ଜଣେ ଭଡାଟିଆ ଓଡ଼ିଶାବାସୀଙ୍କ ଆଶାଓ ଆକାଂକ୍ଷାକୁ ଭୂଲୁଣ୍ଠିତ କରୁଛନ୍ତି- ଧର୍ମେନ୍ଦ୍ର ପ୍ରଧାନ

0
124

By Our Correspondent

SAMBALPUR:  ରାଜ୍ୟରେ ଦୀର୍ଘ  ୨୪ ବର୍ଷ ଧରି ଗୋଟିଏ ଦଳ ଶାସନରେ ରହିବା ପରେ ବି ସମ୍ବଲପୁରକୁ ଅବହେଳା କରାଯାଉଛି ।  ସମ୍ବଲପୁର ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଇଛି ବୋଲି ଗୁରୁବାର ସମ୍ବଲପୁରରେ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ତବଲାପଡ଼ା, ଷ୍ଟେସନପଡ଼ା ଅଞ୍ଚଳରେ ଘରକୁ ଘର ବୁଲି ପ୍ରଚାର କରିଛନ୍ତି । ଜନସାଧାରଣଙ୍କୁ ମୋଦୀ ଗ୍ୟାରେଣ୍ଟି ଏବଂ ବିଜେପିର ସଂକଳ୍ପ ପତ୍ର ବିତରଣ କରିଛନ୍ତି । ସମ୍ବଲପୁରକୁ ଆହୁରି ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ପଦ୍ମଫୁଲ ଚିହ୍ନରେ ଭୋଟ୍ ଦେବା ପାଇଁ ନିବେଦନ କରିଛନ୍ତି । ଦଳ ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ କ୍ରମାଗତ ଭାବରେ ଭାରତୀୟ ଜନତା ପାର୍ଟିର ସମର୍ଥନ ବଢୁଛି । ମୋଦୀଙ୍କ ପ୍ରତି ଲୋକ ମାନଙ୍କ ଭଲ ପାଇବା ଶ୍ରଦ୍ଧା ବଢୁଛି ।

ମୋଦୀଙ୍କ ଉପରେ ଲୋକ ମାନଙ୍କର ଆଶା ଏବଂ ବିଶ୍ୱାସ ଅଛି । ଯେତିକି ନିର୍ବାଚନ ପାଖେଇ ଆସୁଛି, ବିଜେପି ପ୍ରତି ସମର୍ଥନ ବଢିବାରେ ଲାଗିଛି । ପ୍ରତି ବଦଳରେ ବିଜୁ ଜନତା ଦଳ ସେତିକି ହିଂସ୍ର ହେବାରେ ଲାଗିଛି । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି । ଏହା ନିନ୍ଦନୀୟ । ଏହି ଘଟଣା ପାଇଁ ରାଜ୍ୟ ସରକାର ଦାୟୀ  । ସମର୍ଥନ ହରାଉଥିବା ବିଜେଡିର ଲୋକମାନେ ଆଜି ରକ୍ତମୁଖା ହେଉଛନ୍ତି ।

ଓଡ଼ିଶାରେ ପିଇବା ପାଣି, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ଦାଦନ ଭଳି ମୁଖ୍ୟ ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀ ନୀରବତା ଅବଲମ୍ବନ କରିଛନ୍ତି । ଜଣକୁ ଭଡ଼ାରେ ଆଣିଛନ୍ତି। ଓଡ଼ିଶାରେ ଏତେ ଲୋକ ଅଛନ୍ତି କେହି ଜଣେ ମିଳିଲେ ନାହିଁ। ଜଣେ ଭଡାଟିଆକୁ ଆଣି ଓଡ଼ିଶାର ଲୋକଙ୍କ ଆଶାଓ  ଆକାଂକ୍ଷାକୁ ଭୂଲୁଣ୍ଠିତ କରୁଛନ୍ତି। ଏ ଥର ସିଏ ହାରିବେ।ରାଜ୍ୟରେ ଲୋକମାନଙ୍କୁ ମୌଳିକ ସୁବିଧା ଦେଇପାରୁନଥିବା ସରକାରଙ୍କୁ ଲୋକମାନେ ବଦଳାଇ ବିଜେପି ସରକାର କରିବା ପାଇଁ ମନ ବନେଇସାରିଛନ୍ତି ।

ଶ୍ର ପ୍ରଧାନ କହିଛନ୍ତି ଯେ ବିଜେପି ସରକାରରେ ଲୋକଙ୍କ ଉନ୍ନତି ଓ ବିକାଶ ହିଁ ପ୍ରାଥମିକତା । ଓଡ଼ିଶାରେ ବିଜେପି ସରକାର ହେଲେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କୁ ପକ୍କା ଘର ଦିଆଯିବା ସହ ଜମି ପଟ୍ଟା ଦେବାର ବ୍ୟବସ୍ଥା କରାଯିବ । ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ ।

ପ୍ରଚାର ଅବସରରେ ଶ୍ରୀ ପ୍ରଧାନ ରେଙ୍ଗାଲି ନିର୍ବାଚନମଣ୍ଡଳୀର ମାତୃଶକ୍ତି, ଅନେକ କର୍ମୀ ଓ ଯୁବସାଥୀଙ୍କୁ ଦଳରେ ସ୍ୱାଗତ କରିଥିଲେ । ସମ୍ବଲପୁରର ସମାଜିକ ସ୍ତରର ବିଭିନ୍ନ ସଂଗଠନର ସଦସ୍ୟ ମାନଙ୍କୁ ଭେଟି ମଧ୍ୟ ଆଲୋଚନା କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here