By Our Correspondent
BHUBANESWAR: ମାଟ୍ରିକ୍ ସ୍କଲାରସିପ୍ (PMS) ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ କଲ୍ୟାଣକାରୀ ଯୋଜନା ଯାହା ପ୍ରତି ବର୍ଷ ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାରେ ସହାୟକ ହେବା ପାଇଁ ପ୍ରଦାନ କରାଯାଇଥାଏ। ଶିକ୍ଷାଦାନ ଫି, ଜୀବନଯାପନ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଶିକ୍ଷା ସମ୍ବନ୍ଧିତ ଖର୍ଚ୍ଚକୁ ବହନ କରିବାପାଇଁ ଏହା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥାଏ। ଅତ୍ୟନ୍ତ ଦୁଃଖର ବିଷୟ ଯେ ବିଭିନ୍ନ ଯୋଜନାରେ ଟଙ୍କା ବାଣ୍ଟିବାରେ ବ୍ୟସ୍ତ ଥିବା ଆମ ଡବଲ ଇଞ୍ଜିନ ରାଜ୍ୟ ସରକାର ୨୦୨୪-୨୦୨୫ ଶିକ୍ଷାବର୍ଷରେ ଉକ୍ତ ସ୍କଲାର୍ସିପ୍ ପ୍ରଦାନରେ ଗୁରୁତର ବିଳମ୍ବ କରିଛନ୍ତି।
ଫଳରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଛାତ୍ରଛାତ୍ରୀମାନେ ଛାତ୍ରବୃତ୍ତି ପାଇନଥିବା ହେତୁ ପାଠପଢ଼ା, ହଷ୍ଟେଲ ଏବଂ ପରୀକ୍ଷା ଫି ଦେଇ ପାରୁନାହାଁନ୍ତି, ଯାହା ଫଳରେ ପ୍ରବେଶ ପତ୍ର ଅଟକି ରହିଛି, ଶ୍ରେଣୀରେ ପ୍ରବେଶ ପ୍ରତିବନ୍ଧିତ ହୋଇଛି କିମ୍ବା ଫଳାଫଳରେ ବିଳମ୍ବ ହୋଇଛି।
ବିଳମ୍ବ ଯୋଗୁଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆର୍ଥିକ ଏବଂ ମାନସିକ ଚାପ ସୃଷ୍ଟି ହେବା ସହ, ଡ୍ରପ ଆଉଟର ବିପଦ ମଧ୍ୟ ସୃଷ୍ଟି ହୋଇଛି ବୋଲି ଏଆଇଡିଏସଓ ରାଜ୍ୟ ସଭାପତି ସୋମନାନାଥ ବେହେରା ଓ ସଂପାଦକ ସିଦ୍ଧାର୍ଥ ରଥ ଏକ ପ୍ରେସ ବିବୃତ୍ତି ଜରିଆରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବକେୟା ସମସ୍ତ ଛାତ୍ରବୃତ୍ତି ରାଶି ଅବିଳମ୍ବେ ବିତରଣ କରିବା, ଭବିଷ୍ୟତରେ ସମୟ ଅନୁଯାୟୀ ଛାତ୍ରବୃତ୍ତି ବଣ୍ଟନ କରିବା, ଆବେଦନ, ଯାଞ୍ଚ ଏବଂ ପାଣ୍ଠି-ଟ୍ରାକିଂ ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା କରିବା ପାଇଁ ଦୃଢ଼ ଦାବି କରିଛନ୍ତି।
























