By Our Correspondent
BHUBANESWAR:କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବୁଦାନାଇ ଜଙ୍ଗଲରେ ଆଜି ପୂର୍ବାହ୍ନରେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବାବେଳେ ମୃତକଙ୍କ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ ଜବତ କରାଯାଇଛି ।
ସେ କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ (KKBN) ସଂଗଠନର ସକ୍ରିୟ ସଦସ୍ୟ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସର ଏହି ସଫଳତା ନିମନ୍ତେ ଡିଜିପି ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ କନ୍ଧମାଳ ପୋଲିସ ଓ ଗୁଇନ୍ଦା ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଗତ ୨୩.୧୦.୨୦୨୪ ତାରିଖରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବୁଦାନାଇ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ସମ୍ପର୍କରେ ଗୁଇନ୍ଦା ପକ୍ଷରୁ ଖବର ମିଳିଥିଲା । ଏନେଇ ପୋଲିସ ଏବଂ ଏସଓଜି ଯବାନ ମିଳିତ ଭାବେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଫଳରେ ଉଭୟଙ୍କ ପକ୍ଷରୁ ଗୁଳି ବିନିମୟ ଜାରି ରହିଥିଲା ।
ଏହି ଏନକାଉଣ୍ଟରରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା । ଏହାସହ ଯବାନମାନେ ଜଙ୍ଗଲରୁ ଏକେ-୪୭ ବନ୍ଧୁକ ସହ ମାଓବାଦୀମାନେ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ମାଓବାଦୀଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନାଯୋଗ୍ୟଯେ ୨୦୨୪ ମସିହାରେ ଓଡିଶା ପୋଲିସ ଦ୍ଵାରା ବର୍ତ୍ତମାନ ସୁଦ୍ଧା ୦୫ ଜଣ ମାଓବାଦୀ ମୃତ୍ୟୁବରଣ କରିଛନ୍ତି ।