ନିଜେ ପଢିଥିବା ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ , ନିଜ ସ୍କୁଲକୁ ଆସିଲେ ଘର ପରି ମନେହୁଏ – ଧର୍ମେନ୍ଦ୍ର ପ୍ରଧାନ

0
188

By Our Correspondent

TALCHER/BHUBANESWAR:  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନିଜେ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ତାଳଚେର ହାଣ୍ଡିଧୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତରଣ ତଥା ସ୍କୁଲର ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ୧ କୋଟି ୩୭ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିବା ସହ ପିଲାଦିନର ସ୍ମୃତିକୁ ମନେପକାଇଥିଲେ । ସେ କହିଛନ୍ତି ଯେ ଏହି ସ୍କୁଲରେ ମୁଁ ମୋ ଜୀବନର ପ୍ରାଥମିକ ଶିକ୍ଷା ଗ୍ରହଣ କରିଛି । ପିଲାଦିନର ଅନେକ ସ୍ମୃତି ଏହି ସ୍କୁଲ ସହ ଜଡ଼ିତ । ଏହା ମୋର ଘର ପରି ମନେହୁଏ । ଏହି ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳରେ ପ୍ରାଥମିକ ଶିକ୍ଷାରେ ଏକ ସମ୍ମାନସ୍ପଦ ଅନୁଷ୍ଠାନ ଭାବରେ ଉଭା ହୋଇଛି । ଏହି ସ୍କୁଲର ଉନ୍ନତି ପାଇଁ ମୋର ବହୁତ ଦିନରୁ ଇଚ୍ଛା ଥିଲା । ଆଜି ଏଠାରେ ସ୍ମାର୍ଟ କ୍ଲାସରୁମ, ରୋଷେଇ ଘର, ନୂଆ ଭବନ ଏବଂ ଡାଇନିଂ ହଲ ଏବଂ ଅନ୍ୟାନ୍ୟ କାର୍ଯ୍ୟର ଉଦଘାଟନ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଆଜି ଉଦଘାଟିତ ହୋଇଥିବା ବିକାଶମୂଳକ ପ୍ରକଳ୍ପ ଗୁଡ଼ିକ ଦ୍ୱାରା ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଉପକୃତ ହେବେ ।

ନୂତନ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଆମେ ଯେଉଁ ସାମଗ୍ରିକ, ମୂଳ ଏବଂ ଭବିଷ୍ୟତବାଦୀ ଶିକ୍ଷା ବ୍ୟବସ୍ଥାର କଳ୍ପନା କରୁଛୁ ତାହା ଏହି ବିଦ୍ୟାଳୟଗୁଡ଼ିକ ମାଧ୍ୟମରେ ସାକାର ହେବ, ଯେଉଁଠାରେ ଶିକ୍ଷା କେବଳ ପରୀକ୍ଷା ନୁହେଁ ବରଂ ବ୍ୟକ୍ତିତ୍ୱ ଏବଂ ରାଷ୍ଟ୍ର ନିର୍ମାଣର ଏକ ମାଧ୍ୟମ ହେବ । ହାଣ୍ଡିଧୁଆ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯେଉଁ ଆତ୍ମବିଶ୍ୱାସ ଅଛି, ତାହା ୨୦୪୭ ସୁଦ୍ଧା ବିକଶିତ ଭାରତର ଏକ ଆଲୋକବର୍ତ୍ତିକା ଭାବରେ କାମ କରିବ । ସ୍କୁଲର ଉତ୍ତରୋତ୍ତର ଉନ୍ନତି ସହ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହି ଅବସରରେ ଶ୍ରୀ ପ୍ରଧାନ ସ୍କୁଲର ମଧ୍ୟାହ୍ନଭୋଜନ ସ୍ଥିତି ପରଖିବା ସହ ଅନ୍ୟାନ୍ୟ ବ୍ୟବସ୍ଥା ବିଷୟରେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ପ୍ରକାଶ ଥାଉ କି,  ସ୍କୁଲ ଶିକ୍ଷା ସହ ଭିତ୍ତିଭୂମିକୁ ମଜଭୂତ୍ କରିବା ଦିଗରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଷ୍ଟାର୍ସ ତଥା ଅନ୍ୟ ଯୋଜନା ଅନ୍ତର୍ଗତ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଏହି ହାଣ୍ଡିଧୂଆ ସରକାରୀ ସ୍କୁଲକୁ ୧ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଏହି ଅର୍ଥ ସ୍କୁଲର ଶ୍ରେଣୀଗୃହ, ସ୍ମାର୍ଟ କ୍ଲାସରୁମ, ପାନୀୟ ଜଳ, ଖେଳପଡ଼ିଆ ତଥା ସ୍କୁଲର ଆନୁଷଙ୍ଗିକ ବିକାଶ ପାଇଁ ଖର୍ଚ୍ଚ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here