କୋଣାର୍କ ଅର୍କ କ୍ଷେତ୍ରରେ ଆରମ୍ଭ ହୋଇଛି କୋଣାର୍କ ଉତ୍ସବ

0
432

By Our Correspondent

PURI/BHUBANESWAR:  ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ସଂସ୍କୁତି ବିଭାଗ ଓ  ସଙ୍ଗୀତ  ନାଟକ ଏକାଡେମୀର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି  ପାଞ୍ଚ ଦିନିଆ 35 ତମ କୋଣାର୍କ ଉତ୍ସବ ଏବଂ 14 ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ।

1989 ମସିହା ଠାରୁ ଆରମ୍ଭ ହୋଇଛି ଏହି କୋଣାର୍କ ଉତ୍ସବ। ଏହାକୁ ଭାରତର ଅନ୍ୟତମ ବୃହତ୍ ନୃତ୍ୟ ଉତ୍ସବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେ କୌଣସି ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀ ,ନୃତ୍ୟ ଅନୁଷ୍ଠାନ କୋଣାର୍କ ନାଟ୍ୟ ମଣ୍ଡପରେ ପାଦ ଥାପିବା ପାଇଁ ସ୍ଵପ୍ନ ଦେଖୁଥାନ୍ତି। ସେମାନଙ୍କ ଜୀବନ ସାଧନା ମାର୍ଗରେ ଅନୁରଣିତ ହେଉଥାଏ  କୋଣାର୍କ ନୃତ୍ୟ ଉତ୍ସବ। ଅନ୍ତତଃ ଥରେ ସେ ସୁଯୋଗ ମିଳୁ ଜୀବନ କାଳରେ ।

ଡିସେମ୍ବରର ସେ ପାହାନ୍ତି ଶୀତୁଆ ପାଗରେ ସଜେଇହୋଇଛି କୋଣାର୍କ। ପାଛୋଟି ନେଇଛି ତା କୋଳକୁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତର ସ୍ଵପ୍ନଭୁକ୍ ଶିଳ୍ପୀ ମାନଙ୍କୁ। ସୂର୍ଯ୍ୟ ମନ୍ଦିରରେ  ରବିଙ୍କ ଏହି ରବିବାରରୁ ଆରମ୍ଭ ହୋଇଛି କୋଣାର୍କ ଉତ୍ସବ। ଏ ଏକ ନୂଆ କିରଣ-ରବି କିରଣ । ଏ ନୂଆ ସରକାରଙ୍କ ପାଇଁ ନୂଆ ଏକ ଉଦଭାସିତ ଦିଗ। ରୂପ,ରସ ଆଉ ଛନ୍ଦର ପହିଲି ପୁଲକ। ରବିବାରରୁ ରବିଙ୍କ ନୀରବ ଆହ୍ଵାନ। କବି, ସାହିତ୍ୟିକ, ନୃତ୍ୟାଙ୍ଗନା, ଶିଳ୍ପୀ, ନାଟ୍ୟକାର , ପ୍ରଶାସକ, ରାଜନୈତିକ ନେତୃମଣ୍ଡଳୀ – ସବୁ ଶ୍ରେଣୀର, ସବୁ ପର୍ଯ୍ୟାୟର ଜନନାୟକ ମାନଙ୍କର ମଧୁର ମିଳନ। ପ୍ରେମ ଓ ପ୍ରଶାନ୍ତିର ଏକ ଅପୂର୍ବ ସମ୍ମୋହନ।  ଚନ୍ଦ୍ରଭାଗାର ଏ ଏକ ଶାଶ୍ୱତ ଆହ୍ଵାନ। ଦେଶ ବିଦେଶରୁ ଆସିଛନ୍ତି ବାଲୁକାଶିଳ୍ପୀ ଚନ୍ଦ୍ରଭାଗା କୂଳକୁ ଆଉ କୋଳକୁ । ସେଇଠୁ କଳା ନେଇ ସେମାନଙ୍କ ଚାତୁରୀ ଓ ନୈପୁଣ୍ୟରେ ମିଶାଇ ସୃଷ୍ଟି କରିବେ ବାଲୁକା କଳା। ଜୀବନ ସିନା ଛୋଟ, କାମ କିନ୍ତୁ ବଡ । ଉଚ୍ଛ୍ଵାସତ ତା’ଠୁ ଆହୁରି ବୃହତ୍।

ପାଞ୍ଚଦିନ ଧରି ସେମାନଙ୍କ ଏହି ସ୍ଵର ଓ ସ୍ଵାକ୍ଷର କୁ ବହନ କରିବା ଚନ୍ଦ୍ର ଭାଗର କୋଳ ଆଉ କୁଳ l ମନେହୁଏ ଏ ଉତ୍ସବରେ କୋଣାର୍କର ସେ ଦିନର ସେ ଶିଳ୍ପୀ ଗଢି ତୋଳିଥିବା ପଥର ମୂର୍ତ୍ତି ବି ମଧୁର ମୂର୍ଚ୍ଛନାରେ ନାଚୁଛନ୍ତି , ଗାଉଛନ୍ତି ଆଉ ସ୍ଵର ତୋଳୁଛନ୍ତି ବାଦ୍ୟରେ ଆଉ ଗାୟନରେ । ମହୁ ଆଉ ମୋହରେ ଜୀବନ ଦର୍ଶନକୁ ଖୋଜୁଛନ୍ତି ଏକ ଆତ୍ମିକ ଶୋଚନାରେ । ଶେଷକୁ ଏକ ଆଧ୍ୟାତ୍ମିକ ଚେତନାରେ ଉଦଭାସିତ ହେବେଏହି ଶିଳ୍ପୀକୂଳ ଏଇ ହେଉଛି ଉତ୍କଳୀୟ ସାଂସ୍କୃତିକ ପରମ୍ପରାର ଐତିହ୍ୟଓ ଭିତ୍ତିଭୂମି। ଉତ୍କଳ-ଉତ୍କୃଷ୍ଟ କଳାର ଦେଶ। କୋଣାର୍କରେ ପ୍ରତିଟି ପ୍ରାଣ ଶିଳ୍ପ ପ୍ରାଣ, ଶିଳ୍ପ ପ୍ରତି,କଳା ପ୍ରତି ଦରଦୀ ହୃଦୟ ସବୁଠି। ଆସନ୍ତୁ ଆମେ ସମସ୍ତେ ସେହି ଚନ୍ଦ୍ରଭାଗାର ସମ୍ମୋହନରେ ନିଜକୁ ହଜେଇ ଦେବା।

ଆଜି କୋଣାର୍କର ପ୍ରଥମ ଦିନରେ ଭୁବନେଶ୍ବର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ।  ଜଗନ୍ନାଥ ଅଷ୍ଟକମ୍, ଭାବରଙ୍ଗ ଓ ଶକ୍ତି  ଏହି ତିନୋଟି ନୃତ୍ୟ ଶୈଳୀକୁ ଏକ ଅପୂର୍ବ ଭାବା ବେଗରେ ପରିବେଷଣ କରିଥିଲେ। ଓଡିଶୀ ନୃତ୍ୟ ଶୈଳୀର ଲାସ୍ୟ, ଭଙ୍ଗି, ମୁଦ୍ରା ଓ ଲାଳିତ୍ୟର ପରିପ୍ରକାଶ ଘଟିଥିଲା ସମସ୍ତ ଶିଳ୍ପୀ ମାନଙ୍କ ପରିବେଷଣରେ ।ସଙ୍ଗୀତରେ ସ୍ଵର ତୋଳିଥିଲେ ଗୁରୁ ଡ. ବିଜୟ କୁମାର ଜେନା ଓ ଗୁରୁ ବିଜୟ କୁମାର ବାରିକ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଲିଙ୍ଗରାଜ ପ୍ରଧାନ ଓ ଗୁରୁ ପଙ୍କଜ କୁମାର ପ୍ରଧାନ। ଦ୍ୱିତୀୟ ପର୍ଯ୍ୟାୟରେ ନୂଆ ଦିଲ୍ଲୀ ରୁ  ଆସିଥିବା ମାଳତୀ ଶ୍ୟାମ ଓ ସାଥୀ ବୃନ୍ଦଙ୍କ ଦ୍ଵାରା ପରିବେଷଣ ହୋଇଥିଲା ଲକ୍ଷ୍ନୋ ଘରନାର ନୃତ୍ୟ“ନର୍ତନ ମଞ୍ଜରୀ” ନୃତ୍ୟ ଶୈଳୀକୁ ପରିବେଷଣ କରି ଏକ ଆଧ୍ୟାତ୍ମିକ ଚେତନାର ସ୍ପର୍ଶ ଦେଇଥିଲେ।

ଏହି ଉତ୍ସବକୁ ପର୍ଯ୍ୟଟନ ବିଭାଗ ଓ ସଙ୍ଗୀତ ନାଟକ ଏକାଡେମୀ ର କର୍ମ କର୍ତ୍ତା ବୃନ୍ଦ ସୁନ୍ଦର ଭାବରେ ପରିଚାଳନା କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି

LEAVE A REPLY

Please enter your comment!
Please enter your name here