଶଙ୍କ ଦ୍ୱାରା ଲିଖିତ ଇଂରାଜୀ ପୁସ୍ତକ ‘ଡେମୋଗ୍ରାଫିକ କନଟେଷ୍ଟସନ୍ସ ଆଣ୍ଡ୍ ଲେଜିସଲେଟିଭ୍ ପ୍ରୋସେସ୍ ଇନ୍ ଇଣ୍ଡିଆ’ ଉନ୍ମୋଚନ କରିଛନ୍ତି । ଉନ୍ମୋଚିତ ପୁସ୍ତକଟି ଗଣତନ୍ତ୍ରର ବିକାଶରେ ଉତ୍ପେରକ ଭାବରେ କାର୍ଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ସଂସଦ ହେଉଛି ଗଣତନ୍ତ୍ରର ଏକ ପ୍ରକୃତ ମନ୍ଦିର, ଯାହାର ବହୁମୁଖୀ ଭୂମିକା ରହିଛି । ଏହା କେବଳ ଆଇନ ପ୍ରଣୟନରେ ସୀମିତ ନୁହେଁ ବରଂ ଲୋକଙ୍କ ସ୍ୱରକୁ ବ୍ୟବସ୍ଥାରେ ଥିବା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ପ୍ରମୁଖ ମାଧ୍ୟମ ଭାବରେ କାର୍ଯ୍ୟ କରେ । ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଗୃହରେ ପାଦ ରଖିଲି ସେତେବେଳେ ସ୍ୱର୍ଗତ ଅଟଳଜୀଙ୍କଠାରୁ ଏହି କଥା ଶିକ୍ଷା ଲାଭ କରିଥିଲି । ସେହିପରି ପୁସ୍ତକ କେବଳ ବର୍ତ୍ତମାନର ପିଢିକୁ ନୂହେଁ ନୂଆପିଢିକୁ ମଧ୍ୟ ପ୍ରେରିତ କରିଥାଏ । ପୁସ୍ତକ ଭବିଷ୍ୟତ ପିଢ଼ି ପାଇଁ ଜ୍ଞାନର ଭଣ୍ଡାର ମଧ୍ୟ ଅଟେ । ଭାରତର ସଂସଦୀୟ ପ୍ରକ୍ରିୟାକୁ ବୁଝିବାରେ ଏହି ଉଲ୍ଲେଖନୀୟ ଅବଦାନ ପାଇଁ ଡଃ ଦାଶଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଡଃ ଦାଶଙ୍କ ଦ୍ୱାରା ଲିଖିତ ପୁସ୍ତକ, ଭାରତରେ ଗଣତାନ୍ତ୍ରିକ ପ୍ରତିଦ୍ୱନ୍ଦିତା ଏବଂ ବିଧାୟିକ ପ୍ରକ୍ରିୟା ବିଷୟରେ ଦିଗଦର୍ଶନ ପ୍ରଦାନ କରିବ ।
ବାବାସାହେବ ଭାରତରତ୍ନ ଡକ୍ଟର ବି.ଆର୍ ଆମ୍ବେଦକରଙ୍କ ପାଇଁ ଭାରତୀୟ ସମ୍ବିଧାନର ପ୍ରସ୍ତୁତ ହେଲା, ଯାହା ଗଣତନ୍ତ୍ରରେ ବଡ ଉପଲବ୍ଧି । ଭାରତର ଶାସନ ବ୍ୟବସ୍ଥା ସମ୍ବିଧାନ ପ୍ରଦତ୍ତ ବ୍ୟବସ୍ଥାରେ ତିଆରି ହୋଇଛି । ଏହିଭଳି ଏକ ବିଷୟରେ ସରଳ ଓ ସାବଲୀଳ ଭାଷାରେ ଦସ୍ତାବିଜ ପ୍ରସ୍ତୁତ କରି ପୁସ୍ତକର ରୂପ ଦିଆଯାଇଛି, ଯାହା ପ୍ରଶଂସନୀୟ । ଏହି କାର୍ଯ୍ୟ ଭାରତୀୟ ସଂସଦର ବିକାଶ ଏବଂ କାର୍ଯ୍ୟକାରିତା ବିଷୟରେ ସୂଚନା ପ୍ରଦାନ କରି ପବ୍ଲିକ ପଲିସିର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ପାଇଁ ଏକ ମୂଲ୍ୟବାନ ସମ୍ବଳ ଭାବରେ କାର୍ଯ୍ୟ କରିବ ।
ଗଣତନ୍ତ୍ର ହେଉଛି ଏକ କ୍ରମାଗତ ବିକଶିତ ପ୍ରକ୍ରିୟା । ଏହି ପୁସ୍ତକ ସେହି ବିକାଶରେ ଏକ ଉତ୍ପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ପ୍ରଶାସକ, ବିଧାୟକ ଏବଂ ସାର୍ବଜନୀନ ନୀତି ଚିନ୍ତକମାନଙ୍କ ପାଇଁ ଏକ ପ୍ରମୁଖ ପ୍ରସଙ୍ଗ ଭାବରେ ଉଭା ହେବ ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି ।ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଉପସ୍ଥିତ ଥିଲେ ।

























