ଢେଙ୍କାନାଳ କପିଳାସ ମନ୍ଦିରର ଉନ୍ନତି, ସୌନ୍ଦର୍ଯ୍ୟକରଣ ଓ ରକ୍ଷଣାବେକ୍ଷଣ ନେଇ ସେବାୟତ ଓ ଏଏସଆଇ ଅଧିକାରୀଙ୍କ ସହ ଆଲୋଚନା

0
405
ଢେଙ୍କାନାଳ ଗସ୍ତ ଅବସରରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର କପିଳାସ ପୀଠକୁ ଯାଇ ପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଦର୍ଶନ କରିଛନ୍ତି । ଏହାସହ ମନ୍ଦିରର ଉନ୍ନତି କାର୍ଯ୍ୟ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ(ଏଏସଆଇ)ର ଅଧିକାରୀ ଓ ପୀଠର ସେବାୟତ ମାନଙ୍କ ସହ ଆଲୋଚନା କରିଛନ୍ତି ।

By Our Correspondent

DHENKANAL/BHUBANESWAR:  ଢେଙ୍କାନାଳ ଗସ୍ତ ଅବସରରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର କପିଳାସ ପୀଠକୁ ଯାଇ ପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଦର୍ଶନ କରିଛନ୍ତି । ଏହାସହ ମନ୍ଦିରର ଉନ୍ନତି କାର୍ଯ୍ୟ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ(ଏଏସଆଇ)ର ଅଧିକାରୀ ଓ ପୀଠର ସେବାୟତ ମାନଙ୍କ ସହ ଆଲୋଚନା କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକ ଆଧ୍ୟାତ୍ମିକ ପରିବେଶରେ ଓଡ଼ିଶାର ‘କୈଳାସ’ କୁହାଯାଉଥିବା ଢେଙ୍କାନାଳ ଜିଲ୍ଲା ସ୍ଥିତ କପିଳାସ ମନ୍ଦିରରେ ପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଆଶୀର୍ବାଦ ନେବାର ସୌଭାଗ୍ୟ ଲାଭ କଲି । ମହାଦେବଙ୍କ ଆଶୀର୍ବାଦରୁ ସମସ୍ତେ ଖୁସି ଓ ଶାନ୍ତିରେ ରୁହନ୍ତୁ ଏବଂ ସମସ୍ତଙ୍କ ମନୋସ୍କାମନା ପୂର୍ଣ୍ଣ ହେଉ । ପୌରାଣିକ କାଳରୁ କପିଳାସ ମନ୍ଦିରର ଅନେକ ମହତ୍ତ୍ୱ ଅଛି । ଏହି ପବିତ୍ର ଶୈବପୀଠ ଓଡ଼ିଆ ଜନଜୀବନ ଓ ସଂସ୍କୃତି ସହ ଜଡିତ । ଅତୀତରେ ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ଏହି ସ୍ଥାନକୁ ଆଗମନ ହୋଇଛି ଓ ତାଙ୍କ ସମାଧି ମଧ୍ୟ ଏଠାରେ ଅଛି ।

ଏଏସଆଇ ଅଧିକାରୀଙ୍କ ସହ ଆଲୋଚନା ହେବା ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଓଡ଼ିଶାର ପବିତ୍ର ଶୈବପୀଠ ଜନଆସ୍ଥାର କେନ୍ଦ୍ର ଭାବରେ ପରିଣତ ହୋଇଛି । ମନ୍ଦିରର ଉନ୍ନତି, ସୌନ୍ଦର୍ଯ୍ୟକରଣ ଓ ରକ୍ଷଣାବେକ୍ଷଣ ନେଇ ସେବାୟତ ଓ ଏଏସଆଇ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ସେବାୟତ ଓ ସ୍ଥାନୀୟବାସୀଙ୍କର ଥିବା ଅପେକ୍ଷାକୁ ପୂରଣ କରିବା ତଥା ତ୍ୱରିତ ବେଗରେ ପାହାଚ କାମ ସହ ଡ୍ରେନେଜ ବ୍ୟବସ୍ଥାର ସୁଧାର ଓ ଗର୍ଭ ଗୃହର ମରାମତି କରିବା ଦିଗରେ କାମ କରିବା ପାଇଁ ଏଏସଆଇ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । 

କପିଳାସ ମନ୍ଦିରର ଆଧ୍ୟାତ୍ମିକ ଓ ଧାର୍ମିକ ପରମ୍ପରାକୁ ଆଗେଇ ନେବା ପାଇଁ ଏଠାରେ ସେବାୟତ ମାନଙ୍କ ପକ୍ଷରୁ ଗୋଟିଏ ସଂସ୍କୃତ ବିଦ୍ୟାଳୟର ଅପେକ୍ଷା ରଖାଯାଇଛି । ଖୁବ ଶୀଘ୍ର ଭାରତ ସରକାରଙ୍କ ସଂସ୍କୃତ ରାଷ୍ଟ୍ରୀୟ ପ୍ରତିଷ୍ଠାନ ସହ ଏଥିପାଇଁ ବିଚାରବିମର୍ଶ କରାଯାଇ ପୃଙ୍ଖାନୁପୁଙ୍ଖ ଯୋଜନା କରାଯିବ । ଆଧୁନିକ ବିଦ୍ୟା ସହ ପରମ୍ପରାଗତ ବିଦ୍ୟାକୁ ଯୋଡିବା ପାଇଁ ଏଠାରେ ଏକ ସଂସ୍କୃତ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ଉଦ୍ୟମ କରାଯିବ । ଏଥିପାଇଁ ପୁରୀ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ସହଯୋଗ ଲୋଡ଼ାଯିବ । ଏହି ବିଦ୍ୟାଳୟ ପ୍ରତିଷ୍ଠା ହେଲେ ଭାରତୀୟ ସମାଜ, ସଭ୍ୟତା ଓ ସଂସ୍କୃତିର ନିରନ୍ତରତା ବଜାୟ ରହିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ଏଏସଆଇ ଦ୍ୱାରା କପିଳାସ ଶିବ କ୍ଷେତ୍ର ଉପରେ ପ୍ରସ୍ତୁତ ଏକ ପୁସ୍ତକର ଉନ୍ମୋଚନ କରିଥିଲେ । ସେ କହିଥିଲେ ପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଆଶୀର୍ବାଦରୁ ପୁସ୍ତକଟି ସମାଜରେ ଆଦୃତ ହେବ । ଏହି ଶୈବପୀଠର ମାହାତ୍ମ୍ୟ ଉପରେ ବିଶେଷ ଭାବରେ ଯୁବ ସମାଜକୁ ଅବଗତ କରାଇବ ବୋଲି କେନ୍ଦ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here