କେନ୍ଦୁଝରର Life Savers Groupର ବାର୍ଷିକ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, କେନ୍ଦୁଝରର ବିକାଶ ମୋ ଫୋକସରେ ଅଛି, ଜିଲ୍ଲାର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ , କେନ୍ଦୁଝରରେ ନିଶ୍ଚିତ ଭାବରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ

0
38

By Our Correspondent

BHUBANESWAR:  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟର ତୃତୀୟ ବାର୍ଷିକୀ ଉତ୍ସବରେ ଯୋଗଦେଇ କହିଛନ୍ତି ଯେ କେନ୍ଦୁଝରର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ।  ଖଣିଜ ସମ୍ପଦରେ ଭରପୁର କେନ୍ଦୁଝର ଓଡ଼ିଶା ପାଇଁ ଏକ ବରଦାନ ହେଲେ ମଧ୍ୟ ଏହାର ବିକାଶ ଆଗକୁ ବଢ଼ି ନାହିଁ। କେନ୍ଦୁଝର ଦାରିଦ୍ର୍ୟ ମଧ୍ୟରେ ଅଛି। ତେଣୁ ବର୍ତ୍ତମାନ କେନ୍ଦୁଝରର ବିକାଶକୁ ଆଗେଇ ନିଆଯିବ ଏବଂ ସୁନାର କେନ୍ଦୁଝର ଗଠନ ପାଇଁ ସମସ୍ତ ପଦକ୍ଷେପ ନିଆଯିବ । କେନ୍ଦୁଝରର ବିକାଶ ମୋ ଫୋକସରେ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କେନ୍ଦୁଝରର ବିକାଶ ପାଇଁ ନିୟମିତ ସମୀକ୍ଷା ହେଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆ ଯାଇଛି ଏବଂ ଏହା ନିଶ୍ଚୟ ପ୍ରତିଷ୍ଠା ହେବ ବୋଲି ସେ କହିଥିଲେ।

ଆଜି ଜିଲ୍ଲା ହେଡକ୍ୱାଟର୍ସ ସ୍ଥିତ ସେଲ୍ ଅଡିଟୋରିୟମରେ  ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦୁଝର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆ ଯାଇଥିବା ଅନେକ ବିକାଶ ମୂଳକ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କରିଥିଲେ ।  ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବ୍ରହ୍ମପୁର- ଟାଟା ନଗର ବନ୍ଦେ ଭାରତ ଏକ୍ସପ୍ରେସ କେନ୍ଦୁଝର ଦେଇ ଯାଉଛି।

ମୁଖ୍ୟମନ୍ତ୍ରୀ କେନ୍ଦୁଝରର ସମାଜ ସେବା ଅନୁଷ୍ଠାନ Life Savers Group ର ପ୍ରଶଂସା କରି କହିଥିଲେ ଯେ ସମାଜ ପ୍ରତି ଆପଣମାନଙ୍କ ଯେଉଁଭଳି ଅବଦାନ ରହିଛି, ତାହା ନିଶ୍ଚିତ ଭାବରେ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ। ଏଭଳି ସାମାଜିକ ମୂଲ୍ୟବୋଧ ଯଦି ଓଡିଶାର ପ୍ରତ୍ୟେକ ସହର, ପ୍ରତ୍ୟେକ ଗାଁରେ ସୃଷ୍ଟି ହେବ, ତେବେ ଆମେ ନିଶ୍ଚୟ ଏକ ଆଦର୍ଶ ସମାଜ ଗଠନ କରିପାରିବୁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସାମାଜିକ ସଂଗଠନ, ୧୦ ହଜାର ୟୁନିଟରୁ ଅଧିକା ରକ୍ତଦାନ କରି ଆବଶ୍ୟକ କରୁଥିବା ଲୋକଙ୍କୁ ଯୋଗାଇ ଦେଇଛି। ପ୍ରତି ବର୍ଷ ଆପଣମାନେ ୩ ରୁ ୪ଟି ରକ୍ତଦାନ ଶିବିର ଅନୁଷ୍ଠିତ କରି ଜିଲ୍ଲାରେ ରକ୍ତର ଅଭାବକୁ ପୂରଣ କରିବାର ପ୍ରଚେଷ୍ଟା କରୁଛନ୍ତି। ଏହା ବାସ୍ତବରେ ବହୁତ ପୂଣ୍ୟର କାମ।

ସେ ପୁଣି କହିଥିଲେ ଯେ ରକ୍ତଦାନ କରି ଗୋଟିଏ ଜୀବନ ବଞ୍ଚାଇବାର ଅନୁଭବ ଆମର ଉଚ୍ଚ ମାନବୀୟ ମୂଲ୍ୟବୋଧର ପରିଚୟ ପ୍ରଦାନ କରେ। ଏହି ପରିଚୟ ଆମକୁ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର କରେ। ଆମର ମୂଳ ଲକ୍ଷ୍ୟ ହେଉଛି ରକ୍ତ ଅଭାବରୁ କୌଣସି ଜୀବନ ଅସମୟରେ ଝଡି ନପଡୁ। ଏ ଦିଗରେ ଆପଣାମାନଙ୍କର ଉଦ୍ୟମ ଓ ସହଯୋଗ ବାସ୍ତବିକ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହା ସହିତ ଆପଣମାନେ ଗାଁ ଗହଳିରେ ବାସ କରୁଥିବା ଗରୀବ ଦୁଃଖୀ ଲୋକମାନଙ୍କର ଶୁଦ୍ଧିକ୍ରିୟା ପାଇଁ ପାଇଁ ମଧ୍ୟ ସହଯୋଗ କରୁଛନ୍ତି। ଗରୀବ ଲୋକଙ୍କ ସୁଖ ଦୁଃଖରେ ସାଥୀ ହୋଇ ସେମାନଙ୍କ ଅସମୟରେ ତାଙ୍କ ପାଖରେ ଛିଡା ହେବା ଦ୍ୱାରା ସେମାନଙ୍କର ମନୋବଳ କେତେ ବୃଦ୍ଧି ପାଉଥିବ ତାହା ସହଜରେ ଅନୁମେୟ ନୁହେଁ।  ସେ କହିଥିଲେ ଯେ, ଆପଣମାନେ ଏହିପରି ୬୦୦ ରୁ ୭୦୦ ପରିବାରକୁ ସାହାଯ୍ୟ କରି ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ଏହା ସହିତ ପ୍ରାୟ ଶତାଧିକ ରୋଗୀଙ୍କୁ ମଧ୍ୟ ସହରକୁ ନେଇ ଡାକ୍ତରଖାନାରେ ଚିକିତ୍ସା ଯୋଗାଇଦେବା କ୍ଷେତ୍ରରେ ମଧ୍ୟ ଆପଣମାନେ ସହଯୋଗ କରୁଛନ୍ତି। ଆପଣଙ୍କର ଏହି ଭଳି ସାମାଜିକ ଦାୟିତ୍ୱବୋଧ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଅନୁକରଣୀୟ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦାୟିତ୍ୱ ନେବା ପରେ ଆଜି ମୁଁ ଦ୍ୱିତୀୟ ଥର ପାଇଁ ମୋ ଜନ୍ମ ମାଟି କେନ୍ଦୁଝରକୁ ଆସିଛି ଏବଂ କେନ୍ଦୁଝରରେ ମୋର ପ୍ରଥମ କାର୍ଯ୍ୟକ୍ରମ ଆପଣମାନଙ୍କ ସହିତ ରହିଛି। ଏହା ବାସ୍ତବିକ ଆମ ସମସ୍ତଙ୍କ ପାଇଁ ବହୁତ ଖୁସିର କଥା। ଆପଣମାନଙ୍କ ସହିତ ମିଶିବା, କଥା ହେବା ବହୁତ ଆନନ୍ଦଦାୟକ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ  ସମ୍ମାନିତ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, କୋରେଇ ବିଧାୟକ ଆକାଶ ଦାସ ନାୟକ, ତେଲକୋଇ ବିଧାୟକ ଡା ଫକୀର ମୋହନ ନାୟକ ପାଟଣା ବିଧାୟକ ଅଖିଳ ନାଏକ ,କେନ୍ଦୁଝର ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ ଏବଂ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ଉପସ୍ଥିତ ରହି ଥିଲେ ।

କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ରାଇସୁଆଁ ଏୟାର ଷ୍ଟ୍ରିପ ଠାରେ ଅବତରଣ କରି ଏକ ବିଶାଳ ବାଇକ୍ ଶୋଭାଯାତ୍ରା ରେ ସିଧା ଅଡିଟୋରିୟମ ପହଞ୍ଚି ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ  ।

ରାଜ୍ୟବ୍ୟାପୀ ଅନେକ ସ୍ବେଛାସେବୀ ଅନୁଷ୍ଠାନ, ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ ।

ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ ପକ୍ଷରୁ ବିଶିଷ୍ଟ ସମାଜସେବୀ ତଥା ଟ୍ରଷ୍ଟର ଆବାହକ ଯୁଧିଷ୍ଠିର ମହାନ୍ତ, ବିଦ୍ୟାଧର ମହାନ୍ତ, ବିଜୟ ଖୁଣ୍ଟିଆ, ମନୋଜ ମାଝୀ, ତରଣୀ ସେନ ମହାନ୍ତ, ପ୍ରିୟବ୍ରତ କମଳକୃଷ୍ଣ ନାୟକ, ବିଜୟ ମହାକୁଡ଼, ଅଭିଷେକ ସାହୁ, ରବିନ୍ଦ୍ର ସିଂ ଫୌଜି, ଲକ୍ଷ୍ମଣ ସିଙ୍କୁ, ବିନୋଦ ମହାନ୍ତ, ଚନ୍ଦ୍ରଶେଣ ମହାନ୍ତ ତଥା ପାଖାପାଖି ତିନିଶହରୁ ଅଧିକ ଯୁବ ରକ୍ତବୀର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ସଞ୍ଚାଳନ କରିଥିଲେ ।

 

 

 

LEAVE A REPLY

Please enter your comment!
Please enter your name here