By Our Correspondent
BHUBANESWAR: ଜାଗା ମିଶନ ପଟ୍ଟା ବଣ୍ଟନରେ ଅଡ଼ୁଆ ଛିଣ୍ଡୁନି ପୁଣି ଦେଖା ଦେଇଛି ବିବାଦ। ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦେବାକୁ ଏଠିକି ସେଠିକି ଡାକି ଭୂଆଁ ବୁଲାଉଛନ୍ତି ବିଏମସି ଅଧିକାରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ଜୋନର ୧୨ ନମ୍ବର ଓ୍ବାର୍ଡରେ। ସୂଚନା ଅନୁସାରେ ଆଜି ୧୨ ନମ୍ବର ଓ୍ବାର୍ଡର ତ୍ରିନାଥ ବସ୍ତି, ଆତ୍ମାରାମ ବସ୍ତି, ସାମନ୍ତପୁରୀ, ପାତ୍ର ସାହି ଓ ଦାସରଜା ବସ୍ତି ବାସିନ୍ଦାଙ୍କୁ ନୂତନ ପଟ୍ଟା ବଣ୍ଟନ ହେବାର କାର୍ଯ୍ୟକ୍ରମ ରହିଥିଲା। ଏଥିପାଇଁ ୫ଟି ବସ୍ତିର ବାସିନ୍ଦା ୧୨ ନମ୍ବର ଓ୍ବାର୍ଡର ନିୟୁ ଗମେଣ୍ଟ ସ୍ଥିତ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ।
ସେଠାରେ କର୍ପୋରେଟରଙ୍କ ପକ୍ଷରୁ ଲୋକମାନଙ୍କ ପାଇଁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଥିଲା। ଲୋକମାନେ ବସିବାର କିଛି ସମୟ ପରେ କର୍ପୋରେଟର ଜୟନ୍ତୀ ସାହୁ ପହଞ୍ଚି ଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କଲାପରେ ମଧ୍ୟ ଦାୟିତ୍ଵରେ ଥିବା ଅଧିକାରୀ କିମ୍ବା ଅନ୍ୟ କୌଣସି ବିଏମସି ଅଧିକାରୀଙ୍କର ଦେଖା ନଥିଲା। ଲୋକମାନେ ଅସ୍ତବ୍ୟସ୍ତ ହେବାରୁ କର୍ପୋରେଟର ବିଏମସି ଅଧିକାରୀ ଓ ମେୟରଙ୍କୁ ଯୋଗାଯୋଗ କରିଥିଲେ।
କିଛି ସମୟ ପରେ ସଂପୃକ୍ତ ଅଧିକାରୀ ଜୋନ୍ କାର୍ଯ୍ୟାଳୟକୁ ଆସି ପଟ୍ଟା ନେବାପାଇଁ କହିଥିଲେ। କର୍ପୋରେଟର ଲୋକମାନଙ୍କୁ ଏହା ଜାଣାଇବା ପରେ କିଛି ଲୋକ ନିଜ ସୁବିଧାରେ ଜୋନ୍ କାର୍ଯ୍ୟାଳୟକୁ ଯାଇଥିଲେ। ଅସହାୟ, ନିଃସହାୟ ଓ ବୃଦ୍ଧ ବୃଦ୍ଧା ମାନଙ୍କୁ କର୍ପୋରେଟର ନିଜ ଗାଡିରେ ବସାଇ ପାଞ୍ଚ ଛଅ ଥରରେ ଛାଡିଥିଲେ। ସେଠାରେ ପହଞ୍ଚି ଦେଖିଲା ବେଳକୁ ସମ୍ପୁର୍ଣ୍ଣ ଅବ୍ୟବସ୍ଥା। କାର୍ଯ୍ୟାଳୟ ବାରଣ୍ଡାରେ ଦୁଇଟି ମାତ୍ର ଚେୟାର ପଡିଛି। ବସିବାକୁ ନା ତଳେ ପାଲ ପଡିଛି ନା ପିଇବାକୁ ପାଣି ଟୋପାଏ ଅଛି।
ଲୋକମାନେ ଅସନ୍ତୋଷ ପ୍ରକାଶ କରି ବିଏମସି ଅଧିକାରୀଙ୍କ ଉପରେ ବର୍ଷିଥିଲେ। କହିଥିଲେ ଆମକୁ ଏଠିକି ସେଠିକି ଡାକି ଭୁଆଁ ବୁଲାଉଛ। ଆମ ମୁଖ୍ୟମନ୍ତ୍ରୀ ଆମକୁ ସୁନ୍ଦର ଚେୟାରରେ ବସାଇ ଖାଇବା ପିଇବାକୁ ଦେଇ ସସମ୍ମାନେ ପଟ୍ଟା ବଣ୍ଟନ ଦେଇଥିଲେ। ତମେ କଣ ତାଙ୍କ ଠାରୁ ଉପରେ। କାହିଁକି ଏପରି ବ୍ୟବସ୍ଥା କରିଛ। ଯାହା ଆସୁଛି ସବୁ ଖାଇ ଚଳୁ କରି ଦେଉଛ। ଏମିତି ଅନେକ କଥା ସଂପୃକ୍ତ ଅଧିକାରୀଙ୍କୁ ତୁରନ୍ତ ହଟାଇବା ପାଇଁ ଦାବି କରିଥିଲେ। କର୍ପୋରେଟର ଲୋକମାନଙ୍କୁ ବୁଝାସୁଝା କରି ପଟ୍ଟା ବଣ୍ଟନ କରିଥିଲେ। ତଥାପି ବହୁ ଲୋକ ପଟ୍ଟା ପାଇବାରୁ ବଞ୍ଚିତ ହୋଇଥିଲେ। ପାତ୍ର ସାହି ଓ ଦାସରଜା ବସ୍ତିର ଲୋକମାନଙ୍କୁ ବିଲକୁଲ ପଟ୍ଟା ମିଳି ନଥିଲା। ଏନେଇ ସଂପୃକ୍ତ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ୍ ଉଠାଇ ନଥିଲେ।
ସୂଚନା ଥାଉ କି ଗତ ଅଗଷ୍ଟ ୨୮ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ କଳିଙ୍ଗ ଷ୍ଟାଡିୟମ ଠାରେ ପଟ୍ଟା ବଣ୍ଟନ କରିଥିଲେ। ଉକ୍ତ ପଟ୍ଟାରେ କୌଣସି ଦସ୍ତଖତ କିମ୍ବା ଷ୍ଟାମ୍ପ ନଥିବାରୁ ଲୋକମାନଙ୍କ ମଧ୍ୟରେ ସନ୍ଦେହ ଉପୁଜିଥିଲା।
ଏହାକୁ ଏକ ସାଧା କାଗଜ ବା ଫର୍ମ କହି ବିରୋଧୀ ଦଳ ରାସ୍ତାକୁ ଓହ୍ଲାଇ ଥିଲେ। ବହୁ ଅଭିଯୋଗ ପରେ ରାଜ୍ୟ ସରକାରଙ୍କ ତରଫରୁ ଘନ ଘନ ଜରୁରୀକାଳୀନ ବୈଠକ ବସି ଏହାର ସମାଧାନ କରାଯାଇ ତହସିଲଦାରଙ୍କ ଦସ୍ତଖତ ଓ ଷ୍ଟାମ୍ପ ଥିବା ପଟ୍ଟା ବଣ୍ଟନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ବିଏମସି କମିଶନର ବିଜୟ ଅମୃତ କୁଳାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମେୟର ସୁଲୋଚନା ଦାସ ଓ ସମସ୍ତ କର୍ପୋରେଟର ଉପସ୍ଥିତ ରହି ବସ୍ତି ବାସିନ୍ଦାଙ୍କୁ ପ୍ରତ୍ୟେକ ଜୋନରେ ଦସ୍ତଖତ ଓ ଷ୍ଟାମ୍ପ ଥିବା ପଟ୍ଟା ବଣ୍ଟନ କରାଯିବା ପାଇଁ ସ୍ଥିର କରାଯାଇଥିଲା। କେମିତି ସୁରୁଖୁରୁରେ ପଟ୍ଟା ବଣ୍ଟନ କରାଯିବ ସେଥିପାଇଁ କମିଶନର ଜଣେ ଜଣେ ଅଧିକାରୀଙ୍କୁ ସ୍ବତନ୍ତ୍ର ଦାୟିତ୍ଵ ଦେଇଥିଲେ। ଉତ୍ତର ଜୋନରେ ଅତିରିକ୍ତ ଉପାୟୁକ୍ତ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଦାୟିତ୍ଵ ମିଳିଥିଲା।