By Our Correspondent
BHUBANESWAR: ଦେଶରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠୁ ବିଶ୍ୱସନୀୟ ବ୍ୟକ୍ତି ବୋଲି ଗଣମାଧ୍ୟମର ଏ ସମ୍ପର୍କୀତ ପ୍ରଶ୍ନରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେ ପଦ୍ମପୁର ଉପନିର୍ବାଚନର ଜନାଦେଶକୁ ସ୍ୱୀକାର କରୁଛୁ । ଯିଏ ଜିତେ, ସ୍ୱାଭାବିକ ଭାବେ ତାଙ୍କ ମନ ଖୁସି ଥାଏ । ସେ ଟିକେ ବଢି ଚଢି କହିବା ସ୍ୱାଭାବିକ । ମାତ୍ର ପଦ୍ମପୁର ଉପନିର୍ବାଚନ ସମ୍ପର୍କରେ ମନ୍ତବ୍ୟ ଦେଇଥିବା ଲୋକମାନେ ଭୁଲିବା ଉଚିତ୍ ନୁହେଁ, ବିଜେପି ଏହି ଉପନିର୍ବାଚନରେ ୭୮ ହଜାର ଭୋଟ୍ ପାଇଛି । ଏହାର ଅର୍ଥ କଣ ଏହି ଭୋଟରେ ମହିଳାମାନେ ବିଜେପିକୁ ଭୋଟ୍ ଦେଇନାହାନ୍ତି?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ମହିଳା ସଶକ୍ତିକରଣର ସବୁଠୁ ବିଶ୍ୱସନୀୟ ବ୍ୟକ୍ତି । ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସୌଭାଗ୍ୟ ଯୋଜନାରେ ଘରକୁ ବିଜୁଳି ସଂଯୋଗ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ଚୁଲା ପହଞ୍ଚାଇବାରେ ନରେନ୍ଦ୍ର ମୋଦି ଦେଶରେ ନୂଆ କୀର୍ତ୍ତି ସ୍ଥାପନ କରିଛନ୍ତି । ଅପରପକ୍ଷରେ ଓଡ଼ିଶା ବିଧାନସଭାରେ ସରକାରୀ ଦଳ ତରଫରୁ ବିବୃତ୍ତି ଆସିଛି, ବିଗତ ୩ ବର୍ଷରେ ମହିଳା ମାନଙ୍କ ଉପରେ ଅତ୍ୟାଚାରର ସଂଖ୍ୟା ବଢିଛି । ଓଡ଼ିଶାର ଗରିବ ଲୋକଙ୍କୁ ଘର ଦେବାରେ ଓ ସେମାନଙ୍କୁ ସଶକ୍ତିକରଣ କରିବାରେ ଭାରତ ସରକାର ଦେଉଥିବା ଅର୍ଥର ସଠିକ ବିନିଯୋଗ ହେଉ, ଏହା ଆମର ଅପେକ୍ଷା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଗଣତନ୍ତ୍ରର ସର୍ତ୍ତ ହେଲା ଲୋକମାନେ ପକ୍ଷ ଓ ପ୍ରତିପକ୍ଷ ନିଜ ନିଜ ପସନ୍ଦକୁ ନେଇ ଲୋକଙ୍କ ପାଖକୁ ଯିବେ ଏବଂ ଲୋକମାନେ ଯାହା ପସନ୍ଦ କରିବେ । ବିଜେପି ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଛି । ବିଜେପି ତା’ର ରାଜନୈତିକ ଏଜେଣ୍ଡା ନେଇ ଲଢୁଅଛି । ଓଡ଼ିଶାର ବିକାଶ ପାଇଁ ଓଡିଆ ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ଅଧିକ ବିଶ୍ୱାସ କରୁଛନ୍ତି ଏବଂ କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।